Latest Odisha News

ଘର ଦେବା ନାଁରେ ୧୫ କୋଟି ଠକେଇ, ରିଅଲ୍ ଇଷ୍ଟେଟ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଗୁରୁବାର ଅର୍ଥନୈତିକ ଅପରାଧ ଶାଖା (EOW)  ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଏକାଧିକ ବ୍ୟକ୍ତିଙ୍କ ଠାରୁ ଘର ଦେବା ନାଁରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ହେଉଛନ୍ତି ସନ୍ତୋଷ କୁମାର ରଥ ।

ଇଓଡବ୍ଲୁର ସୂଚନା ଅନୁସାରେ, କମ୍ପାନୀର ଉତୋପିଆ ପ୍ରକଳ୍ପରେ ଭୁବନେଶ୍ୱର ରସୁଲଗଡ଼ର ସ୍ୱଦେଶ ରାୟ ଚୌଧୁରୀ ୨୦୧୬ରେ ଫ୍ଲାଟ୍ ବୁକ୍ କରିଥିଲେ । ଫ୍ଲାଟ୍ ପାଇଁ ଅଗ୍ରୀମ ଭାବେ କମ୍ପାନୀର ଏମଡି ଜ୍ୟୋତି ର଼୍ଜନ ମିଶ୍ରଙ୍କୁ ଦେଇଥିଲେ ୧୬ ଲକ୍ଷ ଟଙ୍କା । ଅଗ୍ରୀମ ଅର୍ଥ ଦେବା ପାଇଁ ସ୍ୱଦେଶ ବ୍ୟାଙ୍କରୁ ଋଣ କରିଥିଲେ । ଏନେଇ ବ୍ୟାଙ୍କ, ବିଲ୍ଡର ଓ ସ୍ୱଦେଶଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ।

ବୁଝାମଣା ଅନୁସାରେ, ବିଲ୍ଡର ୩୦ ମାସ ମଧ୍ୟରେ ସ୍ୱଦେଶଙ୍କୁ ଫ୍ଲାଟ ହସ୍ତାନ୍ତ କରିଥାନ୍ତେ । ତେବେ ଆଜି ଯାଏ ସ୍ୱଦେଶ ଫ୍ଲାଟ୍ ପାଇ ନଥିବା ବେଳେ ଟଙ୍କା ମଧ୍ୟ ବିଲ୍ଡର ଫେରାଇ ନାହିଁ । ଏବେ ଇଓଡବ୍ଲୁ ଗିରଫ କରିଥିବା ସନ୍ତୋଷ ରଥ ପୂର୍ବରୁ କମ୍ପାନୀର ଉତୋପିଆ ପ୍ରକଳ୍ପର ମାର୍କେଟିଂ ଦାୟିତ୍ୱରେ ଥିବା ବେଳେ ପରେ ଅତିରିକ୍ତ ନିର୍ଦ୍ଦେଶକ ହୋଇଥିଲେ ।

ସେ କମ୍ପାନୀର ଏମଡିଙ୍କ ସହ ମିଶି ପ୍ରାୟ ୧୩୦ ଜଣ ନିବେଶକଙ୍କ ଠାରୁ ୨୦୧୬ରୁ ୧୫ କୋଟି ଟଙ୍କା ନେଇଛନ୍ତି । ଯେତେବେଳେ କି କମ୍ପାନୀ ମାତ୍ର ୧୦ଟି ବ୍ଲକ ତିଆରି କରିଛି । ୯୫ ପ୍ରତିଶତ ଅର୍ଥ କମ୍ପାନୀ ନେଇ ସାରିଥିବା ବେଳେ ୩୦ ମାସର ଅବଧି ମଧ୍ୟ ସରିଲାଣି । କିନ୍ତୁ ୮ ବର୍ଷ ପରେ ବି ଗୋଟିଏ ବି ଫ୍ଲାଟ କମ୍ପାନୀ ହସ୍ତାନ୍ତର କରି ନାହିଁ ।

କମ୍ପାନୀର ଏମଡିଙ୍କୁ ଗତ ମେ ମାସରେ ଗିରଫ କରାଯାଇଥିବା ବେଳେ ସେ ଏବେ ଜେଲରେ । ଏନେଇ ଇଓଡବ୍ଲୁ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ସହ ଓପିଆଇଡି ଆକ୍ଟ ସେକ୍ସନ୍ ୬ ଲାଗିଛି ।

Leave A Reply

Your email address will not be published.