Latest Odisha News

ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ

‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?’

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ବା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ଶ୍ରୀଜୀଉ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ହୋଇଥାଏ । ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋ’ପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ ।

ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼ (ଜେଉଟ) ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ । ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି । ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି। ପାଣି ପଡ଼ି ଧୋ ପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ “ଗର୍ଭଉଦକ ବନ୍ଦାପନା ” କୁହାଯାଏ । ଗର୍ଭକଷ୍ଟ ମୋଚନ ପାଇଁ ଜେଉଡ଼ ଭୋଗ ଖାଇ ମହାପ୍ରଭୁ ଜଗନ୍ନାଥ ନିଜେ ମାତା ଦେବକୀ ହୋଇ ଶ୍ରୀକୃଷ୍ଣଙ୍କୁ ତାଙ୍କ ଗର୍ଭରେ ଧାରଣ କରି ନିଜେ ସ୍ୱୟଂ ଶିଶୁ ରୂପରେ କୃଷ୍ଣଙ୍କୁ ଜନ୍ମ ଦେବେ । ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ ।

ରାମଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବରାତ୍ରିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯାଏ । ଏହି ଭୋଗ ଓଉ କିମ୍ବା ଆମ୍ବ, ସାରୁ, ମଞ୍ଜା ଆଦିରୁ ପ୍ରସ୍ତୁତ ହୁଏ । ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ । ଭୋଗ ସମର୍ପଣ ପରେ ଠାକୁର ମାନଙ୍କର ବନ୍ଦାପନା କରାଯାଏ । ଏଠାରେ ଜଗନ୍ନାଥ ନିଜେ ରାମ କୃଷ୍ଣ ହୋଇ ଜନ୍ମ ହୋଇଥାନ୍ତି । ତେବେ କେଉଁ କାରଣରୁ ତାଙ୍କୁ ଗର୍ଭକଷ୍ଟ ନିବାରଣ ଭୋଗ ସମର୍ପଣ କରାଯାଏ ଓ ପରଦିନ ସେହିଁ ରାମ କୃଷ୍ଣ ହୋଇ ଜନ୍ମ ନିଅନ୍ତି ଏବଂ ଶ୍ରୀମନ୍ଦିରରେ ତାଙ୍କ ଜନ୍ମନୀତି ପାଳନ କରାଯାଏ । ଅର୍ଥାତ ପ୍ରଭୁ ରାତିରେ ନିଜେ ମାଆ ହୁଅନ୍ତି ଓ ସକାଳକୁ ପୁଅ ହୋଇ ଜନ୍ମ ହୋଇ ସାରିଥାନ୍ତି ।

ଗୀତାରେ ଅଛି –

” ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।
ଵେଦ୍ୟଂ ପଵିତ୍ରମୋଂକାର ଋକ୍ସାମ ୟଜୁରେଵ ଚ ।।’

ଅର୍ଥାତ, ପରମାତ୍ମା ଏ ଜଗତର ପିତା, ମାତା, ଧାତା (ସୃଷ୍ଟିକର୍ତ୍ତା) ଓ ପିତାଙ୍କ ପିତା ପିତାମହ।

କିଛି ପୁରୁଖା ଲୋକ କୁହନ୍ତି, “ରାତ୍ରିରେ ମା’ ହୋଇ ଗର୍ଭ ଯନ୍ତ୍ରଣା ଭୋଗ କରି ଜେଉଡ଼ ଖାଇଲା ତତ୍ପର ଦିନ ପୁଅ ହେଇ ନିଜେ ଜନ୍ମ ହେଲା” ରାତ୍ରରେ ମା’ ଆଉ ସକାଳରେ ସନ୍ତାନ, ବିଚିତ୍ର ଲୀଳା, ହର ବ୍ରହ୍ମା ତ ତୋ ମାୟାରେ ବାୟା ଆମେ ତ ଛାର ମନୁଷ୍ୟ ମହାପ୍ରଭୁ ବୁଝିବୁ ବା କେମିତି !! ଧନ୍ୟ ମଣିମା ଧନ୍ୟ ଆପଣଙ୍କ ମହିଁମା !!

ଲୀଳା ବିଧୃତ କଳେବର
ଦେବ ମାନବେ ଅଗୋଚର ।।’

ଏହିପରି ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ ନୀତି ପରମ୍ପରାକ୍ରମେ ପାଳିତ ହେଉଥିବା ।
।। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.