Latest Odisha News

ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ଭାରତ ୨୨୪ ରନରେ ବିଜୟୀ

ମୁମ୍ବାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ଅନୁଷ୍ଠିତ ୪ର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ପରାସ୍ତ କରିଛି । ଫଳରେ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ଲାଭ କରିଛି ।

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୬୨ ରନ ଏବଂ ଅମ୍ବାତି ରାୟଡୁଙ୍କ ଶତକୀୟ ଇନିଂସରେ ଭାରତ ୱେଷ୍ଟଇଣ୍ଡିଜ ସମ୍ମୁଖରେ ୩୭୮ ରନର ଏକ ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ ୩୬.୨ ଓଭରରେ ମାତ୍ର ୧୫୩ ରନ କରିପାରିଛି ।

ଏହି ସିରିଜରେ ଭାରତୀୟ ଦଳକୁ କଡ୍ଡା ମୁକାବିଲା କରୁଥିବା ୱେଷ୍ଟଇଣ୍ଡିଜ ଦଳ କିନ୍ତୁ ଆଜି ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା । ଇଣ୍ଡିଜ୍ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଭାରତୀୟ ଉନ୍ନତ ବୋଲିଂ ଆଗରେ ନିଜକୁ ସମର୍ପଣ କରି ଦେଇଥିବା ଦେଖାଯାଇଥିଲା ।

ନୂତନ ଭାରତୀୟ ବୋଲର୍ ଖଲ୍ଲିଲ୍ ଅହମ୍ମଦ ଉନ୍ନତମାନର ବୋଲିଂ କରି ବିପକ୍ଷ ଦଳ କ୍ଷତି ଘଟାଇଥିଲେ । ଖଲ୍ଲିଲ୍ ମାତ୍ର ୫ ଓଭରରେ ୩ଟି ମୂଲ୍ୟବାନ ୱିକେଟ ନେଇ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଖଲ୍ଲିଲଙ୍କ ବ୍ୟତୀତ ଘରୋଇ ଦଳ ପକ୍ଷରୁ କୁଲଦୀପ ଯାଦବ ୩ଟି, ଭୁବନେଶ୍ୱର କୁମାର ଓ ରବିନ୍ଦ୍ର ଜାଡ଼େଜା ଗୋଟିଏ କରି ୱିକେଟ ହାସଲ କରିଥିଲେ । ଭାରତୀୟ ଦଳ ଆଜିର ଏହି ମ୍ୟାଚରେ ସୁନ୍ଦର ଫିଲ୍ଡିଂ କରି ୨ଟି ଲଗାତର ରନ ଆଉଟ କରିପାରିଛି ।

Leave A Reply

Your email address will not be published.