Latest Odisha News

BREAKING NEWS

ପୃଥିବୀ ଆଡକୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ, ୨୫ରେ ପିଟି ହେବ କି ?

ଭୁବନେଶ୍ୱର: ପୃଥିବୀ ସହ ଗ୍ରହଣୁର ଧକ୍କା ହେବ । ବିଭିନ୍ନ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ । ଟିଭି, ଖବରକାଗଜ ସମେତ ସୋସିଆଲ୍ ମିଡିଆରେ ଏଭଳି ଖବରକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୁଏ । ଆସନ୍ତା ୨୫ ତାରିଖରେ ପୃଥିବୀ ସହ ଗ୍ରହାଣୁର ଧକ୍କା ହେବା ନେଇ ଚର୍ଚ୍ଚା ଚାଲିଛି । ସତରେ କଣ ପୃଥିବୀ ସହ ଧକ୍କା ହେବ ?

ଏହି ଗ୍ରହାଣୁର ନାଁ ୨୦୦୮ ଜିଓ-୨୦ । ଯାହାକୁ ୨୦୦୮ ମସିହାରେ ଆବିଷ୍କାର କରାଯାଇଥିଲା । ଆସନ୍ତା ୨୫ ତାରିଖରେ ଭାରତୀୟ ସମୟ ପାଖାପାଖି ରାତି ୧୧ଟା ୨୧ ମିନିଟରେ ଏହା ପୃଥିବୀର ନିକଟତର ହେବ । ସେତେବେଳେ ପୃଥିବୀଠାରୁ ଗ୍ରହାଣୁର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ରୁ ୧୨ ଗୁଣା ଦୂରତାରେ ରହିବ ।

ଏହି ଗ୍ରହାଣୁର ବେଗ ଘଣ୍ଟାପ୍ରତି ହାରାହାରି ୨୯ହଜାର କିଲୋମିଟର ବା ସେକେଣ୍ଡ ପ୍ରତି ୮ କିମି ରହିବ । ବୈଜ୍ଞାନିକଙ୍କ ମତରେ ଏହାର ଲମ୍ବ ୨୩୦ ମିଟର ଏବଂ ଓସାର ୯୭ ମିଟର । ପୂର୍ବରୁ ୨୦୦୮, ଜୁନ୍ ୨୦ ତାରିଖରେ ପୃଥିବୀର ନିକଟତର ହୋଇଥିଲା । ସେହିପରି ଆଗକୁ ୨୦୩୪ ମସିହା ଜୁଲାଇ ୨୪ ତାରିଖରେ ପୃଥିବୀ ପାଖକୁ ଆସିବ ।

ତେଣୁ ଗ୍ରହାଣୁ ୨୦୦୮ ଜିଓ-୨୦ ପୃଥିବୀ ନିକଟତର ହେଉଥିଲେ ବି ଲକ୍ଷାଧିକ କିଲୋମିଟର ଦୂରରେ ରହିଛି । ତେଣୁ ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ କି କିଛି କ୍ଷତି ହେବନାହିଁ ବୋଲି କହିଛନ୍ତି ବୈଜ୍ଞାନିକ । ସୂର୍ୟ୍ୟ ଚାରିପଟେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ଅନେକ ଗ୍ରହାଣୁ ପରିକ୍ରମା କରୁଛନ୍ତି ।

ସେହି ଗ୍ରହାଣୁଙ୍କ ଭିତରୁ କିଛି କେତେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ତାରି ଆଡକୁ ଟାଣି ହୋଇ ଆସନ୍ତି । ସେଗୁଡ଼ିକ ଭିତରୁ ୯୯ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ପୋଡ଼ି ପାଉଁଶ ହୋଇଯାଆନ୍ତି । ବୈଜ୍ଞାନିକମାନେ ଏବେ ପୃଥିବୀର ନିକଟତର ଥିବା ୨୩ ହଜାର ୪୨୮ରୁ ଅଧିକ ବଡ଼ ଆକାରର ଗ୍ରହାଣୁଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

ଏଥିରୁ ୧ହଜାର ୭୫ଟି ଗ୍ରହାଣୁକୁ ବିପଦଜନକ ତାଲିକାଭୁକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରିସର୍ଚ୍ଚରୁ ଜଣା ପଡ଼ିଛି ୨୦୬୮ ମସିହା ଯାଏ କୌଣସି ବଡ଼ ବସ୍ତୁ ବା ପିଣ୍ଡ ପୃଥିବୀକୁ ଧକ୍କା ଦେବାର ବିପଦ ନାହିଁ ।

Leave A Reply

Your email address will not be published.