Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ । ସେ କହିଛନ୍ତି ଯେ, ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ଦଳ ଛାଡ଼ିଲି । ୨୦୧୯ରେ ବିନା କାରଣରେ ଟିକେଟ୍ କଟାଗଲା, ପ୍ରତିବାଦ କରିନଥିଲି । ବିଧାୟକ ନଥାଇ ୫ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରିଛି ବୋଲି କହିଛନ୍ତି ଆକାଶ ଦାସ ନାୟକ ।

ସେ ଆହୁରି କହିଛନ୍ତି, ‘ଦଳ ବୋଧେ ମୋ ଗୁରୁତ୍ବ ବୁଝି ପାରିଲାନି । ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । କୋରେଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି’ ।

ସୂଚନାଯୋଗ୍ୟ, ୨୦୧୪ ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆକାଶ । ଏହାପରେ ୨୦୧୯ରେ ଆକାଶଙ୍କ ଟିକେଟ୍ ଦଳ କାଟିବା ପରେ ତାଙ୍କୁ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ ।

ତେବେ ବିଜେଡିରୁ ଇସ୍ତଫା ଦେବାପରେ ଆକାଶ ପଦ୍ମ ଧରିପାରନ୍ତି ଏବଂ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.