Latest Odisha News

BREAKING NEWS

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି।

ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ ବୈଠକ ଆୟୋଜନ ହୋଇଥିଲା । ହେଲେ ଏହି ବୈଠକକୁ ଡକାଯାଇନଥିଲା ଅଖିଳେଶ ଯାଦବଙ୍କ କାକା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ ମୁଖ୍ୟ ଶିବପାଲ ଯାଦବଙ୍କୁ । ଅନ୍ୟପଟେ ୟୁପି ନିର୍ବାଚନରେ ମେଣ୍ଟର ପରାଜୟର କାରଣ ଜାଣିବା ପାଇଁ ଡକାଯାଇଥିବା ବୈଠକରେ ସହଯୋଗୀ ‘ମହାନ ଦଳ’କୁ ଡକାଯାଇନଥିଲା।

ଏପରିକି ସିରାଥୁ ଆସନରୁ ବିଜେପି ପ୍ରାର୍ଥୀ କେଶବ ମୌର୍ଯ୍ୟାଙ୍କୁ ଏସପିର ସାଇକେଲ ଚିହ୍ନରେ ନିର୍ବାଚନ ଲଢ଼ିଥିବା ଅପନା ଦଳ ନେତ୍ରୀ ପଲ୍ଲବୀ ପଟେଲ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ। ସେ ବୈଠକରେ ଯୋଗ ଦେଇନଥିବାର କାରଣ ଏସପି ପକ୍ଷରୁ ବୈଠକକୁ ନେଇ ହୋଇଥିବା ଟୁଇଟ୍ ବୋଲି ଜଣାପଡିଛି । ଏହି ଟୁଇଟରେ ଅପନା ଦଳର ନାଁ ନଥିଲା । ତେଣୁ ପଲ୍ଲବୀ ବୈଠକରୁ ଦୂରେଇ ରହିଥିଲେ। ମାତ୍ର ୪ଟି ଦଳକୁ ଏସପି ନିମନ୍ତ୍ରଣ କରିଥିଲା।

ନିକଟରେ ଶେଷ ହୋଇଥିବା ୟୁପି ନିର୍ବାଚନରେ ଏସପି ମେଣ୍ଟ ୧୨୫ଟି ଆସନରେ ବିଜୟୀ ହୋଇଛି। ଏସପିକୁ ୧୧୧ଟି ଆସନ ମିଳିଥିବା ବେଳେ ଆରଏଲଡି ସମେତ ଅନ୍ୟ ସହଯୋଗୀ ଦଳକୁ ଆଠଟି ଓ ଏସବିଏସପିକୁ ଛଅଟି ଆସନ ମିଳିଛି। ତେବେ ମହାନ ଦଳର କୌଣସି ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି ।

ବୈଠକକୁ ଡକାନହେବା ପରେ ଅସନ୍ତୁଷ୍ଟ ଶିବପାଲ ଯାଦବ ମଙ୍ଗଳବାର ଦିଲ୍ଲୀରେ ବଡ଼ ଭାଇ ତଥା ଏସପିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି । ଏହାପରେ ସେ ଇଟାଓ୍ୱା ଫେରି ଆସିଥିଲେ। ଶିବପାଲ ଠିକ୍ ସମୟରେ ଏ ପ୍ରସଙ୍ଗରେ ମୁହଁ ଖୋଲିବେ ବୋଲି ଆଭାସ ଦେଇଛନ୍ତି । ଶିବପାଲ କହିଛନ୍ତି ଯେ ସେ ଜଣେ ଏସପି ବିଧାୟକ ଯିଏକି ଏସପିର ସାଇକେଲ ଚିହ୍ନରେ ଯଶବନ୍ତନଗର ଆସନରୁ ନିର୍ବାଚନ ଲଢି ଜିତିଛନ୍ତି । ତେଣୁ ତାଙ୍କୁ ଏସପି ବିଧାୟକ ଦଳ ବୈଠକକୁ ନିମନ୍ତ୍ରଣ କରାଯିବା ଉଚିତ୍ ଥିଲା।

ଉଲ୍ଲେଖଯୋଗ୍ୟ, ଶିବପାଲଙ୍କୁ ତାଙ୍କ ପାରମ୍ପରିକ ଯଶବନ୍ତନଗର ଆସନରୁ ଏସପି ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାଧ୍ୟ କରାଯାଇଥିଲା । ସେ ୯୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। କିନ୍ତୁ ତାଙ୍କ ନିଜ ଦଳର ସମସ୍ତ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ଶିବପାଲ କହିଥିଲେ ସେ ତାଙ୍କ ବଡ଼ ଭାଇ ମୁଲାୟମଙ୍କ ପରାମର୍ଶକ୍ରମେ ନିଜ ଦଳର ଚିହ୍ନ ପରିବର୍ତ୍ତେ ସାଇକେଲ ଚିହ୍ନରେ ଲଢିଛନ୍ତି।

Leave A Reply

Your email address will not be published.