Latest Odisha News

ଆଜି ‘ଦଶହରା’, ଜାଣନ୍ତୁ ମାଆଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଜଗତଜନନୀ ମାଦୁର୍ଗାଙ୍କ ଶାରଦୀୟ ପୂଜାର ଆଜି ହେଉଛି ଶେଷଦିନ । ଆଜିର ଦିନକୁ ଦଶହରା ବୋଲି ମଧ୍ୟ କୁହାଯାଏ । ତେବେ କ’ଣ ଆପଣ ଜାଣନ୍ତି ଏହାର ନାମକରଣ ଏପରି କାହିଁକି ହୋଇଛି । କ’ଣ ରହିଛି ଏହାର ପୌରଣିକ କାରଣ…. ପଢନ୍ତୁ

ମାଆଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହୁଏ । ଏହିଦିନ ମା’ଙ୍କ ଆଶିଷରୁ ପ୍ରଭୁ ରାମଚନ୍ଦ୍ର ରାବଣର ଦଶମୁଣ୍ଡ ହରଣ କରିଥିବାରୁ ଏହାର ନାମ ଦଶହରା ହୋଇଥିବା ପୁରାଣରେ ବର୍ଣ୍ଣିତ ରହିଛି । ଆହୁରି ମଧ୍ୟ କୁହାଯାଏ ‘ ଦଶ ରାବଣସ୍ୟ ମସ୍ତକାନି ହରତି ମାସା’ । ଏହି ଦିନରେ ଦଶ ପ୍ରକାରର ହିଂସା, ପାପ ହରଣ ହେଉଥିବାରୁ ଏହାର ନାମକରଣ ଦଶହରା ହୋଇଛି ।

ଭାରତରେ ହିନ୍ଦୁମାନେ ସାଧାରଣତଃ ଦୁଇ ପ୍ରକାରର ଦଶହରା ପାଳନ କରନ୍ତି । ଗୋଟିଏ ଗଙ୍ଗା ଦଶହରା ଓ ଅନ୍ୟଟି ହେଉଛି ଦୁର୍ଗା ଦଶହରା । ଗଙ୍ଗା ଦଶହରା ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ପଡେ । ମାତା ଗଙ୍ଗାଙ୍କୁ ଏହିଦିନ ପୂଜାର୍ଚ୍ଚନା କରାଯାଏ । ପ୍ରାୟତଃ ଏହିପର୍ବ ପାଳନ ହେବାର ଦେଖାଯାଏ ନାହିଁ। କିନ୍ତୁ ଦୁର୍ଗା ଦଶହରା ବ୍ୟାପକ ଓ ବହୁଳ ଭାବେ ଗାଁ, ସହର, ଦେଶ-ବିଦେଶରେ ପାଳନ କରାଯାଏ ।

ଦୁର୍ଗାପୂଜା ଉତ୍ସବ ନେଇ କେତେକ ପୌରାଣିକ ଆଖ୍ୟାନ ମାନ ରହିଛି । ‘ଦୁର୍ଗ’ ନାମକ ଏକ ଅସୁରକୁ ମା’ ବଦ୍ଧ କରିଥିବାରୁ ସେ ‘ଦୁର୍ଗା’ ନାମରେ ନାମିତ ।

ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ଅଛି ଯେ, ଯେତେବେଳେ ମହିଷାସୁରର ଅତ୍ୟାଚାରରେ ଦେବ ମାନବ ସମସ୍ତେ ତ୍ରାହିତ୍ରାହି ଡାକିଲେ । ପୃଥିବୀ ଭୟରେ ଥରହର ହେଲା । ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆବିର୍ଭୂତା ହେଲେ ଜଗତଜନନୀ ମାଆ ଦୁର୍ଗା । ସମସ୍ତ ଦେବତାଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରି ଦେବୀ ମହିଷାସୁରକୁ ବଦ୍ଧ କରି ସଂସାରରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।

ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବିନାଶ କରିବା ପାଇଁ ମାଆ ଦୁର୍ଗାଙ୍କ ଆରାଧନା କରିଥିଲେ । ମା’ଙ୍କ ଆର୍ଶୀବାଦ ଫଳରେ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମାତାସୀତାଙ୍କୁ ଉଦ୍ଧାର କରିଥିଲେ । ଏହି ପୂଜା ଶରତ ଋତୁରେ ହେଉଥିବାରୁ ଏହାକୁ ଶାରଦୀୟ ପୂଜା ବୋଲି କୁହାଯାଏ ।

ମା’ ଦୁର୍ଗାଦେବୀ ଜଗତବାସୀଙ୍କ ପରମ ଆରାଧ୍ୟା, ବନ୍ଦନୀୟା । ସେ ସକଳ ଶକ୍ତିର ଆଧାର, ସମସ୍ତ ଦୁଃଖର ବିନାଶିନୀ । ଜଗତର ଦୁର୍ଗତି କାଳରେ ତାଙ୍କର ଜନ୍ମ । ଜଗତବାସୀଙ୍କୁ ଦୁର୍ଗତିରୁ ଉଦ୍ଧାର କରିଛନ୍ତି ବୋଲି ତାଙ୍କୁ ଦୁର୍ଗା ଭାବେ ଅଭିହିତ କରାଯାଇଥାଏ ।

ଦଶହରା ଅବସରରେ ପିଠାପଣା, ଅନ୍ନ ବ୍ୟଞ୍ଜନ, ଭୋଗ, ଧୂପ, ନୈବେଦ୍ୟରେ ମାତାଙ୍କୁ ପୂଜା କରାଯାଇଥାଏ । ପବିତ୍ର ମନ୍ତ୍ରପାଠ ଧ୍ୱନୀରେ ଏକ ଧର୍ମୀୟ ପରିବେଶ ସୃଷ୍ଟି ହୁଏ ।

କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଅଧିକ । ମା’ ଦୁର୍ଗା ଏହି ମାତୃ ଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱ କଲ୍ୟାଣି ସେ । ଘରେ ଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ । ତାଙ୍କରି ଜୟ ଜୟକାର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଲୋକରେ ମୁଖରିତ । ନର, ଦେବତା, ରାକ୍ଷସ ତାଙ୍କୁ ବହୁ ଭାବରେ, ବହୁ ରୂପରେ ପ୍ରାର୍ଥନା କରୁଛନ୍ତି । ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସଂସ୍ଥିତା।

“ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।
ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।”

ଏହି ପ୍ରାର୍ଥନା କରି ମାଆଙ୍କ ଆରାଧନା କରାଯାଇଥାଏ।

ଶକ୍ତିପୂଜା କ୍ଷେତ୍ରରେ ନବଦୁର୍ଗାଙ୍କ ଉପାସନା ବହୁ କାଳରୁ ଚାଲିଆସୁଛି। ‘ସପ୍ତଦଶୀ ଚଣ୍ଡୀ’ ପୁରାଣରେ ଏବିଷୟରେ ବର୍ଣ୍ଣିତ ଅଛି ।

ମାଆଙ୍କ ମହିମା ଅପାର । ତାଙ୍କ ଶକ୍ତି, ରୂପ, ସାମର୍ଥ୍ୟ ବର୍ଣ୍ଣନାର ଅନ୍ତ ନାହିଁ । ଓଡ଼ିଶାର ସମସ୍ତ ଶକ୍ତିପୀଠରେ ତନ୍ତ୍ର ଯୁଗରୁ ଦେବୀ ପୂଜାର ପରମ୍ପରା ରହି ଆସିଛି । ଗାଁ, ଗଣ୍ଡା, ସହରର ଗଳି କନ୍ଦିରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଥାଏ ।

Leave A Reply

Your email address will not be published.