ଅନାବନା ଗୀତମାଳିକା
ଅମରେନ୍ଦ୍ର ଖଟୁଆ
(ବାତରା ଗୋଷ୍ଠୀ (ସଂବଲପୁର ୧୯୭୨-୧୯୭୬) ପାଇଁ ଲିଖିତ କିଛି ଧାଡ଼ି ସଚ୍ଚି ରାଉତରାୟଙ୍କୁ ଖୁବ୍ ଭଲଲାଗିଥିଲା । ସବୁ ଗୋଷ୍ଠୀବାଦର ବିରୋଧରେ ଲିଖିତ ଏଇସବୁ ଧାଡ଼ିକୁ କବି ରବି ସିଂ ମଧ୍ୟ ପସନ୍ଦ କରିଥିଲେ ।)
ସଚିବାଳୟର ବାବୁ
ମୁଂଡ ଭିତରେ ଚକାମାଲି ପକାଇ
ବସିଥାଏ ତାର ସ୍ଥିତି,
ଆତ୍ମା ତାହାର ନଂଗଳା,
ସାଧାରଣ ବାବୁର ବେଶରେ ଲୀଳାଖେଳା!
ପତ୍ନୀ କୋଉଠି, ପିଲା କୋଉଠି
ଜଣାନଥିବାରେ ହିିଁ
ତା ଆଜିକାଲିର ଦୁଇମହଲା ବଂଗଳା!
ବାବୁ ଓ ଅଧ୍ୟାପକ ସାହିତ୍ୟିକ
ଆଖିରେ ଲଗେଇଥାଏ
ନଜଣାପଡ଼ୁଥିବାର ଅଂଜନ
ବାବୁ ଓ ଅଧ୍ୟାପକ ମନଭଂଜନ ।
ବର୍ଷବର୍ଷ ଧରି ଲଗେଇ ରହେ ଅହଂ ସହ
ଜ୍ଞାନର ଷଡ଼ଯଂତ୍ର,
ଏବେ ସାହିତ୍ୟିକ ହବାର ବଡ଼ ନିଶା,
ଖୋଜାଚାଲିଛି ନିଜର ଭାଷା,
ମିଳିବ ପୁରସ୍କାର ଓ ମନୋରଂଜନ!
ପ୍ରଶ୍ନ
କାରଣ ନଥାଇ
କାରଣ ଖୋଜୁଥିବାର
କାରଣହୀନତା ।
ଭାଷା ନଥାଇ
ଭାଷାହୀନ ମୂକପଣର
ଭାଷାଶୂନ୍ୟତା ।
ଅକାରଣରେ, ନିରବରେ
ଛାତି ଫଟାଇ, ନିଦ ହଟାଇ
କଣ ନ କରେ
ନିଜ ଭିତରେ?
କବାଟ ବନ୍ଦ କର
କବାଟ ସେପାଖରେ
କିଏ ସିଏ?
ତା ମୁହଁ ନଥାଏ
ହସୁ ନଥାଏ, କାନ୍ଦୁ ବି ନଥାଏ
ସିଏ କିଏ?
ସାରା ଜୀବନ କାଳ
ଉପଦେଶର ପୋଥି ପଢ଼ି
ଥରେହେଲେ ବି ଖୋଜିଚ ନିଜକୁ,
କବାଟ ଖୋଲି ବାହାରେ?