Latest Odisha News

BREAKING NEWS

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍ କରୁଥିଲେ ।

ବିଶେଷକରି ବଡ଼ ବଡ଼ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଉଥିଲେ ପ୍ରୀତି ଦେଶାଇ । ତାଙ୍କ ଜାଲରେ ଓଡ଼ିଶା ସହ କର୍ଣ୍ଣାଟକ, ରାଜସ୍ଥାନ ସମେତ ଅନ୍ୟ କେତେକ ରାଜ୍ୟର ବ୍ୟବସାୟୀ ପଡ଼ିଥିଲେ । ସୋସିଆଲ୍ ମିଡିଆରେ ବନ୍ଧୁତା ସ୍ଥାପନ ପରେ ପୀତି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ କଏଦ କରୁଥିଲେ । ଆଉ ଠିକ୍ ଅର୍ଚ୍ଚନା ନାଗ ଭଳି ବ୍ଲାକମେଲ୍ କରି ଜମା କରୁଥିଲେ ବ୍ଲାକମନି ।

ଯିଏ ଟଙ୍କା ଦେଉ ନଥିଲା ତାକୁ ଫଟୋ, ଭିଡିଓ ଭାଇରାଲ୍ ଧମକ ଦେଉଥିଲେ । ନିକଟରେ ପ୍ରୀତି ଦେଶାଇଙ୍କ ବିରୋଧରେ ରାଜସ୍ଥାନରେ ଏକ ଅଭିଯୋଗ ହୋଇଥିଲା । ଆଉ ସେହି ଅଭିଯୋଗର ତଦନ୍ତ କରି କମିଶନରେଟ୍ ପୋଲିସକୁ ଯୋଗାଯୋଗ କରିଥିଲା ରାଜସ୍ଥାନ ପୋଲିସ । ଚନ୍ଦ୍ରଶେଖରପୁର ପୋଲିସ ସହଯୋଗରେ ଚଢ଼ାଉ କରି ମହିଳାଙ୍କୁ ଧରିବା ସହ ଏକ କାର୍ ଜବତ କରିଛି ।

ଅଭିଯୋଗ ଅନୁସାରେ, ପ୍ରୀତି ଦେଶାଇ ଭୁବନେଶ୍ୱରର ୪ରୁ ୫ ଜଣ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ଲୁଟିଥିଲେ । ଏପରିକି ମହିଳା ଜଣଙ୍କ ରହୁଥିବା ଆପାର୍ଟମେଣ୍ଟ ମଧ୍ୟ ଅନ୍ୟଜଣେ ବ୍ୟବସାୟୀଙ୍କର । ଯାହାଙ୍କ ସହ ପ୍ରୀତି ଦେଶାଇ ସମ୍ପର୍କ ରଖିଥିବା କୁହାଯାଉଛି ।

ପୂର୍ବରୁ କର୍ଣ୍ଣାଟକର ଜଣେ ଲୁଗା ବ୍ୟବସାୟୀ ପ୍ରୀତିଙ୍କ ବ୍ଲାକମେଲିଂ ସହି ନପାରି ଜୀବନ ହାରି ଦେଇଥିଲେ । ତାଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.