Latest Odisha News

BREAKING NEWS

ଅମିତ ଶାହା ଫେକ୍ ଭିଡିଓ ମାମଲା: ଆସନ୍ତାକାଲି ରେବନ୍ଥ ରେଡ୍ଡୀଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଡିଟେଡ ଭିଡିଓ ମାମଲାରେ ତଦନ୍ତ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ମାମଲାର ତଦନ୍ତ ପରିସର ବୃଦ୍ଧି ପାଇଛି। ତେଲେଙ୍ଗାନାର ୫ ନେତାଙ୍କୁ ପୂର୍ବରୁ ନୋଟିସ ଦିଆଯାଇଛି। ଏହି ନକଲି ଭିଡିଓ ମାମଲାରେ ଅନେକ ରାଜ୍ୟର ଲୋକ ଜଡିତ ଅଛନ୍ତି। ଦିଲ୍ଲୀ ପୋଲିସର ଆଇଏଫ୍ଏସଓ (IFSO) ୟୁନିଟ୍ ରାଞ୍ଚି, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ୭ ରୁ ୮ ଟି ରାଜ୍ୟରେ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହିତ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି।

ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ବ୍ୟତୀତ ତେଲେଙ୍ଗାନା କଂଗ୍ରେସର ଅନ୍ୟ ୫ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଏହି ନକଲି ଭିଡିଓ ଭାଇରାଲ ହେଉଥିବା ନେଇ ଥାନାରେ ମାମଲା ହେବା ପରେ ତଦନ୍ତ କଡ଼ାକଡ଼ି କରାଯାଇଛି। ଆରକ୍ଷଣକୁ ନେଇ ଅମିତ ଶାହା ବିବାଦୀୟ ବୟାନ ରଖିଥିବା ଏହି ଭିଡିଓ ନକଲି ବୋଲି କହି ମାମଲା ଦାୟର ହୋଇଛି । ଆସନ୍ତା ମେ ୧ ତାରିଖରେ ପଚରାଉଚରା ପାଇଁ ରେବନ୍ଥ ରେଡ୍ଡୀଙ୍କୁ ସମନ୍ କରାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନିଜ ଫୋନ୍ ଆଣିବାକୁ ମଧ୍ୟ କୁହାଯାଇଛି । ଏହା ପରେ ତଦନ୍ତ ଆହୁରି ଆଗକୁ ବଢିବ। ସମସ୍ତଙ୍କୁ ସେମାନଙ୍କ ମୋବାଇଲ୍, ଲାପଟପ୍ ଆଣିବାକୁ କୁହାଯାଇଛି।

ଅମିତ ଶାହାଙ୍କ ସହ ଜଡିତ ନକଲି ଭିଡିଓ ସମ୍ପର୍କରେ ସୋମବାର ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀ ପୋଲିସର ବହୁ ବରିଷ୍ଠ ଅଧିକାରୀ ଜଡିତ ଥିଲେ। ଏହି ବୈଠକରେ ସାଇବର ୱିଙ୍ଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଏକ ବିଜ୍ଞପ୍ତି ଜାରି କରାଯିବ ଯାହା ମାଧ୍ୟମରେ ଶାହାଙ୍କ ନକଲି ଭିଡିଓ ସେୟାର କରାଯାଇଛି ଏବଂ ଦିଲ୍ଲୀ ପୋଲିସ ଏହାକୁ ପଚରାଉଚରା କରିବ।

ସୂଚନା ଥାଉକି ନିକଟରେ ଅମିତ ଶାହାଙ୍କ ଭାଷଣର ଏକ ଫେକ୍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଭିଡିଓରେ ଅମିତ ଶାହା କହୁଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି ସରକାର ଗଠନ କରେ ତାହାଲେ ଅସମ୍ବିଧାନିକ ଏସସି, ଏସଟି ଓ ଓବିସି ସଂରକ୍ଷଣକୁ ସମାପ୍ତ କରିଦିଆଯିବ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଥିଲା । ବିଜେପି ଏହାକୁ ନେଇ ତେଲେଙ୍ଗାନା କଂଗ୍ରେସ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଥିଲା । ଅମିତ ଶାହାଙ୍କ ଭିଡିଓକୁ ବିକୃତ କରି ଦର୍ଶାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏଥିପାଇଁ ହିଂସା ସୃଷ୍ଟି ହୋଇପାରେ ବୋଲି ଅଭିଯୋଗ ହୋଇଥିଲା । ରେବନ୍ଥ ରେଡ୍ଡୀ ନିଜ ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓ ସେୟାର କରିଥିଲେ । ଅମିତ ଶାହାଙ୍କ ସମେତ ଅନ୍ୟ ନେତାଙ୍କ ଭିଡିଓ ମଧ୍ୟ ସେୟାର କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏଥିପାଇଁ ରେବନ୍ଥ ରେଡ୍ଡୀଙ୍କୁ ନୋଟିସ୍ କରିଛି ଦିଲ୍ଲୀ ପୋଲିସ୍ ।

Leave A Reply

Your email address will not be published.