ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ ଉଦ୍ୟମ କରୁଛନ୍ତି।
ଏଭଳି ସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ଶାହା ମିଥିଲାଞ୍ଚଳ ଝଂଝାରପୁରରେ ସଭା କରିଛନ୍ତି। ଏହି ବିଶାଳ ଜନସଭାରେ ଶାହା ବିହାରର ମେଣ୍ଟ ସରକାର ଓ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି।
ସନାତନ ଧର୍ମ ବିରୋଧରେ ମନ୍ତବ୍ୟ, ରାମଚରିତ ମାନସକୁ ଅସମ୍ମାନ ଓ ଜନ୍ମାଷ୍ଟମୀ ଛୁଟି ଆଦିକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ଶାହା। ବିରୋଧୀଙ୍କର ଏହା ତୁଷ୍ଟିକରଣ ରାଜନୀତି ବୋଲି କହିଛନ୍ତି ଶାହା।
ଏବେ ବିହାରର ରାଜନୈତିକ ସମୀକରଣ ବଦଳିଛି। ତେଣୁ ବିଜେପି ଝଂଝାରପୁର ଅଞ୍ଚଳରେ ୫ ଟି ଲୋକସଭା ଓ ୩୦ ଟି ବିଧାନସଭା ସିଟରେ ଭଲ ପ୍ରଦର୍ଶନ ପାଇଁ ବିଜେପି ଏହି ସ୍ଥାନରେ ଅମିତ ଶାହାଙ୍କ ସଭା କରିଥିବା କୁହାଯାଉଛି।
କିନ୍ତୁ ସେପଟେ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶାହାଙ୍କ ଗସ୍ତ ଡରର ପ୍ରତିଫଳନ ବୋଲି କହିଛନ୍ତି। ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଓ ବିକାଶ ପାଇଁ ପ୍ୟାକେଜ ଦେବା ଦରକାର ବୋଲି ସେ କହିଛନ୍ତି।
ତେଣୁ ବିହାରକୁ ନେଇ ଏବେ ଜାତୀୟ ରାଜନୀତି ଚଳଚଂଚଳ ହୋଇଛି। ବିହାର ଉପରେ ବିଜେପି ଫୋକସ କରିବା ସହ ପରିବର୍ତିତ ପରିସ୍ଥିତିରେ କିଭଳି ଇଣ୍ଡିଆ ମେଣ୍ଟକୁ ବିହାରରେ ଝଟକା ଦେଇହେବ ସେ ନେଇ ଉଦ୍ୟମ ଜୋରଦାର କରୁଛି।
ସେପଟେ ବିରୋଧୀ ମେଣ୍ଟକୁ ଏକାଠି କରିବା ସହ ଏହାକୁ ଆଗକୁ ନେବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ନୀତିଶ ଓ ତେଜସ୍ୱୀଙ୍କ ପାଇଁ ବିହାର ବିଜୟ ଏକ ସମ୍ମାନ ଭାବେ ଉଭା ହୋଇଛି। ଯେଉଁଠି ୪୦ ଟି ଲୋକସଭା ସିଟରେ ଭଲ ପ୍ରଦର୍ଶନ ସହ ସର୍ବାଧିକ ସିଟରେ ଜିତିବା ପାଇଁ ଇଣ୍ଡିଆ ମେଣ୍ଟ ସବୁ ଶକ୍ତି ଖଟାଉଛି। ତେଣୁ ଅମିତ ଶାହାଙ୍କ ଗସ୍ତ ଏସବୁକୁ କେତେ ମାତ୍ରାରେ ପ୍ରଭାବିତ କରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.