ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ ଅନ୍ତହୀନ ଶୂନ୍ୟତାର ଅନନ୍ତ ଚିତ୍ର । କାହା ମୁହଁରେ ଭାଷା ନାହିଁ । ଘରେ ଘରେ ବନ୍ଦୀଶାଳା । ମନୁଷ୍ୟ ନିଜେ ନିଜର ଚାରିକାନ୍ଥ ଭିତରେ ବନ୍ଦୀ । ଅଦୃଶ୍ୟ ମୃତ୍ୟୁଦୂତ ସନ୍ତର୍ପଣରେ ପାଦ ପକାଇ ପଶିଯାଉଛି ମଣିଷର ମଞ୍ଜ ଭିତରେ । ଦୋହଲାଇ ଦେଉଛି ଆତ୍ମସତ୍ତାକୁ । ଅକ୍ତିଆର କରୁଛି ଚିନ୍ତା ଚେତନାକୁ । କବଳିତ କରିନେଉଛି ଜୀବନ ଜୀବନାନ୍ତରର ସଂପର୍କ, ସ୍ନେହ, ସଦିଚ୍ଛା ଓ ସଂଚିତ ସମ୍ଭାବନାକୁ । ଏବେ ନଗ୍ରେ ନଗ୍ରେ ଏରକାର ବନ, ଦେଶେ ଦେଶେ ରକ୍ତନଦୀ ସନ୍ତରଣ ।

ଏ ସବୁ କଣ ତମେ ଦେଖିପାରୁନ ପ୍ରଭୁ? ହେ ବଳୀୟାରଭୁଜ, ହେ କାଳିଆ ସାଆନ୍ତ, ହେ ଚତୁର୍ଦ୍ଧାମୂରତି, ହେ ପତିତପାବନ, ହେ ଆର୍ତ୍ତତ୍ରାଣ ମହାବାହୁ .. କେମିତି ସହୁଛ ତମେ ଭକ୍ତପ୍ରାଣ ଦୀନବନ୍ଧୁ? ଚାରିଆଡେ ସମସ୍ତେ ଉର୍ଦ୍ଧ୍ୱବାହୁ .. ପ୍ରଳୟ ପୟୋଧି ଜଳେ ନିର୍ନିମେଷ ନୟନରେ ସମସ୍ତେ ଡାକୁଛନ୍ତି ପ୍ରଭୁ, ତୁମେ ହିଁ ତ ଜଗତଉଦ୍ଧାରକ, ଜୀବନ ଦାୟକ ପ୍ରଭୁ, ଏବେ ତ ଅନ୍ତତଃ ଆସ, ଏ ଭବ ସାଗରରୁ ତାରଣ କରିବା ପାଇଁ ସଂସାର ନୌକାର ମଙ୍ଗଧରିବାକୁ ।

ମୁଁ ଜାଣିଛି ପ୍ରଭୁ । ତମ ମନ ଆଜି ଭାରି ଉଚ୍ଚାଟ ହେଉଥିବ । ବଡ଼ଦାଣ୍ଡକୁ ଓହ୍ଲାଇ ଆସିବାକୁ, ପତିତମାନଙ୍କୁ କୋଳେଇ ନେବାକୁ, ତାପିତ ପ୍ରାଣକୁ ଉଦ୍ଧାର କରିବାକୁ ମନ ତୁମର ବ୍ୟାକୁଳ ହେଉଥିବ ନିଶ୍ଚୟ । ହେଲେ ତମେ ଯେତେବେଳେ ସ୍ୱଳ୍ପ ସେବକଙ୍କ ଗହଣରେ ବଡ଼ଦାଣ୍ଡକୁ ଆସିବ, ରଥାରୂଢ଼ ହେବ, ଆଉ ତମ ସମ୍ମୁଖରେ ଜନସମୁଦ୍ର ବଦଳରେ କେବଳ ବଡ଼ଦାଣ୍ଡର ରେଣୁ ହିଁ ଥିବ, ତମେ କି ଖୁସିରେ ରହିପାରିବ ପ୍ରଭୁ? ଯାହାଙ୍କ ପାଇଁ ତମର ଏ ପତିତପାବନ ଯାତ୍ରା, ଯାହା ଉଦ୍ଦେଶ୍ୟରେ ତମେ ନିଜ ଶ୍ରୀବତ୍ସଖଣ୍ଡଶାଳ ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ହେଉଛ, ସେ ଯଦି ନାହିଁ, ତମେ କଣ ଶାନ୍ତିରେ ଏ ଯାତ୍ରା କରିପାରିବ ପ୍ରଭୁ? ଦେଖ ପ୍ରଭୁ ତମ ସମ୍ମୁଖରେ ତମର ପ୍ରିୟ ମୋଚି, ମେହନ୍ତର, ବ୍ରାହ୍ମଣ, ଚାଣ୍ଡାଳ, ଯୋଗୀ, ରୋଗୀ, ଭୋଗୀ, ସନ୍ନ୍ୟାସୀ, ଋଷି, ମୁନି କେହି ନାହାନ୍ତି ।

ନା ନଦିଆ ନବଦ୍ୱୀପରୁ ଆସିଥିବା ଗୌଡ଼ୀୟ ଭକ୍ତମାନେ ଉଦଣ୍ଡ କୀର୍ତ୍ତନ କରୁଛନ୍ତି, ନା ଗଉଡ଼ପୁଅମାନେ ବାଡ଼ି ଖେଳୁଛନ୍ତି, ନା ରାମାନନ୍ଦୀ ତିଳକ କରି ଭକ୍ତ ହରିବୋଲ ଧ୍ୱନି ଦେଉଛି, ନା କୁଳବଧୂଙ୍କ ହୁଳହୁଳି ଶଙ୍ଖନାଦରେ ବଡ଼ଦାଣ୍ଡ କମ୍ପୁଛି, ତଥାପି ତମେ ବଡ଼ଦାଣ୍ଡକୁ ଆସିଛ ପ୍ରଭୁ ଭକ୍ତକୁ ଦର୍ଶନ ଦେବା ପାଇଁ । ମୁଁ ଭାବିଥିଲି, ମୋ ତିନି ବର୍ଷର ପୁଅକୁ କାନ୍ଧରେ ବସାଇ ତମକୁ ରଥରେ ଦେଖାଇଥାନ୍ତି, ହାତଠାରି କହିଥାନ୍ତି, ହେଇ ଦେଖ, ତୋ ତେପନ ପୁରୁଷର ଦେବତାଙ୍କୁ । ହେଇ ଦେଖ, ମୋ ପ୍ରଭୁ ଜଗନ୍ନାଥଙ୍କୁ, କମଳାକାନ୍ତଙ୍କୁ, ଯିଏ ତୋ ପୂର୍ବପୁରୁଷ ଓ ଉତ୍ତରପୁରୁଷଙ୍କ ପ୍ରାଣର ସ୍ପନ୍ଦନ । ତାଙ୍କୁ ଆଖିଭରି ଦେଖ, ଭଲଭାବରେ ଚିହ୍ନିନେ, ସେ ହିଁ ତୋର ମାର୍ଗଦର୍ଶକ, ହର୍ତ୍ତା, କର୍ତ୍ତା ଦଇବ ବିଧାତା । କିନ୍ତୁ ତାହା ସମ୍ଭବ ହୋଇପାରୁନି ପ୍ରଭୁ । ତମ ଦର୍ଶନରୁ କେବଳ ମୁଁ ନୁହେଁ, ଏ ସମଗ୍ର ବିଶ୍ୱବସୁଧାର କୋଟି କୋଟି ତାପିତ ପ୍ରାଣ ବଞ୍ଚିତ ହୋଇଛନ୍ତି । କେବଳ ନୀରବରେ ଅଶ୍ରୁପାତ କରିବା ବ୍ୟତୀତ ସେମାନଙ୍କ ପାଖରେ ଆଉ କୌଣସି ସମ୍ବଳ ନାହିଁ ପ୍ରଭୁ । ଶ୍ରୀକ୍ଷେତ୍ରକୁ ଯାତ୍ରା ବନ୍ଦ । ଗମନାଗମନ ଉପରେ ପ୍ରତିବନ୍ଧକ । ମନୁଷ୍ୟ ଏବେ ମନୁଷ୍ୟ ପାଇଁ ଅସ୍ପୃଶ୍ୟ । ନିଜେ ନିଜଠାରୁ ବାସନ୍ଦ । ସବର୍ତ୍ର ସଂଗରୋଧ । ଏଭଳି ସ୍ଥିତିରେ ତମ ଦର୍ଶନ କେମିତି କରିବି ପ୍ରଭୁ?

ତମେ ପରା କୁରୁକ୍ଷେତ୍ରରେ ପାର୍ଥର ସାରଥୀ ସାଜି କହୁଥିଲ,

ଯେ ଯଥାମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍ ।

ମମବର୍ତ୍ମାଂନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବସଃ ।।

                                              (ଶ୍ରୀମଦ୍ଭାଗବତ)

ଯଦି ଏକଥା ସତ୍ୟ, ତାହେଲେ ମୁଁ ଜାଣିଛି ପ୍ରଭୁ, ତୁମ ଅପଲକ ନୟନରୁ ବି ଅଶ୍ରୁଧାରା ପ୍ରବାହିତ ହେଉଥିବ । ତୁମ ପ୍ରାଣ ବି କାନ୍ଦି ଉଠୁଥିବ, ମନୁଷ୍ୟର ଏ କରୁଣ ଚିତ୍ର ଦେଖି । ବଡ଼ଦାଣ୍ଡରେ ଭକ୍ତକୁ ନ ପାଇ ତୁମ ହୃଦୟ ବି ବିଦାରି ହୋଉଯାଉଥିବ ହେ କୋଟିହୃଦୟେଶ୍ୱର । ତମେ ବି ଗୋପାଳ ବାଳକ ଭଳି ନିଜ କୋହ ସମ୍ଭାଳି ନପାରି ଯଶୋଦାଙ୍କ ପଣତ ଖୋଜୁଥିବ ପ୍ରଭୁ ।

ହେଲେ ମୋ ପାଇଁ ସିନା କବାଟ ପଡ଼ିଛି ପ୍ରଭୁ, ତୁମ ପାଇଁ ତ ଚଉଦ ଭୁବନ ଉନ୍ମୁକ୍ତ । ଭୂଃ, ଭୁବଃ, ସ୍ୱଃ, ମହଃ, ଜନଃ, ତପଃ, ସତ୍ୟଂ – ଏ ସପ୍ତଲୋକର ତୁମେ ଅଧୀଶ୍ୱର, ତୁମ ପାଇଁ ନା ଅଛି କୌଣସି ପ୍ରାଚୀର ନା ପ୍ରତିବନ୍ଧକ । ତମର କଣ ମନେ ନାହିଁ ପ୍ରଭୁ, ଦଣ୍ଡକାରଣ୍ୟରେ ସୂର୍ପଣଖାର ମନକଥା ରଖିପାରିନଥିଲ ବୋଲି ମଥୁରା ନଗରୀର ରାଜଦାଣ୍ଡରେ କୁବୁଜାର କୁଜରେ ହାତ ମାରିଦେଇ ତା ମନୋବାଞ୍ଛା ପୂରଣ କରିଦେଲ । କୁରୂପା କୁବୁଜାକୁ ଭୁବନମୋହିନୀ ଅପରୂପା କରିଦେଲ ।

ରାତି ଅଧରେ ଅଖିଆ ଅପିଆ ବନ୍ଧୁ ମହାନ୍ତିକୁ ରତ୍ନଥାଳିରେ ଅନ୍ନ ପରସି ଦେଇ ନିଜେ ଉପାସେ ଶୋଇପଡ଼ିଲ । ଅଶୌଚ ଅବସ୍ଥାରେ ରଥ ଉପରେ ଚଢ଼ିଗଲା ବୋଲି ଭକ୍ତ ବଳରାମ ଯେତେବେଳେ ଲାଞ୍ଛିତ ଅପମାନିତ ହେଲା, ରଥ ଉପରୁ ଗଳାଧକ୍କା ଖାଇ ବିାଦୟ ନେଲା । ଅଭିମାନରେ ମହୋଦଧି କୂଳରେ ବାଲିରଥ ନିର୍ମାଣ କରି ତୁମକୁ ଟିକିଏ ଡାକିଦେଲା ବୋଲି, ତୁମେ ବଡଦାଣ୍ଡରେ ରଥ ଅଟକାଇ ଦେଇ ତା ବାଲିରଥରେ ବିଜେ ହୋଇଗଲ । ସାତ ଶହ ପଚାଶ କୋଶ ବାଟ ଚାଲି ପାରିଲାନି ବୋଲି ଯବନ ଭକ୍ତ ସାଲବେଗ ପାଇଁ ତମେ ରଥରେ ଅପେକ୍ଷା କରିପାରିଲ । ଏତେ ସବୁ କଥା କେମିତି ତୁମେ ଭୁଲି ପାରୁଛ ପ୍ରଭୁ? କେମିତି ଭୁଲି ପାରୁଛ ତମେ ଦାସିଆ ବାଉରୀ ପଠାଇଥିବା ନଡ଼ିଆକୁ ଶୂନ୍ୟରେ ହାତ ବଢ଼ାଇ ତୋଳି ନେଇଥିଲ ବୋଲି? କେମିତି ଭୁଲି ପାରୁଛ, ତା ପେଜ ଥାଳିରେ ଶାଗ ଟିକିଏ ପଡ଼ିଥିଲା ବେଳେ ତାକୁ ଚକାନୟନ ରୂପେ ଦର୍ଶନ ଦେଇ ତା ମୁକ୍ତିର ମାର୍ଗକୁ ପ୍ରଶସ୍ତ କରିଥିଲ ବୋଲି? କେମିତି ଭୁଲିଯାଉଛ ତମେ, ଜୟଦେବଙ୍କ ଅଧାଲେଖା ଧାଡ଼ିକୁ ନିଜ ଲେଖନୀରେ“ଦେହି ପଦପଲ୍ଲବ ମୁଦିତ ମୁଦାରଂ” ଲେଖିଦେଇ ପୂରଣ କରିଦେଇଥିବା କଥାକୁ? ଦାକ୍ଷିଣାତ୍ୟର ଗଣପତି ଭଟ୍ଟର ଭ୍ରମକୁ ଦୂର କରିବା ପାଇଁ ଚକାନୟନରୁ ଗଜାନନ ହୋଇପାରିଲ ତମେ, ଗଜପତି ପୁରୁଷୋତ୍ତମଙ୍କ ସ୍ୱାଭିମାନ ରକ୍ଷାପାଇଁ କଳା ଧଳା ଘୋଡ଼ା ଚଢ଼ି କାଞ୍ଚି ଅଭିଯାନ କରିପାରିଲ, ରତ୍ନ ମୁଦ୍ରିକା ଦେଇ ମାଣିକ ଗଉଡୁଣୀର ଦହି ପିଇ ତାକୁ କାଳ କାଳ ଚିରକାଳ ଅମର କରିପାରିଲ, ଅଥଚ ଏ ତପ୍ତ ପ୍ରାଣକୁ ଦର୍ଶନ ଦେବାରେ କୁଣ୍ଠାବୋଧ କାହିଁକି ପ୍ରଭୁ?

ବଡ଼ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

ଆସ ଜଗନ୍ନାଥ …

କାଳେ କାଳେ ତମେ ପ୍ରଭୁ ଭକତର

ଦିଅ ଦେଖା ବାରେ ପ୍ରଭୁ ପୂରୁ ମନୋରଥ

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ ।

(ଶ୍ରୀ ନନ୍ଦ କିଶୋର ସିଂହଙ୍କ ଏକ ଲୋକପ୍ରିୟ ଭଜନର ଅଂଶ)

ତୁମ ବଡ଼ଦାଣ୍ଡକୁ ଏବେ ଯିବାକୁ ମନା ସାଆନ୍ତେ । ସେଠି ରଜା କଟକଣା ଲାଗିଛି । ପ୍ରହରୀ ପ୍ରହରା ଦେଉଛନ୍ତି । ରାଜାଜ୍ଞା ଅବମାନନା ହେଲେ ବନ୍ଦୀ ହେବାର ଭୟ ଅଛି । ଏମିତି ବି ନିଜେ ତ ନିଜ ଘରେ ଏବେ ଆମେ ସମସ୍ତେ ବନ୍ଦୀ । କେମିତି ତୁମ ପାଖକୁ ଯାଇପାରିବୁ ପ୍ରଭୁ? ହେଲେ ତୁମ ପାଇଁ ତ କୌଣସି କଟକଣା ନାହିଁ । ତୁମେ ତ କୌଣସି ରାଜାଜ୍ଞାରେ ବନ୍ଧା ନୁହଁ । ତୁମେ ତ ସଚରାଚର ବ୍ରହ୍ମାଣ୍ଡ ଗତି କରିପାର । ତୁମେ ତ ସାକାର ରୂପରେ ନିରାକାର ବ୍ରହ୍ମ । ମନର ଗତିଠୁ ବି ବେଗବାନ୍ ତୁମର ଗତି । ତେଣୁ ତୁମ ବଡ଼ଦାଣ୍ଡକୁ ଆମେ ନଯାଇପାରିଲେ କଣ ହେଲା ପ୍ରଭୁ, ତୁମେ ତ ଆମ ମନ ବଡ଼ଦାଣ୍ଡକୁ ଥରଟିଏ ପାଇଁ ଓହ୍ଲାଇ ଆସିପାରିବ ।

ହେଇ ଦେଖ ପ୍ରଭୁ, ମନ ଭିତରର ସବୁ ଅନ୍ଧକାର, କଷାୟ କଳ୍ମଷକୁ କେମିତି ଧୋଇଧାଇ ନିର୍ମଳ କରିଛି । କର୍ପୂର ଚନ୍ଦନର ପବିତ୍ର ସୁବାସିତ ଜଳ ସିଞ୍ଚନ କରି ପରିଷ୍କାର କରିଛି । ମନ ବଡ଼ଦାଣ୍ଡରେ ତୁମ ଅବତରଣ ପାଇଁ କେମିତି ଘଣ୍ଟଘଣ୍ଟାର ଧ୍ୱନି ଉତ୍ପନ୍ନ କରୁଛି ମୋର ହୃତପିଣ୍ଡ, ମୋର ପ୍ରତିଟି ଜୀବକୋଷ ଉଦଣ୍ଡ କୀର୍ତ୍ତନ କରୁଛନ୍ତି, ମୋର ଶ୍ୱସନ କ୍ରିୟା ବେଦୋଚ୍ଚାରଣରେ ମଗ୍ନ, ମୋର ନେତ୍ରଦ୍ୱୟ ସାଜିଛନ୍ତି ଆଲୋକ ବର୍ତ୍ତିକା, ମୋର ମସ୍ତିଷ୍କ ପାଲଟିଯାଇଛି ତୁମର ରତ୍ନସିଂହାସନ, କର୍ଣ୍ଣଦ୍ୱୟ ଗାନ କରୁଛନ୍ତି ଆନନ୍ଦ ଲହରୀ, ଭୁଜଦ୍ୱୟ ତୁମକୁ କୋଳାଗ୍ରତ କରି ପହଣ୍ଡି କରାଇବା ପାଇଁ ବ୍ୟଗ୍ର । ଏବେ ଆସ ପ୍ରଭୁ । ଆଷାଢ଼ୀ ଆକାଶର ମେଘଡମ୍ବରୁର ଶବ୍ଦ ତୁମ ଆସିବାର ସୂଚନା ଦେଉଛି । ଏବେ ରତ୍ନସିଂହାସନରୁ ଓହ୍ଲାଇ ଆସି ଥରେ ମୋ ମନ ବଡ଼ଦାଣ୍ଡରେ ବିଜେ ହୁଅ ପ୍ରଭୁ । ମୋ ପାଦଦ୍ୱୟ ନନ୍ଦିଘୋଷର ଚକ ସମ ତୁମ ରଥକୁ ଟାଣିନେବେ ପ୍ରଭୁ । ଏ ଅକିଞ୍ଚନକୁ ଦର୍ଶନ ଦିଅ । ବିଶ୍ୱର କୌଣସି ଶକ୍ତି ତୁମ ଘୋଷଯାତ୍ରାକୁ କେବେ କସ୍ମିନ କାଳେ ବନ୍ଦ କରିପାରିବେନି ପ୍ରଭୁ । ଯେତେଦିନ ଯାଏଁ ତୁମେ ଭକ୍ତର ମନ ବଡ଼ଦାଣ୍ଡରେ ବିଜେ କରୁଥିବ, ସେତେ ଦିନ ଯାଏଁ ତୁମର ଏ ପତିତପାବନ ଯାତ୍ରା ଜାରି ରହିଥିବ ପ୍ରଭୁ । ଜୟ ଜଗନ୍ନାଥ ।।

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ପିନ୍- 140413, ମୋବାଇଲ- 9937252464