Latest Odisha News

BREAKING NEWS

ନିୟନ୍ତ୍ରଣ ବାହାରେ ମଣିପୁର, କାହିଁକି ରାଷ୍ଟ୍ରପତି ଶାସନ ଲାଗୁ କରୁ ନାହାନ୍ତି କେନ୍ଦ୍ର ସରକାର ?

ନୂଆଦିଲ୍ଲୀ: ମଣିପୁରରେ ମୈତଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭିତରେ ୨ ମହିଳାଙ୍କ ନଗ୍ନ ଛବି ଭାଇରାଲ୍ ହେବା ଭାରତକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି । ଭିଡିଓ ଭାଇରାଲ୍ ପରେ ମଣିପୁରରେ ଉତ୍ତେଜନା ଚରମରେ ପହଞ୍ଚି ଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନି ନିଆ ଯାଉଥିବା କହି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି ।

ମେ ୩ରୁ ମଣିପୁରରେ ହିଂସା ଲାଗି ରହିଥିବା ବେଳେ ଏବେ ସୁଦ୍ଧା ୧୨୦ରୁ ଅଧିକ ଜଣଙ୍କ ଜୀବନ ଯାଇଛି । ୫୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ହିଂସା ରୋକିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପ୍ରୟାସ କରିଥିବା ବେଳେ ଫଳ କିନ୍ତୁ ଶୂନ୍ ।

ମଣିପୁରରେ ସେନା ମୁତୟନ ହୋଇଥିବା ବେଳେ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ରହିଛି । ତଥାପି ମଣିପୁରରେ ହେଉଥିବା ଶାସନ ଓ ପ୍ରଶାସନ ଉପରେ ପ୍ରଶ୍ନ ଛିଡ଼ା କରିଛି । ଆଦିବାସୀ ସଂଗଠନ ଟିପର ମୋଥାର ମୁଖ୍ୟ ପ୍ରଦ୍ୟୁତ ଦେବ ବର୍ମନ କହିଛନ୍ତି, ମଣିପୁରରେ ପୋଲିସ-ପ୍ରଶାସନ ଉପରେ ଲୋକଙ୍କ ଭରସା ନାହିଁ ।

ଅନ୍ୟପଟେ ହିଂସାକୁ ୮୦ ଦିନ ବିତିବାକୁ ବସିଥିବା ବେଳେ ସ୍ଥିତି ସାମାନ୍ୟ ହେଉ ନଥିବାରୁ ବିରୋଧୀ, କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଇସ୍ତଫା ଦାବି କଂଗ୍ରେସ କରିବା ସହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ।

୨ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ ଅତ୍ୟାଚାର ଭିଡିଓ ଭାଇରାଲ୍ ମଣିପୁରରେ ପୁଣି ନିଆଁ ଜାଳିଥିବା ବେଳେ ପୁଣି ଥରେ ଆରମ୍ଭ ହୋଇଛି ପ୍ରତିବାଦ । ଏତେ ସବୁ ପରେ ପ୍ରଶ୍ନ ଉଠୁଛି କାହିଁକି କେନ୍ଦ୍ର ସରକାର ହିଂସାକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ।

ମଣିପୁର ହିଂସା ଓ ଭିଡିଓ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି, ଏହା ସମ୍ବିଧାନର ଅପମାନ । ଯଦି ସରକାର ମଣିପୁର ହିଂସାର ଏହି ମାମଲା ପ୍ରତି ଠୋସ୍ ପଦକ୍ଷେପ ନ ନେବେ ତାହେଲେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ।

ମଣିପୁର ହିଂସା ପରେ ସେନା ଓ କେନ୍ଦ୍ରୀୟ ବଳର ୪୦ ହଜାର ଯବାନ ମୁତୟନ ହୋଇଛନ୍ତି । ହିଂସା ରୋକିବାକୁ ଜାଗା ଜାଗାରେ ଚେକ୍ ପୋଷ୍ଟ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ନିଜେ ସ୍ଥିତି ପରଖିବା ସହ ତିନି ତିନିଥର ବୈଠକ କରିଛନ୍ତି । ହିଂସା ପରେ ମଣିପୁର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ବଦଳି କରାଯାଇଛି । ୪୦ ଆଇପିଏସଙ୍କୁ ମଣିପୁର ପଠାଯାଇଛି । ତଥାପି ସ୍ଥିତି ଯେମିତି ସେମିତି ଅଶାନ୍ତ ରହିଛି ।

Leave A Reply

Your email address will not be published.