Latest Odisha News

BREAKING NEWS

ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର, ରାଜସ୍ଥାନ ଓ ଛତିଶଗଡରେ ତୁଟୁନି ବିବାଦ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟପ୍ରଦେଶରେ କମଳନାଥଙ୍କୁ ଚୟନ କରାଯାଇଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ପଥ ପରିଷ୍କାର ହୋଇପାରିନାହିଁ ।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ କମଳନାଥ ସୋମବାର ଦିନ ଭୋପାଳର ଲାଲ ପ୍ୟାରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ଅନ୍ୟତମ ମୁଖ୍ୟମନ୍ତ୍ରୀ ଦାମୀଦାର ଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ଚାଲିଥିବା ବେଳେ ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନେ କଂଗ୍ରେସ ଶିବିରରେ ବହୁ ଆଲୋଚନା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କମଳନାଥଙ୍କୁ ସ୍ଥିର କରାଯାଇଥିଲା । ରାଜସ୍ଥାନ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ନେଇ ସଂକଟ ଜାରି ରହିଛି ।

ସୂଚନା ଅନୁଯାୟୀ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସଚିନ ପାଇଲଟ ଓ ଅଶାକ ଗେହଲଟ ରହିଥିôବା ବେଳେ ଛତିଶଗଡରେ ଏହି ପଦବୀ ପାଇଁ ୩ଜଣ ଦାବିଦାର ରହିଛନ୍ତି । ଏପଟେ ରାଜସ୍ଥାନରେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ସଚିନ ପାଇଲଟ ରହିଥିବାବେଳେ ବରିଷ୍ଠ ସମର୍ଥକମାନେ ଅଭିଜ୍ଞ ଗେହଲଟଙ୍କ ସମର୍ଥନ କରିଛନ୍ତି । ନିଜ ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଉଭୟ ନେତାଙ୍କ ସମର୍ଥକମାନେ ଦାବି କରୁଥିବ ଯୋଗୁଁ ଏହାକୁ ନେଇ ଦଳ ମଧ୍ୟରେ ଉଷ୍ମ କନ୍ଦଳ ଲାଗି ରହିଥିବା ନେଇ ରାଜନୈତିକ ସୁତ୍ରରୁ ଅନୁମାନ କରାଯାଉଛି ।

ଏଭଳି ପରିସ୍ଥିତିରେ ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତି ନେବାରେ ସାମାନ୍ୟ ଏପଟସେପଟ ହେଲେ ଦଳୀୟ କନ୍ଦଳ ସୃଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ଅନ୍ୟପକ୍ଷରେ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭୂପେଶ ବାଘେଲ, ଟିଏସ୍ ସିଂହ ଦେଓ ଏବଂ ତାମ୍ବ୍ରଧ୍ୱଜ ସାହୁ ଦାବିଦାର ରହିଥିବା ନେଇ ସୂଚନା ମିଳିଛି । ଏଥିସହ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ଶିବିରରେ ଘନଘନ ବୈଠକ ଅନୁଷ୍ଠିତ ହେଉଥିବା ବେଳେ କାହାକୁ ମୁଖ୍ୟମନ୍ତ୍ରୀ ମୁକୁଟ ମିଳିବ ସେନେଇ ସାରା ଦେଶରେ ଉତ୍ସାହ ଲାଗି ରହିଛି ।

Leave A Reply

Your email address will not be published.