Latest Odisha News

BREAKING NEWS

ହାତୀ ହତ୍ୟା ଘଟଣାରେ ଅଭିଯୁକ୍ତର ମୃତ୍ୟୁ, ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଠଗଡ଼: ରାଜ୍ୟରେ ପ୍ରତିମାଲ ବନ୍ୟଜନ୍ତୁଙ୍କ ମୃତ୍ୟୁ ଖବର ଆସୁଛି। ଅଧିକାଂଶ ହତ୍ୟାର ଶିକାର ହେଉଥିବାର ଅଭିଯୋଗ ରହିଛି। ଯେଉଁଥିରେ ବନ୍ୟ ସୁରକ୍ଷା ଅଧିକାରୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇପାରୁନଥିବା ବେଳେ ଆଠଗଡରେ ନିକଟରେ ହୋଇଥିବା ହାତୀ ହତ୍ୟା ଘଟଣାର ଅଭିଯୁକ୍ତକୁ କଟକ ଆଠଗଡ ବଡମ୍ବା ରେଞ୍ଜର ଉଠାଇ ନେଇ ଜେରା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। କିଭଳି ହେପାଜତରେ ଥିବା ବେଳେ ଅଭିଯୁକ୍ତ ଧନେଶ୍ବର ବେହେରାଙ୍କ (୫୯) ମୃତ୍ୟୁ ହେଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ। ପୋଲିସ ଏହି ମାମଲାରେ ରେଞ୍ଜରଙ୍କ ସମେତ ୧୦ ଜଣଙ୍କୁ ଉଠାଇ ନେଇ ଜେରା କରୁଥିବା ବେଳେ ମୃତକଙ୍କ ଗାଁ ଲୋକେ ରାସ୍ତାରେ ଶବ ରଖି କ୍ଷତିପୂରଣ ଦାବିରେ ପ୍ରତିବାଦ କରିଥିଲେ। ଯାହା ପୂରଣ ହୋଇଥିବା ସୂଚନା ରହିଛି।

ଅଟକ ଥିବା ଦୁଇ ଏସିଏଫ୍  ଘନାଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକ ଏବଂ ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଅନ୍ୟମାନେ ପୋଲିସ ଦ୍ୱାରା ଅଟକ ରହିଛନ୍ତି।

ସୂଚନାନୁସାରେ, ସାତଗୋଛିଆ ଗାଁର ବାସିନ୍ଦା ଧନେଶ୍ୱର ବେହେରାଙ୍କୁ ଏକ ହାତୀକୁ ହତ୍ୟା କରିବା ଅଭିଯୋଗରେ ବନ ଅଧିକାରୀ ଉଠାଇ ନେଇଥିଲେ। ଜାନୁଆରୀ ୩୧ରେ ବଡମ୍ବା ପରିସର ଅନ୍ତର୍ଗତ ହାତୀର ଗଳିତ ଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବନ ବିଭାଗ ଅଧିକାରୀ ଧନେଶ୍ୱରଙ୍କୁ ଉଠାଇ ନେଇଥିଲା। ତେବେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ସଦସ୍ୟ ସହକର୍ମୀ ଗ୍ରାମବାସୀଙ୍କ ସହ ନ୍ୟାୟ ଦାବିରେ ବଡ଼ ବାରସାହି ଛକରେ ରାସ୍ତା ଅବରୋଧ କରିଥିଲେ।

ଏ ସମ୍ପର୍କରେ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆଠଗଡ଼କୁ ଜଣେ କଞ୍ଜର୍ଭର ପାହ୍ୟାର ଅଧିକାରୀଙ୍କୁ ପଠାଯାଇଛି ବୋଲି କହିଛନ୍ତି। ଯିଏକି ଘଟଣାର ତଦନ୍ତ କରିବେ। ତଦନ୍ତ ନିରପେକ୍ଷ ହେବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଏ ନେଇ ସେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଯଦି ଥାର୍ଡ ଡିଗ୍ରୀ ଅଭିଯୋଗ ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଘଟଣାସ୍ଥଳରେ ଆଠଗଡ଼ ଏସପି ବିଜୟ ବିଶି ଓ ବଡମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ ଚାକିରି ସହିତ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଥିବା ସୂଚନା ରହିଛି। ଏହାପରେ ରାସ୍ତା ରୋକ ହଟିଥିଲା ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଗାଁ ଲୋକଙ୍କ ନଜର ପଡିବା ପୂର୍ବରୁ ଦୁଇ ଦିନ ଧରି ଜଙ୍ଗଲରେ ହାତୀର ମୃତଦେହ ପଡିରହିଥିବା ଅଭିଯୋଗ ହୋଇଥିଲା। ଜଙ୍ଗଲ ଭିତରକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଗ୍ରାମବାସୀ ହାତୀଟିକୁ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ବଡମ୍ବା ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଶବକୁ ପୋତି ଦେବା ପୂର୍ବରୁ ସମସ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରି ବ୍ୟବଚ୍ଛେଦ କରିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ନରସିଂହପୁର ଓ ବଡମ୍ବାରୁ ୪ଟି ଲେଖାଏଁ ହାତୀର କଙ୍କାଳ ଉଦ୍ଧାର ହୋଇଥିଲା ଯାହା ବେଧଡ଼କ ଶିକାର ହେଉଥିବା କଥା କହୁଛି।

 

 

Leave A Reply

Your email address will not be published.