କାନପୁର: ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ୍ ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେ ବୁଧବାର ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା । ତେବେ ଅମର ଦୁବେର ମୃତ୍ୟୁ ନେଇ ଖବର ଦେବାକୁ ପୋଲିସ ଟିମ୍ ତାଙ୍କ ଘରକୁ ଯାଇଥିବା ବେଳେ ଅନ୍ୟ ଏକ ଚକିତ କଲା ଭଳି ଘଟଣା ଘଟିଛି ।
ଏହି ଘଟଣା ଘଟିଥିବା ବିକୁରୁ ଗାଁରେ ୭ ବର୍ଷ ପୂର୍ବରୁ ମୃତ ଘୋଷିତ ହୋଇଥିବା ଅମର ଦୁବେର ବାପା ସଂଜୀବ ଦୁବେ ଏବେ ବି ଜୀବିତ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ସୂଚନାଦାତାଙ୍କ ସହଯୋଗରେ ପୋଲିସ ସେ ଲୁଚିଥିବା ସ୍ଥାନରେ ଚଢଉ କରି ତାକୁ ଗିରଫ କରିଥିଲା ।
ସଂଜୀବଙ୍କ ନାଁରେ ହତ୍ୟା ଉଦ୍ୟମ, ଲୁଟ୍ ଓ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରିବା ନେଇ ୧୨ଟି ଅଭିଯୋଗ ରହିଥିଲା । ୭ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଗୋଟିଏ ଗୋଡ ହରାଇଥିବା ସଂଜୀବ ମାମଲାଗୁଡିକରୁ ଖସି ଯିବା ପାଇଁ ପରିବାର ଲୋକଙ୍କୁ ସେ ମୃତ୍ୟୁବରଣ କରିଥିବାର ମିଛ ଖବର ପ୍ରଚାର କରିବା ପାଇଁ ପ୍ରବର୍ତ୍ତାଇଥିଲା ବୋଲି ଜେରା ବେଳେ ପ୍ରକାଶ କରିଛି । ଏହା ପରେ ତାକୁ ମୃତକ ବୋଲି ଧରି ନେବା ଫଳରେ ତା ଉପରେ ରହିଥିବା ସବୁ ଅପରାଧିକ ମାମଲା ଠପ୍ ହୋଇଯାଇଥିଲା ।
ତେବେ ଗତ ସାତ ବର୍ଷ ଧରି ଲୋକଲୋଚନ ଆଢୁଆଳରେ ରହିଆସିଥିବା ସଂଜୀବ ଏବେ ପୁଅ ଅମର ଦୁବେର ମୃତ୍ୟୁ ପରେ ବାହାରକୁ ବାହାରିବା ପରେ ପୋଲିସ ହାତରେ ଧରାପଡିଛି ।
Comments are closed.