Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୧୦ ତାରିଖରୁ ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ବାବଦରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହି ବୈଠକରେ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା, ହେଲିପ୍ୟାଡ୍, ହେଲିପ୍ୟାଡ୍, ରାସ୍ତାଘାଟର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳ ଓ ରାଜଭବନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ପୁଲିସ କମିସନର କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ରାଷ୍ଟ୍ରପତିଙ୍କ ଗସ୍ତ କିପରି ଭଲରେ ଶେଷ ହେବ ସେନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଆସିବା ଓ ଫେରିବା ସମୟରେ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସ୍ଏଫର ଯବାନମାନେ ମୁତୟନ ରହିବେ। ରାଷ୍ଟ୍ରପତି ଯେଉଁ ରାସ୍ତାରେ ଯିବେ ସେହି ରାସ୍ତାରେ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ପୋଲିସ କମିସନର କହିଛନ୍ତି। ମୁର୍ମୁଙ୍କ ଗସ୍ତ ପୂର୍ବରୁ ଫୁଲ ଡ୍ରେସ ରିହରସଲ ମଧ୍ୟ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତ ସମୟରେ କେତେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ସେ ନେଇ ପୋଲିସ କମିସନର କହିଛନ୍ତି ଯେ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ଉପରେ କାମ କରାଯାଉଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ ହେବ। ଶେଷ ଥର ପାଇଁ ସେ ୨୦୨୨ ନଭେମ୍ବର ୧୦ରେ ଓଡ଼ିଶା ଆସିଥିଲେ ଏବଂ ଦୁଇ ଦିନ ରହିଥିଲେ।

 

 

Leave A Reply

Your email address will not be published.