ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା ‘ପାଠ୍ୟପୁସ୍ତକ ମହାବିଭ୍ରାଟ’ ମାମଲାରେ କ୍ରାଇମବ୍ରାଞ୍ଚର ଶିକାରୀ କୁକୁର ଏବେ ଅସଲ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କ ଗିରଫଦାରୀ ପରେ, ଏବେ ତଦନ୍ତର ବ୍ୟାପକତା ବଢ଼ିବାରେ ଲାଗିଛି। ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ସିଧାସଳଖ SCERT କାର୍ଯ୍ୟାଳୟରେ ଡେରା ପକାଇ ତନାଘନା ଆରମ୍ଭ କରିଛନ୍ତି।
କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ଏହି ମାମଲାରେ ସମ୍ପୃକ୍ତ ନିଲମ୍ବିତ ସହକାରୀ ନିର୍ଦ୍ଦେଶକ ପର୍ଲିପ୍ତ ଦାସ, ଦିଲୀପ ସାହୁ ଏବଂ ଭାରତୀ ଟୁଡୁଙ୍କୁ SCERT କାର୍ଯ୍ୟାଳୟରେ ହିଁ ମୁହାଁମୁହିଁ ଜେରା କରୁଛନ୍ତି। ଟେଣ୍ଡର ପ୍ରକ୍ରିୟାଠାରୁ ଆରମ୍ଭ କରି କମିଟି ଗଠନ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ତଦନ୍ତକାରୀ ଟିମ୍ ନିଜ ଅଧୀନକୁ ନେଇ ଯାଞ୍ଚ କରୁଛନ୍ତି।
ସୂଚନା ମୁତାବକ, ମନୋଜ ପାଢ଼ୀଙ୍କ ଅବହେଳା ଓ ଷଡ଼ଯନ୍ତ୍ର ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଛି। ଜେରା ବେଳେ ଯେତେବେଳେ ପ୍ରମାଣ ସବୁ ମନୋଜଙ୍କ ବିରୋଧରେ କହିଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ନିରୁତର ରହିଥିଲେ। ତେବେ ଏହି ସ୍କାମ୍ ସେ ଏକୁଟିଆ କରିଛନ୍ତି ନା ଏହା ପଛରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି, ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଚଳାଇଛି।
ଏହି ପୂରା ବହି ଛପା ଓ ପ୍ରକ୍ରିୟାରେ ୨୦୦ରୁ ଅଧିକ ଲୋକ ସାମିଲ ଥିବା ଜଣାପଡ଼ିଛି। ସମସ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ପୁସ୍ତକ ସମୀକ୍ଷା କମିଟିର ସଦସ୍ୟ, ସରକାରୀ ପ୍ରକାଶନ ସଂସ୍ଥାର କର୍ମଚାରୀ ଏବଂ ବେସରକାରୀ ପ୍ରିଣ୍ଟର୍ସମାନେ କ୍ରାଇମବ୍ରାଞ୍ଚର ଟାର୍ଗେଟରେ ଅଛନ୍ତି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ଅନେକ ବଡ଼ ମୁଣ୍ଡ ଗଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
Comments are closed.