Latest Odisha News

BREAKING NEWS

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ।

ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ ଛତିଶଗଡ଼ରେ ଭିନ୍ନ ଏକ ରାଜନୈତିକ ଘଟଣାକ୍ରମକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ନିଜ ନିଜର ସରକାର ଗଢ଼ିବା ନେଇ ଦାବି କରୁଥିବା ବେଳେ ବାଜି ମଧ୍ୟ ଲାଗୁଛି। ଛତିଶଗଡ଼ରେ ସରକାର ଗଢିବାକୁ ନେଇ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ବାଜି ଲାଗିଥିବା ଦେଖିବାକୁ ମିଳିଛି।

ବିଜେପି ନେତା ବିଜୟ ନେଇ ଦୁଇ ଲକ୍ଷ ଟଂକାର ବାଜି ଲଗାଇଥିବା ବେଳେ କଂଗ୍ରେସ ଅଢେଇ ଲକ୍ଷ ଟଙ୍କାର ବାଜି ଲଗାଇଛି। ଡିସେମ୍ବର ତିନି ତାରିଖରେ ଫଳାଫଳ ଆସିବାକୁ ଥିବାବେଳେ ଉଭୟ ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ଏଭଳି ବାଜି ଲାଗିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ବିଜେପି ମୁଖପାତ୍ର ଗୌରୀଶଙ୍କର ଶ୍ରୀବାସ ଦଳର ବିଜୟ ଦାବି କରିବା ସହ ଦୁଇ ଲକ୍ଷ ଟଙ୍କାର ବାଜି ଲଗାଇଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ସୁବୋଧ ହରିତବାଲ ଜିତିବା ଦାବି କରିବା ସହ ଅଢେଇ ଲକ୍ଷ ଟଙ୍କାର ବାଜି ଲଗାଇଛନ୍ତି।

ଉଭୟ ଟ୍ୱିଟ ମାଧ୍ୟମରେ ଏହି ବାଜି ଲଗାଇଛନ୍ତି। ଏହି ଅବସରରେ ଉଭୟ ମୁଖପାତ୍ର ପରସ୍ପରକୁ ଟାର୍ଗେଟ କରିବା ସହ ପରସ୍ପରର ବିଜୟ ନେଇ ଦାବି ରଖିଛନ୍ତି।

ବିଜେପି ମୁଖପାତ୍ର ଗୌରୀଶଙ୍କର ଶ୍ରୀବାସ ଲେଖିଛନ୍ତି କି ଆଉ କିଛି ଦିନରେ ଛତିଶଗଡ କଂଗ୍ରେସ ମୁକ୍ତ ହେବାକୁ ଯାଉଛି। ଭୟ, ଭୋକ, ଭ୍ରଷ୍ଟାଚାର ଶେଷ ଓ ସୁଶାସନ ଆଣିବୁ ବୋଲି ସେ କହିଛନ୍ତି।

ଏଥିରେ ସେ କଂଗ୍ରେସ ମୁଖପାତ୍ର ସୁବୋଧ ହରିତବାଲଙ୍କୁ ଟ୍ୟାଗ କରିବା ସହ ଦୁଇ ଲକ୍ଷ ଟଙ୍କାର ବାଜି ଲଗାଇଛନ୍ତି। ସେପଟେ ଏହି ଟ୍ୱିଟର ଜବାଵ ଦେଇ ସୁବୋଧ ଏହି ଚ୍ୟାଲେଞ୍ଜ ସ୍ୱୀକାର କରିଛନ୍ତି।

କମିଶନବାଜ ବିଜେପିକୁ ଛତିଶଗଡ଼ବାସୀ କୌଣସି ସୁଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି। ଏପରିକି ଏଥିରେ ଆଉ ଏକ ସର୍ତ୍ତ ଲଗାଇ ସୁବୋଧ କହିଛନ୍ତି କି ଯଦି କଂଗ୍ରେସ ଜିତିଲା ତ ଦୁଇଲକ୍ଷ ଟଙ୍କା ନେବେ ଓ ଯଦି ବିଜେପି ଜିତିଲା ଅଢେଇ ଲକ୍ଷ ଟଙ୍କା ଦେବେ ବୋଲି ସେ କହିଛନ୍ତି।

ତେଣୁ ଏଭଳି ଏକ ପ୍ରସଙ୍ଗକୁ ନେଇ ଛତିଶଗଡ ରାଜନୀତି ଚଳଚଞ୍ଚଳ ହୋଇଛି। ବିଭିନ୍ନ ସର୍ଭେ ଅନୁଯାୟୀ ଛତିଶଗଡରେ କଂଗ୍ରେସ ସରକାର ରିପିଟ ହେବ ବୋଲି କୁହାଯାଉଥିବାବେଳେ ବିଜେପିର ସିଟ ପୂର୍ବାପେକ୍ଷା ବଢିବ ବୋଲି କୁହାଯାଉଛି।

ତେଣୁ ଏସବୁ ମଧ୍ୟରେ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ଟଙ୍କାର ବାଜି ଚର୍ଚ୍ଚାକୁ ଆହୁରି ବଢାଇଦେଇଛି।

Leave A Reply

Your email address will not be published.