Latest Odisha News

BREAKING NEWS

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି।

ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ ଗୁଜୁରାଟରେ ଆମ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିବାକୁ କହିସାରିଛି।

ଏଭଳି ସ୍ଥିତିରେ ଛତିଶଗଡ଼ରେ ଆମ ଆଦମୀ ପାର୍ଟି ଦମଦାର ଲଢେଇ ଲଢ଼ିବାକୁ ଯୋଜନା କରିଛି। ଛତିଶଗଡ଼ରେ କଂଗ୍ରେସ ସରକାର ଥିବାବେଳେ ସେଠାରେ ବିଜେପି ସହ କଂଗ୍ରେସର ଟକ୍କର ଦେଖିବାକୁ ମିଳେ।

କିନ୍ତୁ ଖୋଦ ଇଣ୍ଡିଆ ମେଣ୍ଟ ପ୍ରମୁଖ ସଦସ୍ୟ ଆପ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଲଢ଼େଇକୁ ଓଲ୍ହାଇଲେ କଂଗ୍ରେସକୁ କ୍ଷତି ପହଂଚିପାରେ ବୋଲି କୁହାଯାଉଛି। ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ଥିବାବେଳେ ଆପ ସେଠାରେ ଇସ୍ତାହାର କମିଟି ଗଠନ କରିଛି।

୨୧ ସଦସ୍ୟ ବିଶିଷ୍ଟ ଏହି କମିଟି ଛତିଶଗଡ଼ରେ ଦିଲ୍ଲୀ ଓ ପଞ୍ଜାବ ଭଳି ମାଗଣା ଯୋଜନାକୁ ଫୋକସ କରି ଇସ୍ତାହାର ପ୍ରସ୍ତୁତ କରିବ ବୋଲି କୁହାଯାଉଛି। ଚଳିତ ମାସ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ଆପର ଇସ୍ତାହାର କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ମିଳିଛି।

ଦିଲ୍ଲୀ ଓ ପଞ୍ଜାବ ଭଳି ଛତିଶଗଡ଼ରେ ଫ୍ରି ଗ୍ୟାରେଣ୍ଟି ସହ ନିର୍ବାଚନକୁ ଓଲ୍ହାଇଵ ବୋଲି ଆଲୋଚନା ହେଉଛି। ଯେଭଳି ଦିଲ୍ଲୀ ଓ ପଞ୍ଜାବରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଆଦି ଫ୍ରି ଦେବା ପାଇଁ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା ସେଭଳି ଢଙ୍ଗରେ ଛତିଶଗଡ଼ରେ କରିବାକୁ ଦଳ ପ୍ରସ୍ତୁତ ହେଉଛି।

ଛତିଶଗଡ଼ କୃଷକ ଓ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ଏହି ବର୍ଗ ପାଇଁ ଅନ୍ୟ କିଛି ଯୋଜନା ନେଇ ଆସିବାକୁ ଆପ ପ୍ରସ୍ତୁତ ହେଉଛି। ଆପର ଇସ୍ତାହାର କମିଟି ଅଧ୍ୟକ୍ଷ ଆନନ୍ଦ ପ୍ରକାଶ ମିରି କଂଗ୍ରେସ ଓ ବିଜେପିର ଇସ୍ତାହାରକୁ ଧୋକା ପତ୍ର ବୋଲି କହିଛନ୍ତି।

କିନ୍ତୁ ଆପର ଗ୍ୟାରେଣ୍ଟି ଲିଖିତ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ଏହା କିଛି ମୁକ୍ତ ଯୋଜନା ନୁହେଁ ଗରିବ ଲୋକଙ୍କ ହକ ଅନୁଯାୟୀ ଏହା ଦିଆଯାଉଛି ବୋଲି ଆପ ପକ୍ଷରୁ କୁହାଯାଇଛି।

ଦଳ ଯେଭଳି ଦିଲ୍ଲୀ ଓ ପଞ୍ଜାବରେ ଗ୍ୟାରେଣ୍ଟି ଅନୁଯାୟୀ ସରକାର ଆସୁ ଆସୁ ସବୁ ପୁରଣ କରୁଛି ସେଭଳି ଛତିଶଗଡ଼ରେ ମଧ୍ୟ କରିବ ବୋଲି କହିଛି। ଛତିଶଗଡ଼ରେ ବିଜେପି ନାହିଁ ବୋଲି କହିବା ସହ ଏବେ ୧୩ ଜଣ ବିଧାୟକ ଅଛନ୍ତି ଆଗକୁ ୩ ଜଣ ବି ରହିବେନି ବୋଲି ଆନନ୍ଦ ପ୍ରକାଶ କହିଛନ୍ତି।

ଏଥର ଝାଡୁ ଚାଲିବ ବୋଲି ସେ କହିଛନ୍ତି। ଛତିଶଗଡ଼ବାସୀଙ୍କ ନିକଟରେ ପୂର୍ବରୁ ବିକଳ୍ପ ନ ଥିବାରୁ ସେମାନେ କଂଗ୍ରେସ ଓ ବିଜେପି ମଧ୍ୟରେ ଜଣଙ୍କୁ ଚୟନ କରୁଥିଲେ। କିନ୍ତୁ ଏବେ ଆପ ସମସ୍ତ ୯୦ ସିଟରେ ନିର୍ବାଚନ ଲଢ଼ିବ।

ପୂର୍ଣ ବାହୁମତରେ ଆପ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ସେ କହିଛନ୍ତି। ଏପରିକି କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିପାରିନି ବୋଲି ଆପ କହିଛି। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଗୁଜୁରାଟରେ ପୂର୍ବ ବିଧାନସଭା ନିର୍ବାଚନରେ ଆପ ଜୋରଦାର ଲଢେଇ ଲଢ଼ିବାରୁ ବିରୋଧୀ ଭୋଟ ବିଭାଜିତ ହୋଇ କଂଗ୍ରେସ କ୍ଷତି ସହିଥିଲା। ଏବେ କିନ୍ତୁ ଗୁଜୁରାଟରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ିବାକୁ ଆପ ଆଗୁଆ କହିଛି। ସେପଟେ ଛତିଶଗଡ଼ରେ ଏଭଳି ଭିନ୍ନ ସ୍ଥିତି ରାଜ୍ୟର ରାଜନୈତିକ ସମୀକରଣକୁ ବିଗାଡିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.