ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ମ୍ୟାଚ୍ ସୂଚୀ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ । ସପ୍ଟେମ୍ବର ୪ରେ ଏହି ସୂଚୀ ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ଏହା ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ବୋଲି ବ୍ରିଜେଶ ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ୍ ୟୁନାଇଟେଡ୍ ଆରବ ଏମିରେଟ୍ସ୍ର ତିନିଟି ସ୍ଥାନ- ଦୁବାଇ, ଆବୁଧାବି ଓ ସାରଜା ଠାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ୍ର ଅଂଶ ଗ୍ରହଣ କରିବାକୁ ସମସ୍ତ ଟିମ୍ ୟୁଏଇରେ ପହଞ୍ଚି ତାଲିମ ଗ୍ରହଣ କରୁଛନ୍ତି। ଶେଷ ଦଳ ଭାବେ ତୃତୀୟ ପର୍ଯ୍ୟାୟ କୋଭିଡ୍-୧୯ ନମୁନା ପରୀକ୍ଷା ପରେ ‘ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଶୁକ୍ରବାର ଦିନ ମୈଦାନକୁ ଯାଇ ତାଲିମ ନେବା ଆରମ୍ଭ କରିଛନ୍ତି।
ଦୁଇ ଜଣ ଖେଳାଳିଙ୍କ ସମେତ ୧୩ଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଗତ ସପ୍ତାହରେ ‘ବିସିସିଆଇ’ ସୁନିଶ୍ଚିତ କରିଥିଲା। କିନ୍ତୁ, କେଉଁ ଟିମ୍ର କେତେ ଜଣ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି, ବୋର୍ଡ ନିର୍ଦ୍ଦିଷ୍ଟ ଭାବେ କିଛି କହି ନ ଥିଲା। ଖେଳାଳି ଓ କର୍ମଚାରୀଙ୍କ ପରିଚୟ ମଧ୍ୟ ପ୍ରକାଶ କରାଯାଇ ନ ଥିଲା।
Comments are closed.