Latest Odisha News

ଲୋକ ଦେଖୁଥିଲେ ଲୁଟେରା ଛଡାଉଥିଲେ, ମୋବାଇଲ ପାଇଁ ୧୦୦ ମିଟର ଘୋଷାଡି ନେଲେ

ଭୁବନେଶ୍ୱର: ସହରରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ମାଡ ମାରିବା ସହ ମୋବାଇଲ ଛଡାଇବାକୁ ଘୋଷାଡି ନେଉଛନ୍ତି ରାସ୍ତାରେ। ଏପରିକି ମୋବାଇଲ ପାଇ ନେଇଯାଇଥାନ୍ତେ ଜୀବନ। କାରଣ ସହରରେ ଲୁଟେରା ପ୍ରବଳ ହେଲେ ପୋଲିସ ଦୁର୍ବଳ। ଲୁଟେରାକୁ ଚେକମେଟ ଦେବାରେ ପୋଲିସ ବିଫଳ। କାରଣ ବିଗତ କିଛି ଦିନ‌ ଧରି ସହରରେ ବେକାବୁ ହେଲାଣି ଅପରାଧ । ନା ଅପରାଧି ଧରାପଡୁଛନ୍ତି ନା ଅପରାଧରେ ବ୍ରେକ ଲାଗୁଛି।

ମାଳ ମାଳ ଲୁଟେରା ସହରରେ ଆତଙ୍କ ଖେଳାଉଛନ୍ତି । ଭିନ୍ନ ଭିନ୍ନ ତରିକାରେ ଲୁଟ କରି ଚମ୍ପଟ ମାରୁଛନ୍ତି । ଯାହାର ଶିକାର ହୋଇଛନ୍ତି ଜଣେ ଯୁବ ଇଞ୍ଜିନିୟର ମୁକେଶ କୁମାର ଷଡଙ୍ଗୀ । ଯେକି ଗତ ୭ ତାରିଖ ରାତିରେ ଅଫିସରୁ ଫେରୁଥିଲେ ନିଳାଦ୍ରି ବିହାର। ଆଚାର୍ଯ୍ୟ ବିହାର ପରେ ପ୍ଲାନେଟୋରିୟମ ସାମ୍ନାରେ ଆପୋଲ ହସପିଟାଲ ରାସ୍ତା କଡରେ ତାଙ୍କୁ ଆକ୍ରମଣ କଲେ ଦୁଇ ଯୁବକ।

ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କଲେ ପରେ ମାରି ମୋବାଇଲ ଛଡେଇଲେ। ହେଲେ ମୋବାଇଲ ନ ଛାଡିବାରୁ ଅଭିଯୋଗକାରୀକୁ ୧୦୦ ମିଟର‌ ପର୍ଯ୍ୟନ୍ତ ଘୋଷାଡି ନେଲେ । ପରେ ମୋବାଇଲ ନେଇ ଛୁ ମାରିଲେ। ଅଭିଯୋଗକାରୀ ମୁକେଶ ଷଡଙ୍ଗୀ କହିଛନ୍ତି ହୁଏତ ସେ ତାଙ୍କର ଜୀବନ ନେଇ ଯାଇଥାନ୍ତେ ।

ଏମିତି ଯଦି ହେବ କେମିତି ଲୋକ ବୁଲିବେ ସହରରେ। ଏପରିକି ଲୋକ ଦେଖୁଥିଲେ ବି କେହି ସାହାଯ୍ୟ କରୁନଥିଲେ । କାରଣ ରକ୍ତମୁଖା ଲୁଟେରା ହାତରେ ମାରଣାସ୍ତ୍ର ସହ ଦୁଇଜଣ ବାଇକରେ ଆସି ମୋବାଇଲ ନେଇ ଚମ୍ପଟ ମାରିଲେ। ଏନେଇ ସହିଦନଗର ଥାନାରେ ଜଣାଇବା ପରେ  ପୋଲିସ ପ୍ରଥମେ ହସପିଟାଲ ଯାଇ ରିପୋର୍ଟ ଆଣିବାକୁ କହିଥିଲେ। ପରେ ପୋଲିସରେ ଅଭିଯୋଗ ପରେ ସେମାନଙ୍କୁ ଖୋଜିବାକୁ ପୋଲିସ ପ୍ରୟାସ କରୁଥିବା କହିଥିଲେ।

Leave A Reply

Your email address will not be published.