Latest Odisha News

BREAKING NEWS

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି ।

କଂଗ୍ରେସରେ ମିଶିବା ପରେ ମନୋଜ ମିଶ୍ର  କହିଛନ୍ତି,‘‘ ମୁଁ ଜନସାଧାରଣଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ରହିଛି । ସରକାର ଦୃଷ୍ଟି ଗୋଚର ଦେଉନାହାନ୍ତି । ଲୋକଙ୍କ ସହ ମିଶି ସମସ୍ୟାର ସମାଧାନ କରିବାକୁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ମନୋଜ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମର ଏଠି କେବଳ ଭୋଟ ରାଜନୀତି ଚାଲିଛି । ମୁଁ କଂଗ୍ରେସ ନେତାଙ୍କ ଚିନ୍ତାଧାରା ଯୋଗୁଁ ପ୍ରଭାବିତ ହୋଇ ଦଳରେ ମିଶିଛି । ଯୁବମାନଙ୍କୁ ସଚେତନ କରିବା ମୋର ମୂଳ ଲକ୍ଷ୍ୟ ରହିଛି ।“ ତେବେ ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ସ୍ପଷ୍ଟ କରିବ ବୋଲି କହିଛନ୍ତି ମନୋଜ ।

ସୂଚନାଯୋଗ୍ୟ, ମନୋଜ ମିଶ୍ର ବଲିଉଡ ତଥା ଓଲିଉଡ ସିନେମା ଜଗତର ଜଣେ ଶଣାଶୁଣା ଅଭିନେତା । ମନୋଜ ମିଶ୍ର ଓଡ଼ିଶାରେ ଆଞ୍ଚଳିକବାଦ ସହିତ ଓଲିଉଡରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚା ପରିସରକୁ ଆସିଥିଲେ । ନିକଟରେ କିଛି ପ୍ରଯୋଜକ ତାଙ୍କୁ ବାସନ୍ଦ କରିବାକୁ ନେଇ ବିବାଦ ବଢ଼ିଥିଲା । ଏହି ଘଟଣାରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ହସ୍ତକ୍ଷପ କରିବା ସହ ମନୋଜଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ, ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ।

Leave A Reply

Your email address will not be published.