Latest Odisha News

BREAKING NEWS

ଜାନୁଆରୀ ୨୬ ଆଦିବାସୀ ମେଳା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ସଜେଇ ହେଲାଣି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୪ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟସିଟି ବାସୀ ।

ଆସନ୍ତା ଜାନୁଆରୀ ୨୬ରୁ ଫେବୃଆରୀ ୫ ଯାଏଁ ଭୁବନେଶ୍ବର ୟୁନିଟ ୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ବହୁପ୍ରତିକ୍ଷିତ ବାର୍ଷିକ ଆଦିବାସୀ ମେଳା -୨୦୨୪ । ୨୨ଟି ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା ବା ITDAs, ୧୭ଟି ସୁକ୍ଷ୍ମ ପରିଯୋଜନା କ୍ଷେତ୍ର ବା MPAs ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ଦ୍ବିପହର ୨.୩୦ରୁ ରାତି ୯ଟା ଯାଏ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଜାନୁଆରୀ ୨୬ରୁ ଫେବୃଆରୀ ୧ ଯାଏ ୩୯ଟି ସାଂସ୍କୃତିକ ଗୋଷ୍ଠୀ ସୁନ୍ଦର ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଜାନୁଆରୀ ୩୦ରେ ଭଜନ ସନ୍ଧ୍ୟା ଏବଂ ଫେବୃଆରୀ ୨ରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ସାଂସ୍କୃତିକ ସଙ୍ଗଠନର ଏକ ନାଟକ ଆୟୋଜିତ ହେବ। ସେହିଭଳି ଫେବୃଆରୀ ୩ ରୁ ୫ମଧ୍ୟରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଦ୍ବାରା ବହୁଭାଷୀ ନାଟକ ଆୟୋଜିତ ହେବ ।

ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ବାର୍ଷିକ ଆଦିବାସୀ ମେଳା । ଏହା ରାଜ୍ୟ ରାଜଧାନୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆକର୍ଷିତ କରିଥାଏ । ଆଦିବାସୀ ଜୀବନ, ମାନବ ବିଜ୍ଞାନକୁ ପ୍ରଦର୍ଶିତ  କରି କୃଷିଜାତ ଦ୍ରବ୍ୟ, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ଏକ ବଜାର ଯୋଗାଇଥାଏ । ଏହି ମେଳାରେ ସୁନ୍ଦର ଆଦିବାସୀ ନୃତ୍ୟ, ଆଦିବାସୀ ଭାଷାରେ ବହୁଭାଷୀ ନାଟକ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ସାଂସ୍କୃତିକ ସଙ୍ଗଠନ ଏବଂ ଭଜନ ସନ୍ଧ୍ୟା ଭଳି କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ଏହି ମେଳାର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ବିଭିନ୍ନ ପ୍ରକାରର ଆଦିବାସୀ ଗାଁ ଓ ହାଟ, ଯାହା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କ ଜୀବନଶୈଳୀ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ଚଳିତ ବର୍ଷ ଆଦିବାସୀ ହାଟରେ ପ୍ରମୁଖତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡି ଭୁୟାଁ, ଖରିଆ ଏବଂ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଏବଂ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟ ଯୋଗ ଦେବେ ।

୧୯୫୧ ମସିହାରୁ ଏହି ମେଳା କଟକରେ ଅନୁଷ୍ଠିତ ହେଉଥିବାବେଳେ ୧୯୫୪ ମସିହାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା । ଭୁବନେଶ୍ବରର ୟୁନିଟ୍ -୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ୨୦୧୮ରୁ ଭୁବନେଶ୍ବର ୟୁନିଟ ୩ସ୍ଥିତ IDCO ପ୍ରଦର୍ଶନୀ ପଡିଆକୁ ସ୍ଥାନାନ୍ତରିତ ହୋଇଥିଲା । ଚଳିତ ବର୍ଷ ଏହା ପୁଣି ମୂଳ ସ୍ଥାନକୁ ଫେରି ଆସିଛି। ଆଦିବାସୀ ଭାଷା ଏବଂ ସଂସ୍କୃତି ଏକାଡେମୀ (ATLC) ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଥମେ ଏକ ସପ୍ତାହ ଧରି ହୋଇଥିଲା । ୨୦୧୦ ପରେ ଏହାର ଲୋକପ୍ରିୟତା ହେତୁ ଏହି ମେଳାକୁ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

 

 

Leave A Reply

Your email address will not be published.