Latest Odisha News

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆ ଅଧିକାରୀଙ୍କ ରାଜ: ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆଙ୍କ ରାଜ । ଶୀର୍ଷସ୍ତରରେ ଦୁଇ ଓଡ଼ିଆ ଅଧିକାରୀ । ପୂର୍ବରୁ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଥିବାବେଳେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏବେ ନିଯୁକ୍ତି ମିଳିଛି । କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କୁ ୩ ବର୍ଷ ପାଇଁ ଏହି ନିଯୁକ୍ତ ଦେଇଛନ୍ତି । ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ମାଇକେଲଙ୍କୁ ଏହି ନିଯୁକ୍ତି ମିଳିଛି । ବିରଳ ଆଚାର୍ଯ୍ୟ ପଦ ଛାଡିବା ପରେ ଗତ ବର୍ଷ ଜୁଲାଇ ୨୩ ତାରିଖରୁ ଏହି ପଦବୀ ଖାଲି ପଡିଥିଲା ।

ମାଇକେଲ ଦେବବ୍ରତଙ୍କ କ୍ୟାରିୟର:

ମାଇକେଲ ୧୯୮୫ରେ ରିଜର୍ଭ ବ୍ୟାଙ୍କରେ ଯୋଗଦେଇଥିଲେ । ସେ ସେଂଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନର ଅତିରିକ୍ତ ଦାୟିତ୍ୱରେ ଥିଲେ । ସେ ୨୦୦୫ରେ ସେଂଟ୍ରାଲ ବ୍ୟାଙ୍କର ମୁଦ୍ରାନୀତି ବିଭାଗରେ କାର୍ଯ୍ୟରତ ଥିଲେ । ରେଭେନ୍ସା କଲେଜରେ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ପରେ ମୁମ୍ବାଇ ଆଇଆଇଟିରେ ଅର୍ଥନୀତିରେ ପିଏଚ୍‌ଡି କରିଛନ୍ତି । ସେ ହାୱର୍ଡ ୟୁନିର୍ଭସିଟିରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ ହାସଲ କରିଛନ୍ତି ।

ମୁଦ୍ରାନୀତି, ଆର୍ନ୍ତଜାତୀୟ ବିତୀୟ ପରିଚାଳନାରେ ଦେବବ୍ରତ ପାତ୍ରଙ୍କ ବିଶେଷ ଅଭିଜ୍ଞତା ରହିଛି । ଗୁରୁତ୍ୱପୂର୍ଣ୍ଣ ମୁଦ୍ରାନୀତି ବିଭାଗର ଦାୟିତ୍ୱ ତାଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ବିଭୁ ପ୍ରସାଦ କାନୁନଗୋ ଥିବା ବେଳେ ଏବେ ଆଉ ଜଣେ ଓଡ଼ିଆ ଭାବେ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ନିଯୁକ୍ତି ମିଳିଛି । ରଜର୍ଭ ବ୍ୟାଙ୍କରେ ୪ଜଣ ଡେପୁଟି ଗଭର୍ଣ୍ଣର ବ୍ୟବସ୍ଥା ଥିବା ବେଳେ ସେଥିରୁ ଦୁଇ ଜଣ ହେଉଛନ୍ତି ଓଡ଼ିଆ ଅଧିକାରୀ । ଏବଂ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ୱରେ ଅଛନ୍ତି ଶକ୍ତିକାନ୍ତ ଦାସ । ସେ ବି ଜଣେ ଓଡ଼ିଆ ।

Leave A Reply

Your email address will not be published.