Latest Odisha News

BREAKING NEWS

ସ୍ମାର୍ଟ ମିଟର କମ୍ପାନୀ ଉପରେ ଆଦାନୀର ନଜର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ସ୍ମାର୍ଟ ମିଟର କମ୍ପାନୀ ‘ଇଣ୍ଟେଲିସ୍ମାର୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର’ (Intelli Smart Infrastructure) କୁ କିଣିବା ପାଇଁ ବଡ଼ ବଡ଼ ନିବେଶକଙ୍କ ମଧ୍ୟରେ ରେସ୍‌ ଜୋରଦାର ହେବାରେ ଲାଗିଛି | ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛି ବିଲେନିୟର ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ |

ପ୍ରାୟ ୩ ହଜାର ୭୭୦ କୋଟି ଟଙ୍କାର ଏହି ମେଗା ଡିଲ୍‌ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଦାନୀଙ୍କ ସମେତ ୪ଟି ବଡ଼ କମ୍ପାନୀ ଏହି କମ୍ପାନୀକୁ କିଣିବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି |

ଦେଶରେ ସ୍ମାର୍ଟ ମିଟରର ବଢୁଥିବା ଚାହିଦା ମଧ୍ୟରେ ‘ଇଣ୍ଟେଲିସ୍ମାର୍ଟ’କୁ ହାତେଇବା ପାଇଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି | ପରବର୍ତ୍ତୀ ରାଉଣ୍ଡ ପାଇଁ ଆଦାନୀ ଏନର୍ଜି ସଲ୍ୟୁସନ୍ସ (Adani Energy) ଏବଂ ଜିଏମ୍‌ଆର୍ (GMR) ସମେତ ୪ଟି କମ୍ପାନୀକୁ ସର୍ଟଲିଷ୍ଟ କରାଯାଇଛି | ଏହି ଦୌଡ଼ରେ ‘ଜିନସ ପାୱାର୍’ ଏବଂ ସ୍ୱିସ୍ ଫଣ୍ଡ ‘ପାର୍ଟନର୍ସ ଗ୍ରୁପ୍’ ମଧ୍ୟ ସାମିଲ ଅଛନ୍ତି |

ଆସନ୍ତା ମାସ ସୁଦ୍ଧା ଏହି ସବୁ କମ୍ପାନୀ ନିଜର ଚୂଡ଼ାନ୍ତ ତଥା ବାଧ୍ୟତାମୂଳକ ବିଡ୍ (Bids) ଦାଖଲ କରିବେ | ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୦ଟି କମ୍ପାନୀ ଏହି ଡିଲ୍‌ ପାଇଁ ଆଗ୍ରହ ପ୍ରକାଶ କରିଥିଲେ |

ଏହା NIIF ଏବଂ EESL ର ଏକ ଯୌଥ ଉଦ୍ୟୋଗ ଅଟେ | କମ୍ପାନୀ ପାଖରେ ସାରା ଦେଶରେ ୨ କୋଟି ୨୦ ଲକ୍ଷ ସ୍ମାର୍ଟ ମିଟର ଲଗାଇବାର ଅର୍ଡର ରହିଛି |

ଆସାମ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କମ୍ପାନୀ ପକ୍ଷରୁ ଲକ୍ଷ ଲକ୍ଷ ସ୍ମାର୍ଟ ମିଟର ଲଗାଯାଇ ସାରିଛି | ତେବେ ଏସବୁ ସତ୍ତ୍ବେ EESL ଉପରେ ବଢୁଥିବା ଋଣ ଭାରକୁ କମାଇବା ପାଇଁ କମ୍ପାନୀ ତାର ଅଂଶଧନ ବିକ୍ରି କରିବାକୁ ଯାଉଛି |

ଏହି ‘ଇଣ୍ଟେଲିସ୍ମାର୍ଟ’ କମ୍ପାନୀ ପ୍ରକୃତରେ କଣ କାମ କରେ ? ଏହି କମ୍ପାନୀ ଦେଶର ବିଦ୍ୟୁତ ବିତରଣ କମ୍ପାନୀ ବା ଡିସକମ୍ ଗୁଡ଼ିକ ପାଇଁ ସ୍ମାର୍ଟ ମିଟର ଲଗାଇବା ସହ ଡିଜିଟାଲ୍ ଶକ୍ତି ପରିଚାଳନା ସେବା ଯୋଗାଇଥାଏ | ଏହାଦ୍ୱାରା ବିଦ୍ୟୁତ ବ୍ୟବହାରର ସଠିକ୍ ଆକଳନ ଏବଂ ବିଲିଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହୋଇପାରିବ | ଶକ୍ତି ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆଦାନୀ କିମ୍ବା ଅନ୍ୟ କୌଣସି ବଡ଼ କମ୍ପାନୀ ଏହାକୁ କିଣୁଛନ୍ତି, ତେବେ ଭାରତର ପାୱାର୍ ସେକ୍ଟରରେ ଡିଜିଟାଲାଇଜେସନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ |

Leave A Reply

Your email address will not be published.