ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ଦିମାଗୀ ନକ୍ସଲ’ ବୟାନ ଏବେ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସଶସ୍ତ୍ର ନକ୍ସଲବାଦ ସମାପ୍ତ ହେବାକୁ ଯାଉଥିବା ବେଳେ, ‘ଦିମାଗୀ ନକ୍ସଲ’ ଚିନ୍ତାଧାରା ରଖୁଥିବା କିଛି ଲୋକ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ଏହି ମନ୍ତବ୍ୟର ପ୍ରତିକ୍ରିୟା ସ୍ୱରୂପ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଏବେ ‘ଦିମାଗୀ ନକ୍ସଲ ଜନତା ପାର୍ଟି’ ନାମକ ଏକ ନୂଆ ଆକାଉଣ୍ଟ ସାମ୍ନାକୁ ଆସିଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ନୂତନ ପାରୋଡି ଆକାଉଣ୍ଟକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କ ଭଳି ତୁଙ୍ଗ ରାଜନେତାମାନେ ଫଲୋ କରୁଛନ୍ତି । ଏହାବ୍ୟତୀତ ଅଭିନେତା ପ୍ରକାଶ ରାଜ ଏବଂ ଅନେକ ଜଣାଶୁଣା ୟୁଟ୍ୟୁବର୍ ମଧ୍ୟ ଏହି ତାଲିକାରେ ଅଛନ୍ତି। ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିବିଶେଷଙ୍କ ପୋଷ୍ଟକୁ ଏହି ଆକାଉଣ୍ଟରୁ ଲଗାତାର ରି-ପୋଷ୍ଟ କରାଯାଉଛି।
ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ନିନ୍ଦା କରିଛନ୍ତି। ନିକଟରେ ଚର୍ଚ୍ଚାକୁ ଆସିଥିବା ‘କକରୋଚ୍ ଜନତା ପାର୍ଟି’ର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସରକାରଙ୍କୁ କେବଳ ପ୍ରଶ୍ନ କରୁଥିବା ଶିକ୍ଷିତ ଯୁବବର୍ଗଙ୍କୁ ‘ନକ୍ସଲ’ ଆଖ୍ୟା ଦେବା ସରକାରଙ୍କ ଅହଂକାରକୁ ଦର୍ଶାଉଛି। ସେହିପରି କଂଗ୍ରେସ, ସିପିଆଇ, ସିପିଆଇ (ଏମ୍) ଏବଂ ଟିଏମ୍ସି ନେତାମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ବିଫଳତା ଲୁଚାଇବା ପାଇଁ ଏବଂ ବିରୋଧୀ ସ୍ୱରକୁ ଚାପି ଦେବା ପାଇଁ ବୁଦ୍ଧିଜୀବୀ ଓ ଆନ୍ଦୋଳନକାରୀଙ୍କ ଉପରେ ଏଭଳି ଆକ୍ଷେପ କରାଯାଉଛି ।
ପୂର୍ବରୁ ‘ଅର୍ବାନ ନକ୍ସଲ’, ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ ଭଳି ଶବ୍ଦକୁ ନେଇ ବିବାଦ ଦେଖାଦେଇଥିବା ବେଳେ, ଏବେ ‘ଦିମାଗୀ ନକ୍ସଲ’ ଶବ୍ଦ ଭାରତୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଜନ୍ମ ନେଇଥିବା ଏହି ‘ଦିମାଗୀ ନକ୍ସଲ ଜନତା ପାର୍ଟି’ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ଏକ ଡିଜିଟାଲ୍ ଆନ୍ଦୋଳନର ରୂପ ନେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।
