ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ରପ୍ରଦେଶର ଡକ୍ଟର ଭୀମରାଓ ଆମ୍ବେଦକର କୋନାସୀମା ଜିଲ୍ଲା ଅନ୍ତର୍ଗତ ଅମଲାପୁରମ୍ ମ୍ୟୁନିସପାଲିଟି କମିଶନର ଓ ତାଙ୍କ ଟିମ୍।
ଏହି ଟିମରେ ଅମଲାପୁରମ୍ ମ୍ୟୁନିସପାଲିଟିର କମିଶନର ଶ କେଭିଆରଆର୍ ରାଜୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଡାଗ୍ଗୁମାଲ୍ଲା ଶାନ୍ତାଲକ୍ଷ୍ମୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଇଂଜିନିୟର ଏମବିଏସ୍ ଶଙ୍କର ରାଓ ଓ ଜିଲ୍ଲା ଶିଳ୍ପ ଅଧିକାରୀ ପିକେପି ପ୍ରସାଦ ପ୍ରମୁଖ ଆସିଥିଲେ। ଏହି ଟିମ୍ କଠିନ ବର୍ଜ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ପ୍ରକ୍ରିୟାକରଣ, ଉପକାରିତା, ଅପକାରିତା, ଖର୍ଚ୍ଚ ଆଦି ସଂପର୍କରେ ବିଭିନ୍ନ କଥା ପଚାରି ବୁଝିଥିଲେ। ବିଏମ୍ସି ପକ୍ଷରୁ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା କରୁଥିବା ଇଂଜିନିୟର ସେମାନଙ୍କୁ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ।
ବିଏମ୍ସି ଗସ୍ତରେ ଆସିଥିବା ଏହି ଟିମକୁ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ପୁଷ୍ପଗୁଚ୍ଛ, ଉପହାର ଓ କଫିଟେବ୍ଲ ପୁସ୍ତକରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ କମିଶନର ଏନ୍. ଗଣେଶ ବାବୁଙ୍କ ସହ ଟିମ୍ ବିଏମ୍ସି ଉପସ୍ଥିତ ଥିଲେ। ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା, ରକ୍ଷଣାବେକ୍ଷଣ, ବର୍ଜ୍ୟ ସଂଗ୍ରହ ଆଦି ସଂପର୍କରେ ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନଙ୍କୁ ଅତିରିକ୍ତ କମିଶନର ଓ ସହକାରୀ କମିଶନର ସବୁ ବୁଝାଇଥିଲେ। ପରେ ସେମାନେ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ବିଭିନ୍ନ ଏମସିସି ଓ ଏମଆରଏଫ୍ ସେଣ୍ଟର ବୁଲି ଦେଖିଥିଲେ।
ଏହି ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ବର୍ଜ୍ୟ ସଂଗ୍ରହ ପଦ୍ଧତି ସଂପର୍କରେ ତଥ୍ୟକୁ ଅମଲାପୁରମ୍ ମ୍ୟୁନିସପାଲିଟିରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ସେଥିପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଡକ୍ଟର ବିଆର ଆମ୍ବେଦକର କୋନାସୀମା ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏକ୍ସପୋଜର ଭିଜିଟରେ ପଠାଇଛନ୍ତି ବୋଲି ସେମାନେ କହିଛନ୍ତି।
Comments are closed.