Latest Odisha News

BREAKING NEWS

ସେ ସବୁଜିମାର ଶିଳ୍ପୀ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

କୃଷି ଆମ ସଭ୍ୟତାର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । କୃଷି ପାଇଁ ସବୁବେଳେ ବିଭିନ୍ନ ଯୋଜନା । କୃଷି ଓ କୃଷକର କଲ୍ୟାଣ ଦିଗରେ ସରକାରଙ୍କ ତରଫରୁ ସଦାସର୍ବଦା ବିଭିନ୍ନ ନୂତନ ଯୋଜନାମାନ ବି ଗ୍ରହଣ କରାଯାଏ । ତେବେ ଏ ସବୁ କେବଳ ଯୋଜନାରେ ସୀମିତି ହୋଇ ରହିଯାଏ କି ବାସ୍ତବ କ୍ଷେତ୍ରରେ ଚାଷୀ ପାଖରେ ଏହା ପହଁଚିପାରେ, ସେକଥା କେବଳ ଏହାର ଗ୍ରହୀତା ହିଁ କହିପାରିବ । ତେବେ ଚାଷୀ ମାଟିର ସନ୍ତାନ । ତା’ରି ପାଇଁ ଖାଦ୍ୟ ଖାଇବାର ଆଶା ଚରିତାର୍ଥ ହେଉଛି । ତେବେ ଏ ସ୍ତମ୍ଭ ଜରିଆରେ ମୁଁ ଚାଷୀ ଓ ଚାଷ ସମ୍ପର୍କିତ ପ୍ରତିଟି କଥାକୁ ଉପସ୍ଥାପନ କରେ ।

ଏଥର ମୁଁ ସେମିତି ଜଣେ ଚାଷୀଙ୍କ ସହ ମୋର ଅନୁଭୂତିକୁ ବର୍ଣ୍ଣନା କରିବାକୁ ଇଚ୍ଛା ପ୍ରକାଶ କରୁଛି । କାରଣ ତାଙ୍କର କୃଷି ପାଇଁ ତ୍ୟାଗ ଓ ବଳିଦାନର ଗାଥା ସତରେ ସବୁ ଯୁବପିଢ଼ୀଙ୍କ ପାଇଁ ଆଦର୍ଶର ବାର୍ତ୍ତା ବହନ କରିବ । ବତ୍ତର୍ମାନ ସମୟରେ ଯୁବସମାଜ କୃଷି ପ୍ରତି ବିମୁଖ ହେଉଥିବା ସମୟରେ ସେ ନିଜ ପରିଣତ ବୟସରେ ବି କୃଷି ପାଇଁ ବେଶ ଯତ୍ନଶୀଳ । ତାଙ୍କର ପ୍ରତିଟି ଶ୍ରମ ଚାଷ ପାଇଁ ସମର୍ପିତ ।

କୃଷି ପାଠ୍ୟକ୍ରମରେ ଚାରି ବର୍ଷ ପାଠ ପଢ଼ିବା ଭିତରେ ଏସବୁକୁ ଭଲ ଭାବରେ ବୁଝିସାରିଛି । ଶେଷ ବର୍ଷ ପାଠ୍ୟକ୍ରମରେ ଅନେକ ଚାଷୀଙ୍କ ସହ ମିଶିଛି । ବହୁତ କିଛି ନୂଆ କଥା ଜାଣିବାକୁ ବି ପାଇଛି । ଆଉ ଏତିକି ତ ବୁଝିଗଲି ସେମାନଙ୍କୁ କୌଶଳ ଶିଖେଇବା ଏକ ଧୃଷ୍ଟତା , କାରଣ ପ୍ରଥମରୁ ସେମାନେ କୁଶଳୀ । ସେ ମାଟିର ବିନ୍ଧାଣୀ । ତାଙ୍କୁ ବା ଆମେ କଣ ପ୍ରଶିକ୍ଷଣ ଦେବୁ । ଏସବୁ ଭିତରେ ଏକ ଜାତୀୟ କନଫେରେନ୍ସରେ ଯୋଗ ଦେବାକୁ ମୁଁ ରାୟପୁର ଯାଇଥାଏ । କିନ୍ତୁ ମୁଁ ଅପେକ୍ଷା କରିଥିଲି ଜଣଙ୍କୁ , ଯାହାଙ୍କ ମୁହଁରୁ ପ୍ରକୃତ ଚାଷୀର କଥା ଶୁଣିବାକୁ ଅନେକ ବର୍ଷ ପୂର୍ବରୁ ଅପେକ୍ଷା କରିଥିଲି । ବହୁତ ଥର ତାଙ୍କ ନାଁ ଶୁଣିଛି । ଅନେକ ଖବରକାଗଜ ଆଉ ଟିଭିରେ ତାଙ୍କ ସାକ୍ଷାତକାର ବି ଦେଖିଛି । ଖୁବ ଶାନ୍ତ , ସରଳ ଆଉ ଭଦ୍ର ବ୍ୟକ୍ତିତ୍ୱର ଅଧିକାରୀ । ଚାଷ କଣ – ପୁରା ପାଖରୁ ନିରିଖେଇ ଦେଖିଛନ୍ତି । ବୟସର ଅପରାହ୍ନରେ ବି ସେ ବେଶ ତେଜିୟାନ ଲାଗନ୍ତି । ତାଙ୍କ ବକ୍ତବ୍ୟରେ ମାଧୁର୍ଯ୍ୟ ଝରିପଡ଼େ ।

୨୦୧୯ରେ ଭାରତର ଶ୍ରେଷ୍ଠ କୃଷକ ତଥା ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି । ଉତ୍ତରପ୍ରଦେଶ ରାଜ୍ୟର ବୁଲନ୍ଦସର ସହରର ଏକ ଛୋଟ ଗାଁର ଚାଷୀ । ନାଁ ଭାରତ ଭୂଷଣ ତ୍ୟାଗୀ । ନାଁ ଯେମିତି ସତରେ ବି ସେ ଭାରତମାତାର ସୁଯୋଗ୍ୟ ସନ୍ତାନ । ବହୁତ ଇଚ୍ଛା ଥିଲା ମୁଁ ବି ତାଙ୍କର ଗୋଟିଏ ସାକ୍ଷାତକାର ନେବି । ସେ ଯାହା ବି ହେଉ ସେଦିନ ତାଙ୍କୁ ଦେଖିବାକୁ ଆଉ ତାଙ୍କ ମୁହଁରୁ କେଇପଦ କଥା ଶୁଣିବାକୁ ମୁଁ ଅନେଇବସିଥିଲି ।

ବକ୍ତବ୍ୟ ଆରମ୍ଭ କରିବାର ପ୍ରଥମ ଧାଡ଼ି କହିଥିଲେ – ମୁଁ ଜଣେ ସାଧାରଣ କୃଷକ । ପଦ୍ମଶ୍ରୀ ପାଇଲେ ବି ମୁଁ ଆଗରୁ ଯେମିତି ଚାଷ କରୁଥିଲି ,ଏବେ ବି ଠିକ୍ ସେମିତି ଚାଷ କରୁଛି । କଥା ଛଳରେ ଅନେକ କିଛି ଗୁଢ଼ ତତ୍ତ୍ୱ କହିଗଲେ । ଚାଷୀ କିପରି ବଜାର ସହ ଜଡ଼ିତ ତାର ମହତ୍ତ୍ୱ ବି ବୁଝାଇଦେଲେ । ଚାଷୀଟିଏ ପ୍ରଥମେ ଜମି ହଳ କରିବା ପାଇଁ ଟ୍ରାକ୍ଟର ବା ପାୱାରଟିଲର ଦରକାର କରେ , ତାହା ବଜାରରେ ମିଳିଥାଏ , ଏହା ପରେ ମଂଜି ବଜାରରୁ ଆସେ , ସାର ବି ବଜାରରୁ , ଔଷଧ ବି ବଜାରରୁ , ପାଣି ପାଇଁ ମୋଟର ବି ବଜାରରୁ , ଅମଳ ସାରି ବିକ୍ରି ବି ବଜାରରେ ହୁଏ । ଏସବୁଥିରେ ବଜାର ଶବ୍ଦ ଏତେଥର ଯୋଡ଼ିବାର କାରଣ ଖୋଜୁଖୋଜୁ ଜାଣିବାକୁ ପାଇଲି ଯେ – ଚାଷୀ ଯେବେ ବଜାର ଛାଡ଼ି ପ୍ରକୃତିର ଅର୍ଥକୁ ବୁଝିବ ସେବେ ପ୍ରକୃତ ଚାଷ କଣ ଜାଣିପାରିବ । ସେଥିପାଇଁ ତ୍ୟାଗୀଜୀ ସବୁସମୟରେ କୁହନ୍ତି ପ୍ରକୃତି ଆମକୁ କଣ କହୁଛି ତାହାକୁ ବିଶ୍ଲେଷଣ କରିବା ଆବଶ୍ୟକ । କନଫେରେନ୍ସ ସରିଲା ପରେ ତ୍ୟାଗୀ ଜି ଙ୍କୁ ଭେଟିବାକୁ ଗଲି । ଦଶ ମିନିଟ କଥାବାର୍ତ୍ତାରୁ ତାଙ୍କ ସରଳତା ଓ ବାଗ୍ମୀତାକୁ ଠିକ ଭଲ ଭାବରେ ବୁଝିପାରିଲି । ମନରେ ଗର୍ବ ବୋଲି ଟିକିଏ ଜିନିଷ ନାହିଁ । ସେବେଠାରୁ ପ୍ରାୟ ତିନିମାସ ଯାଏଁ ମୁଁ କିଛି ଯୋଗାଯୋଗ କରିପାରିନଥିଲି ବ୍ୟସ୍ତତା ଯୋଗୁଁ ।

ଏଇ କିଛି ଦିନ ତଳେ ତାଙ୍କ ସାକ୍ଷାତକାର ପାଇଁ ଫୋନ କରି ଯେବେ ମୋ ପରିଚୟ ଦେଲି ତତ୍‌କ୍ଷଣାତ୍ ହଁ ଜାଣିପାରିଲି ବୋଲି କହି ପ୍ରଶ୍ନ ପଚାରିବାକୁ ଅନୁମତି ଦେଲେ । ମୁଁ ପ୍ରଶ୍ନ କଣ ପଚାରିବି ତାଙ୍କ ଉଦାରତା ଆଉ କଥା କହିବାର ଚାତୁର୍ଯ୍ୟରେ ଭାବବିହ୍ୱଳ ହୋଇଗଲି । ଉଦାହରଣ ଦେଇ କହିଲେ ତୁମେ ସିନା ପାଠୁଆ ପିଲା ଗୁଡ଼ା , ଚାକିରୀ ଆଉ ପଇସା ପାଇଁ ପାଗଳ ହୋଇ କୁଆଡ଼େ କୁଆଡ଼େ ଯାଉଛ । କେବେ ନିଜ ଗାଁ କଥା ଚିନ୍ତା କର । ଜାଣି ପାରବ ମାଟି ସହ ମମତାର ନିବିଡ଼ ସମ୍ପର୍କ କଣ । ଚାଷ କଣ କେହି କାହାକୁ ବୁଝାନ୍ତିନି । ଏହା ଏକ
କର୍ମସିକ୍ତ ଉଚ୍ଚାରଣ । ଏଥିପାଇଁ କେବଳ ଦୃଢ଼ ମନୋବଳ ଆବଶ୍ୟକ ।

ତାଙ୍କ କଥାବାର୍ତ୍ତାରୁ ଜାଣି ପାରିଲି ସେ ନିଜେ ପାଂଚ ଏକର ଜମିରେ ଚାଷ କରିଆସୁଛନ୍ତି । ଆଉ ଗୋଟିଏ କ୍ଷେତରେ କିପରି ଅଧିକ ରୁ ଅଧିକ ଫସଲ ଲଗାଯାଇପାରିବ, ସେ ଦିଗରେ ଧ୍ୟାନ ଦିଅନ୍ତି । ବଜାରରୁ ସାର କି ଔଷଧ ନ କିଣି ନିଜ ଘରେ ପ୍ରସ୍ତୁତ କରନ୍ତି ଜୈବିକ କୀଟନାଶକ । ଗୋଟିଏ କଥା ବେଶ ସ୍ପଷ୍ଟ ଭାବରେ ବୁଝିପାରିଲି ଚାଷୀଙ୍କର ଆୟ ଦୁଇଗୁଣ କରିବାକୁ ହେଲେ ଯୋଜନାଠୁ ଅଧିକ ଚାଷୀର ଇଚ୍ଛାଶକ୍ତି ଦରକାର ।
କାରଣ ଚାଷୀ ହିଁ ପରିବର୍ତ୍ତନର ମାର୍ଗଦର୍ଶକ । ସୁତରାଂ ଭାରତ ଭୂଷଣ ତ୍ୟାଗୀଙ୍କର ମୋର କିଛି ସମୟ ବାର୍ତ୍ତାଳପ ମୋତେ ଚାଷୀ ଓ ଚାଷର ଗହନ କଥାକୁ ଆଉ ଟିକେ ବେଶୀ ମନେ ପକାଇଦେଲା । ବୁଝିପାରିଲି ଜଣେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ବି ମନରେ ଟିକିଏ ଲୋଭ ନାହିଁ । କାରଣ ସିଏ ସମ୍ପୂର୍ଣ୍ଣ ଭାବରେ ମାଟି ସହ ଜଡ଼ିତ । ସତରେ ଚାଷୀ ହିଁ ଏ ଧରିତ୍ରୀମାତାର ଅମୃତସନ୍ତାନ । ତାରି ପାଇଁ ଆମେ ତ ବଂଚିବାର ସ୍ୱପ୍ନ ଦେଖୁଛେ । ନହେଲେ ଖାଦ୍ୟ ବିନା ଏ ସଂସାର ଯେ ଜୀବଶୂନ୍ୟ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ଏ ସଂସାରର
ଚାଷୀକୁଳ ପାଖରେ ମୋର ଶତଶତ ନମନ ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ)

Comments are closed.