Latest Odisha News

ବିରାଟଙ୍କ କ୍ରମାଗତ ୩ୟ ଶତକ ବୃଥା, ୱେଷ୍ଟଇଣ୍ଡିଜ ୪୩ ରନରେ ବିଜୟୀ

ପୁଣେ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେଠାରେ ଅନୁଷ୍ଠିତ ହେଉଥିବା ତୃତୀୟ ଦିନିିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାରତକୁ ୪୩ ରନରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ୧୦୭ ରନର ଶତକ ବୃଥା ଯାଇଥିବା ବେଳେ ସିରିଜ ୧-୧ରେ ବରାବର ରହିଛି ।
ଭାରତୀୟ କପ୍ତାନ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ନେଇଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ସାଇ ଡ଼ିଆଗୋ ହୋପଙ୍କ ୯୫ ରନ ସହିତ ୯ ୱିକେଟ ବିନିମୟରେ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା ।

ବୋଲିଂରେ ଭାରତ ପକ୍ଷରୁ ବୁମରା ୪ଟି ଏବଂ କୁଲଦୀପ ଯାଦବ ୨ଟି ୱିକେଟ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜର ୨୮୩ ରନର ପିଛାକରି ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦୁଇ ଓପନର୍ ରୋହିତ ଶର୍ମା ୮ରନ ଓ ଶିଖର ଧାୱନ ୩୫ ରନ କରି ସହଳ ୱିକେଟ ହରାଇଥିଲେ । ତେବେ ଅଧିନାୟକ ବିରାଟ କୋହଲୀ କ୍ରମାଗତ ତାଙ୍କର ୩ୟ ଶତକ ସହିତ ଏକ ଅଧିନାୟକ ଇନିଂସ ଖେଳିଥିବାର ଦେଖିବାକୁ ମିଳିଥିଲା । ବିରାଟ କୋହଲୀ ୧୧୯ଟି ବଲରେ ୧୦୭ ରନ କରିଥିଲେ । ବିରାଟଙ୍କ ବ୍ୟତୀତ ଅମ୍ବାତି ରାୟଡୁ ଓ ଋଷଭ ପନ୍ଥ ଯଥାକ୍ରମେ ୨୨ ଓ ୨୪ ରନ କରିଥିଲେ । ଭାରତୀୟ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ୱେଷ୍ଟଇଣ୍ଡିଜର ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଭାରତୀୟ ଦଳ ୪୭.୪ ଓଭରରେ ୨୪୦ ରନ ସ୍କୋର କରି ପରାଜୟ ବରଣ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ସାମୁଏଲ୍ସ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ ଏହି ବିଜୟ ସହିତ ୫ଟିକିଆ ମ୍ୟାଚର ସିରିଜକୁ ୧-୧ରେ ବରାବର ରଖିପାରିଛି । ଆସନ୍ତା ୨୯ ତାରିଖରେ ମୁମ୍ବାଇଠାରେ ଚତୁର୍ଥ ଦିବାରାତ୍ରୀ ମ୍ୟାଚ ଖେଳାଯିବ । ସେହିପରି ନଭେମ୍ବର ୧ ତାରିଖରେ ଥିରୁଭନନ୍ତପୁରମରେ ଚୂଡ଼ାନ୍ତ ଏକଦୀବସୀୟ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.