Latest Odisha News

BREAKING NEWS

ଝାରପଡ଼ା ଜେଲରେ ଅଭିଜିତ ମିତ୍ର, ୪ ଦିନିଆ ରିମାଣ୍ଡରେ ନେଲେ କୋଣାର୍କ ପୋଲିସ

ଭୁବନେଶ୍ୱର: ଗବେଷଣାରତ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ଏବେ ଭୁବନେଶ୍ୱରର ଝାରପଡ଼ା ଜେଲରେ । ମଙ୍ଗଳବାର ରାତିରେ ଅଭିଜିତଙ୍କୁ ଏସଡ଼ିଜିଏମ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ଫଳରେ ତାଙ୍କୁ ୧୪ ଦିନ ଲାଗି ବିଚାରାଧିନ ହାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପଚରାଉଚରା ଲାଗି କୋଣାର୍କ ପୋଲିସ ଅଭିଜିତଙ୍କୁ ୪ ଦିନର ରିମାଣ୍ଡରେ ନେଇଛନ୍ତି ।

ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ମହାପ୍ରଭୁ ଶ୍ରୀଜଗନ୍ନାଥ, ତଥା ଓଡ଼ିଶା ବିଧାନସଭା ଏବଂ ବିଧାୟକଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ଅଧିକ ତଦନ୍ତ ଲାଗି କୋଣାର୍କ ଥାନା ପୋଲିସ ତାଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ । ଅବଶ୍ୟ ୪ ଦିନର ରିମାଣ୍ଡ ମିଳିଛି କୋଣାର୍କ ପୋଲିସକୁ । ମଙ୍ଗଳବାର ରାତିରେ ସହିଦନଗର ଥାନାରେ ତାଙ୍କୁ ପଚରାଉଚରା ପରେ ଏସଡ଼ିଜିଏମ କୋର୍ଟରେ ହାଜର କରାଯାଇଥିଲା ।

“ମୋ ମହକିଲ ଠିକ୍ ଭାବେ ପୋଲିସକୁ ତଦନ୍ତରେ ସହଯୋଗ କରୁଛନ୍ତି । ତାଙ୍କର ଟ୍ୱିଟ୍ଟ୍ ଗୁଡ଼ିକ ପ୍ରାୟ ବର୍ଷକ ତଳର, ଏବେ କାହିଁକି ଏହାକୁ ନେଇ ଏତେ ଆକ୍ରମଣାତ୍ମକ ପଦକ୍ଷେପ ନିଆଯାଉଛି? ବର୍ଷକ ତଳୁ ଏହା ଲେଖା ଯାଇଥିବାରୁ ଏହାର ପ୍ରାସଙ୍ଗିକତା ମଧ୍ୟ ଏବେ ନଥିଲା । ଯଦି କୌଣସି କଥାର ପ୍ରାସଙ୍ଗିକତା ଥାଏ ତେବେ ତାହାକୁ ତୁରନ୍ତ ଉପସ୍ଥାପିତ କରିବା ଉଚିତ,”ବୋଲି ଗଣମାଧ୍ୟମକୁ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଅଭିଜିତଙ୍କ ଓକିଲ ନିଖିଲ ମେହେରା ।

ପୂବରୁ କୋର୍ଟରେ ୭ ଦିନର ରିମାଣ୍ଡ ଚାହିଁଥିବା କୋଣାର୍କ ପୋଲିସକୁ ଅଭିଜିତଙ୍କୁ ତଦନ୍ତରେ ଅଧିକ ପଚରାଉଚରା ଲାଗି ୪ ଦିନର ରିମାଣ୍ଡ ମିଳିଛି । ଗଣମାଧ୍ୟମକୁ ସୂଚନାଦେଇ ଅଭିଜିତଙ୍କ ଓକିଲ କହିଛନ୍ତି ସେ ଅଦାଲତର ନିର୍ଦ୍ଦେଶକୁ ପାଳନ କରିବେ ।
ଓଡ଼ିଶା ବିଧାନସଭାର କକ୍ଷରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ନିକଟରେ ଗତ ଅକ୍ଟୋବର ୧୧ତାରିଖ ଦିନ ୧୦.୩୦ ସମୟରେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ହାଜର ହେବାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ନିଜେ ଏହି କମିଟି ଆଗରେ ହାଜର ନ’ହୋଇ ଅଭିଜିତ ସେତେବେଳେ ଏକ ଇ-ମେଲ୍ ପତ୍ର ମାଧ୍ୟମେରେ ନିଜର କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଅଭିଜିତ ଅକ୍ଟୋବର ୨୩ ତାରିଖରେ ବିଧାନସଭା ଗୃହ କମିଟିରେ ଯୋଗଦେଇ କମିଟି ଆଗରେ ନିଜର ଦୋଷ ସ୍ୱୀକାର କରିବା ସହିତ ନିଜର ଅଶାଳୀନ ମନ୍ତବ୍ୟ ଲାଗି କ୍ଷମା ପ୍ରାର୍ଥନା କରିଥିଲେ । ଅଭିଜିତଙ୍କୁ ଆସନ୍ତା ନଭେମ୍ବର ୨ ତାରିଖରେ ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ଗୃହ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ ।


ଉଲ୍ଲେଖଯୋଗ୍ୟ ଏହାକି, ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓ ତାଙ୍କ ବନ୍ଧୁ ଆରତୀ ଟିକ୍କୋ ସିଂହ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟର ଯୋଗେ ପୁରୀ ଓ କୋଣାର୍କ ଆକାଶରେ ବୁଲାବୁଲି କରିଥିଲେ । ଏହି ସମୟରେ କୋଣାର୍କ ମନ୍ଦିରର ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଏଥିରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ଅଭିଜିତ ।

Leave A Reply

Your email address will not be published.