Latest Odisha News

ଦେଶରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଆକ୍ରମଣ କରିବାକୁ ଧମକ ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଅଲକାଏଦା ମୁମ୍ବାଇ, ଦିଲ୍ଲୀ ଓ ଅନ୍ୟ ସହର ଉପରେ କରିପାରେ ଆତଙ୍କବାଦୀ ଆକ୍ରମଣ । ମୁସଲିମ ଧର୍ମଗୁରୁଙ୍କ ଉପରେ ଜଣେ ମହିଳା ବିଜେପି ନେତ୍ରୀ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଜୁନ୍ 6 ତାରିଖରେ ଏକ ଚିଠି ଜରିଆରେ ଅଲ କାଏଦା ଗୁଜରାଟ, ୟୁପି, ମୁମ୍ବାଇ ଓ ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛି।

ଏହି ସବୁ ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରିବ ବୋଲି ଆତଙ୍କବାଦୀ ସଂଗଠନ କହିଛି। ଚିଠିରେ ଲେଖାଯାଇଛି, ଯେଉଁମାନେ ଆମ ଧର୍ମଗୁରୁଙ୍କୁ ଅପମାନିତ କରୁଛନ୍ତି ସେମାନଙ୍କୁ ଆମେ ହତ୍ୟା କରିବୁ ଏବଂ ଯେଉଁମାନେ ଆମ ଧର୍ମଗୁରୁଙ୍କୁ ଅପମାନିତ କରିବାକୁ ସାହସ କରୁଛନ୍ତି ସେମାନଙ୍କୁ ଉଡ଼ାଇ ଦେବା ପାଇଁ ଆମେ ଆମ ଦେହରେ ଏବଂ ପିଲାଙ୍କ ଦେହରେ ବିସ୍ଫୋରକ ବାନ୍ଧିବୁ।

ସେହିପରି ଯିଏ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ତାହା ସମଗ୍ର ବିଶ୍ୱର ମୁସଲମାନଙ୍କ ଭାବାବେଗକୁ ଆଘାତ ଦେଇଛି। ତାଙ୍କୁ କେବେ ଷମା ମିଳିବ ନାହିଁ। ସେମାନେ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି।

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ବହିଷ୍କୃତ ହେବା ପରେ ନୂପୁର ଶର୍ମା ଓ ତାଙ୍କ ପରିବାରକୁ ଦିଲ୍ଲୀ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ମଙ୍ଗଳବାର ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ହତ୍ୟା ଧମକ ଅଭିଯୋଗରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରିଥିଲା। ଶର୍ମା ଧମକ ଆସୁଥିବା ଦର୍ଶାଇ ପୁଲିସ ସୁରକ୍ଷା ମାଗିଥିଲେ। ଜଣେ ଅଧିକାରୀ କହିଛନ୍ତି, “ଶର୍ମା ଅଭିଯୋଗ କରିଥିଲେ ଯେ ତାଙ୍କୁ ଧମକ ମିଳୁଛି ଏବଂ ତାଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ହଇରାଣ କରାଯାଉଛି। ଏହା ପରେ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.