Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…
କପିଳାଶ: ବିହାର ଜମୁଇ ପରେ ଏବେ ଓଡିଶାରେ ସମାନ ଘଟଣା! କାହିଁକି ଦିନକୁ ଦିନ ମଣିଷ ଭିତରେ ମରିଯାଉଛି ମାନବିକତା? ପଶୁ ଭଳି କରୁଛି ହିଂସ୍ର ବ୍ୟବହାର? ଢେଙ୍କାନାଳରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଛାଟିଆ ରାସ୍ତାରେ ଜଣେ ଯୁବତୀ ଓ ତାଙ୍କ ସହ ଥିବା ଯୁବକଙ୍କୁ ଅଟକାଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ଯୁବତୀ ଓ ଯୁବକ ମୋଟରସାଇକେଲ୍ରେ କପିଳାଶ ପାହାଡ଼ରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ଅଭିମୁଖେ ଯାଉଥିଲେ। ଏହି ସମୟରେ ରାସ୍ତାରେ କିଛି ଲୋକ ସେମାନଙ୍କୁ ଅଟକାଇଥିବା ଭିଡିଓରେ ଦେଖାଯାଉଛି। ଯୁବକଙ୍କ ସହ ମାଡ଼ପିଟ୍ ହେଉଥିବା ବେଳେ ଯୁବତୀ ମଧ୍ୟ ସହାୟତା ପାଇଁ ଡାକୁଥିବା ଶୁଣାଯାଉଛି। ଯାହା ପୁଣି ଥରେ ଇଣ୍ଟରନେଟକୁ ବ୍ୟଥିତ କରିଛି ।
ଭିଡିଓଟି ସାମ୍ନାକୁ ଆସିବା ପରେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛି। ଗୋଣ୍ଡିଆ ଥାନାରେ ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଢେଙ୍କାନାଳ ଏସ୍ପି ଅଭିନବ ସୋନକର କହିଛନ୍ତି, ଭାଇରାଲ୍ ଭିଡିଓକୁ ଆଧାର କରି ତଦନ୍ତ ଚାଲିଛି। ଅଟକ ଦୁଇ ଜଣଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିଲେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାରେ ଆଉ କେହି ସାମିଲ ଥିଲେ କି ନାହିଁ, ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି। ତେବେ ଭାଇରାଲ୍ ଭିଡିଓର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ତେବେ ଏହି ଘଟଣା ପୂର୍ବରୁ କିଛି ଦିନ ତଳେ ବିହାରର ଜମୁଇରେ ଘଟିଥିବା ଏକ ସମାନ ଅଭିଯୋଗକୁ ନେଇ ମଧ୍ୟ ଦେଶ ସାରା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଏକ ଘଟଣା ନେଇ ଅନେକ ଲୋକ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଜମୁଇ ଘଟଣାରେ ମଧ୍ୟ ରାସ୍ତାରେ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକାଇ ହଇରାଣ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଥିଲା। ସେଠାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି ।
ଜମୁଇ ଘଟଣାର କିଛି ଦିନ ପରେ ଓଡ଼ିଶାରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ରାସ୍ତାରେ ଯାଉଥିବା ଲୋକଙ୍କ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ସମ୍ମାନକୁ ନେଇ ବଡ଼ ପ୍ରଶ୍ନ ଉଠିଛି।

