Latest Odisha News

BREAKING NEWS

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି

ଭୁବନେଶ୍ୱର: ନୀର୍ବାଚନ ସମୟରେ ବିଜେଡି ଲୋଗୋ ଥିବା ଗାଡିରୁ ଗଞ୍ଜେଇ ବାହାରିବା ଦଳ ପାଇଁ ଭାରି ପଡ଼ିପାରେ। ଏହି ଘଟଣାକୁ ଟାର୍ଗେଟ୍ କରି ବିଜେଡିକୁ ସିଧା ନିଶାନା ମାରିଛି ବିଜେପି। ବ୍ରହ୍ମପୁରରେ ବିଜେଡିର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି। ଏହା ପ୍ରମାଣିତ କରୁଛି ଯେ, ନିର୍ବାଚନ ସମୟରେ ବ୍ୟାପକ ପରିମାଣର ଗଞ୍ଜେଇ ବଣ୍ଟନ କରିବା ବିଜେଡି ଷଡଯନ୍ତ୍ର କରିଛି। ଏଭଳି ଅଭିଯୋଗ ଆଣିଛି ବିଜେପି। ଆଗରୁ ବିଜେଡି ନିର୍ବାଚନ ଜିତିବା ପାଇଁ ହିଂସା ଓ ବ୍ୟାପକ କଳା ଟଙ୍କା ସହ ମଦର ସାହାରା ନେଉଥିଲା । ଏବେ ବିଜେଡି ପାଇଁ ନୂଆ ସାହାରା ଗଞ୍ଜେଇ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।

ବିଜେଡିର ଚିହ୍ନ ଥିବା ଗାଡିରୁ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ବି ବିଜେଡିର କୌଣସି ନେତା ମୁହଁ ନଖୋଲିବା ପ୍ରମାଣିତ କରୁଛି ଯେ, ନିଶ୍ଚିତଭାବେ ଏହି ଗଞ୍ଜେଇ ଚୋରା ଚାଲଣରେ ବିଜେଡିର ସଂପୃକ୍ତି ରହିଛି । ଆଗରୁ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର ଇସ୍ତଫା ପତ୍ରରେ ବିଜେଡି ଖଣ୍ଡପଡାରୁ ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବୋଲି ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବିଧାନସଭାରେ ନବୀନ ବାବୁ ଦିନେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ସେ ବିଜେଡି ଟିକେଟ୍ ଦେଲେ। ଯାହା ପ୍ରମାଣିତ କରୁଛି ଯେ, ବିଜେଡି ଓ ଗଞ୍ଜେଇ ମାଫିଆଙ୍କ ସମ୍ପର୍କ ବେଶ୍ ଘନିଷ୍ଠ ବୋଲି କହିଛି ବିଜେପି।

ଅନୀଲ ବିଶ୍ୱାଳ କହିଛନ୍ତି ଯେ, “ଆମ ଓଡ଼ିଶା ନବୀନ ଓଡିଶା”ର ଗତି କୁଆଡେ । ଓଡ଼ିଶାକୁ ଗଞ୍ଜେଇ, ବ୍ରାଉନସୁଗାରର ହବ୍ କରିବା ପାଇଁ ଚାହୁଁଛନ୍ତି କି ମୁଖ୍ୟମନ୍ତ୍ରୀ ? ଏବେ ନିର୍ବାଚନ ଚାଲିଛି । ମେ ୧ ରୁ ୨୩ତାରିଖ, ମାତ୍ର ୨୩ ଦିନ ଭିତରେ ଓଡ଼ିଶାରୁ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଚୋରା ବିଷାକ୍ତ ମଦ ଧରାପଡିଛି । ସେହିଭଳି ୪୧୦ କିଗ୍ରା ଭାଙ୍ଗ, ୨୯୫୧ କିଗ୍ରା ଗଞ୍ଜେଇ, ୨୫୫୮ ଗ୍ରାମର ହେରୋଇନ୍ ଜବତ ହୋଇଛି । ମାତ୍ର ୨୩ ଦିନ ଭିତରେ ଏତେ ବିପୁଳ ପରିମାଣର ନିଶା ଜବତ ହେବା ଘଟଣାରୁ ଅନୁମାନ କରାଯାଇ ପାରେ ଯେ, ଓଡ଼ିଶାର ସ୍ଥିତି କେତେ ସଙ୍ଗୀନ! ବିନା ଶାସକ ଦଳର ସମ୍ପୃକ୍ତିରେ ଏହା କଦାପି ସମ୍ଭବ ନୁହେଁ । ବିଜେଡିର “ଘରେ ଘରେ ଶଙ୍ଖ” ଶ୍ଳୋଗାନକୁ ସେମାନେ “ଘରେ ଘରେ ଗଞ୍ଜେଇ ଆଉ ମଦ” କରିବା ପାଇଁ ଚାହୁଁଛନ୍ତି । ଯୋଡି ଶଙ୍ଖକୁ ଭୋଟ ଦିଅ ବୋଲି ବିଜେଡିର ଗୁମାସ୍ତା ଭିକେ ପାଣ୍ଡିଆନ ବୁଲି ବୁଲି ପ୍ରଚାର କରୁଛନ୍ତି । ବାସ୍ତବରେ “ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ” ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.