Latest Odisha News

BREAKING NEWS

ସମସ୍ତେ ନିଜ ସ୍ୱାର୍ଥ ଦେଖୁଛନ୍ତି, ଏକାଠି ହୋଇପାରିବେନି ବିରୋଧୀ !

ଭୁବନେଶ୍ୱର: ଦ୍ଵିତୀୟ ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ କେଁ ପଶିଛି। ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ହେବାକୁ ଥିବାବେଳେ କଂଗ୍ରେସ ଆମ ଆଦମୀ ପାର୍ଟିକୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି।

କିନ୍ତୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ଉପରେ ହିଁ ଆପର ନିଷ୍ପତ୍ତି ନିର୍ଭର କରେ ବୋଲି ଆପ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କଂଗ୍ରେସ ଆଗୁଆ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଦାବି କରିଛି ଆପ।

ଆପର ସାଂସଦ ରାଘବ ଚଢା ଏ ନେଇ ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ଅଧ୍ୟାଦେଶ ସମ୍ପର୍କରେ ସଂସଦର ମୌସୁମୀ ଅଧିବେଶନର ଅନ୍ତତଃ ୧୫ ଦିନ ପୂର୍ବରୁ କଂଗ୍ରେସ ନିଷ୍ପତ୍ତି ଜଣାଇବା ପ୍ରତିଶ୍ରୁତିକୁ ମନେ ପକାଇ ଦେଇଛନ୍ତି ରାଘବ।

ପାଟନାରେ ହୋଇଥିବା ବିରୋଧୀ ବୈଠକକୁ ମନେ ପକାଇବା ସହ କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶ ସମ୍ପର୍କରେ ମୌସୁମୀ ଅଧିବେଶନ ପୂର୍ବରୁ ନିଷ୍ପତ୍ତି ନେବା କଥା କହିଥିବା କହିଛନ୍ତି ଚଢା। ଏପରିକି ବେଙ୍ଗାଳୁରୁରେ ହେବାକୁ ଥିବା ବୈଠକରେ ଯୋଗ ଦେବା ପ୍ରସଙ୍ଗ କଂଗ୍ରେସର ନିଷ୍ପତ୍ତି ପରେ ହିଁ ନିଆଯିବ ବୋଲି ଆପ ପକ୍ଷରୁ କୁହାଯାଇଛି।

ପାଟନା ବୈଠକରେ ଏ ପ୍ରସଙ୍ଗ ନେଇ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ କଥା କଟକଟି ହୋଇଥିଲା। ବିରୋଧୀ ବୈଠକ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାଦେଶ ନେଇ ଆଭିମୁଖ୍ୟ ଘୋଷଣା କରିବାକୁ ଅରବିନ୍ଦ ଦାବି ରଖିଥିଲେ। କିନ୍ତୁ କଂଗ୍ରେସ ଏଥିରେ ରାଜି ହୋଇ ନ ଥିଲା।

ଦଳର ଆଭ୍ୟନ୍ତରୀଣ ପ୍ରକ୍ରିୟା ଦେଇ ଯିବାକୁ ଥିବାରୁ ପାଟନା ରେ ଅଧ୍ୟାଦେଶ ସମ୍ପର୍କରେ ଘୋଷଣା କରିବାକୁ କଂଗ୍ରେସ ରାଜି ହୋଇ ନ ଥିଲା। କିନ୍ତୁ ଏବେ ଦ୍ବିତୀୟ ବିରୋଧୀ ଦଳ ବୈଠକ ପୂର୍ବରୁ ଆପ ଏହାକୁ ବଡ଼ ଅସ୍ତ୍ର କରିଛି।

ଏପରିକି ପାଟନା ବୈଠକ ପରେ ପରେ କଂଗ୍ରେସ ଯେଉଁ ବିରୋଧୀ ଦଳ ବୈଠକର ଅଂଶ ହେବ ସେଥିରେ ଆପ ସାମିଲ ହେବ ନାହିଁ ବୋଲି ଆପ ପକ୍ଷରୁ କୁହାଯାଇଥିଲା। ତେଣୁ ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବିଜେପିକୁ ପ୍ରତିହତ କରିବାକୁ ବିରୋଧୀ ବଡ଼ ଯୋଜନା କରିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଆରମ୍ଭରୁ ଫାଟ ଦେଖିବାକୁ ମିଲିଲାଣି। ଏପରିକି ଦେଶର ଅନ୍ୟ ଏକ ବିରୋଧୀ ଭାରତ ରାଷ୍ଟ୍ର ସମିତି ମଧ୍ୟ ପୂର୍ବ ପାଟନା ବୈଠକରେ ସାମିଲ ହୋଇ ନ ଥିଲା। କଂଗ୍ରେସକୁ ମଧ୍ୟ ଦଳ ବିରୋଧ କରିଛି।

ଏପରିକି ବିରୋଧୀ ବୈଠକରେ ଯୋଗ ଦେଇଥିବା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ପାଟନା ବୈଠକରେ ଯୋଗ ଦେବା ପରେ ବିଆରଏସ ମୁଖ୍ୟ କେସିଆରଙ୍କୁ ଭେଟିଥିଲେ। ଯାହାକି ବିରୋଧୀଙ୍କ ଏକତା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଥିଲା।

ସେପଟେ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ ସମର୍ଥନ କଥା ନେଇ କଂଗ୍ରେସର ବହୁ ନେତା ବିରୋଧ କରୁଛନ୍ତି। ତେଣୁ ଏବେ କଂଗ୍ରେସ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ଓ ବିରୋଧୀ ଏକତାର ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.