Bab el-Mandeb crisis: ଭାରତ ମୁଣ୍ଡ ଉପରେ ବଡ ବିପଦ! ହର୍ମୁଜ୍ ପରେ ବାବ୍-ଏଲ୍-ମାନ୍ଦେବ୍ରେ ସଙ୍କଟ, ଭାରତକୁ କେମିତି ଆସିବ ତେଲ?
ନୂଆଦିଲ୍ଲୀ: ସମୁଦ୍ରରେ ବଢୁଛି ତେଲ ସଙ୍କଟ… ଗୋଟିଏ ପଟେ ହର୍ମୁଜ୍ ପ୍ରଣାଳୀକୁ ନେଇ ସଙ୍କଟ, ଅନ୍ୟପଟେ ବାବ୍-ଏଲ୍-ମାନ୍ଦେବ୍ ସମୁଦ୍ରପଥରେ ହୁତି ଯୋଦ୍ଧାଙ୍କ ଆକ୍ରମଣର ଭୟ। ଏହାର ପ୍ରଭାବ ଏବେ ଭାରତ ଉପରେ ମଧ୍ୟ ପଡ଼ିବା ଆଶଙ୍କା ବଢୁଛି। ଯଦିଓ ଭାରତରେ ଏବେ ପେଟ୍ରୋଲ୍-ଡିଜେଲ୍ ଦର ଅପରିବର୍ତ୍ତିତ ରହିଛି, କିନ୍ତୁ ପ୍ରଶ୍ନ କେବଳ ଦରର ନୁହେଁ, ବରଂ ତେଲ ଯୋଗାଣର ମଧ୍ୟ।
ଭାରତର ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ ଉପରେ ନିର୍ଭରଶୀଳ। ସାଉଦି ଆରବ, ଇରାକ୍ ଓ ୟୁଏଇ ଭଳି ଦେଶରୁ ଭାରତ ଅଶୋଧିତ ତେଲ ଆଣିଥାଏ। କିନ୍ତୁ ଏବେ ସମୁଦ୍ରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ପ୍ରଥମଟି ହେଉଛି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍। ଏହି ରାସ୍ତା ଦେଇ ପାର୍ସିଆନ୍ ଗଲ୍ଫ୍ରୁ ତେଲ ବିଶ୍ୱର ବିଭିନ୍ନ ଦେଶକୁ ଯାଏ। ହେଲେ ଇରାନ ଯୁଦ୍ଧ ପାଇଁ ଏହି ରାସ୍ତା ଏବେ ସୀମିତ ରହିଛି । ଅନ୍ୟପଟେ ରେଡ୍ ସି’ର ବାବ୍-ଏଲ୍-ମାନ୍ଦେବ୍ ରାସ୍ତା । ଏହି ସମୁଦ୍ରପଥ ରେଡ୍ ସି’କୁ ଗଲ୍ଫ୍ ଅଫ୍ ଏଡେନ୍ ଓ ଭାରତ ମହାସାଗର ସହ ଯୋଡ଼ିଥାଏ। ମଧ୍ୟପ୍ରାଚ୍ୟରୁ ଭାରତକୁ ତେଲ ଆଣିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ଯଦି ଏହି ଦୁଇଟି ମୁଖ୍ୟ ରାସ୍ତାରେ ତେଲ ଟ୍ୟାଙ୍କର୍ ଚଳାଚଳ ବାଧାପ୍ରାପ୍ତ ହୁଏ, ତେବେ ତେଲ ନେଇ ଜାହାଜଗୁଡ଼ିକୁ ଲମ୍ବା ରାସ୍ତା ବାଛିବାକୁ ପଡ଼ିପାରେ।
ହର୍ମୁଜ୍ରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ଆରବର ପଶ୍ଚିମ ପଟର ୟାନବୁ ବନ୍ଦର ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ସାଉଦି ଆରବର ଇଷ୍ଟ-ୱେଷ୍ଟ ପାଇପଲାଇନ୍ ଦେଇ ତେଲକୁ ଦେଶର ପୂର୍ବ ପଟରୁ ପଶ୍ଚିମ ପଟକୁ ନେଇ ୟାନବୁରୁ ଜାହାଜରେ ପଠାଯାଇପାରେ। କିନ୍ତୁ ୟାନବୁରୁ ଭାରତ ଆସିବାକୁ ସାଧାରଣତଃ ଜାହାଜକୁ ରେଡ୍ ସି’ ଦେଇ ବାବ୍-ଏଲ୍-ମାନ୍ଦେବ୍ ପାର ହେବାକୁ ପଡ଼େ। ହେଲେ ବର୍ତ୍ତମାନ ସେଠି ହୁତି ଆକ୍ରମଣର ଭୟ ଯୋଗୁଁ ଏହି ରାସ୍ତା ବିପଦପୂର୍ଣ୍ଣ ହେଲେ ଜାହାଜଗୁଡ଼ିକୁ ବିକଳ୍ପ ରାସ୍ତା ନେବାକୁ ପଡ଼ିପାରେ। ଏମିତି ସ୍ଥିତିରେ ଗୋଟିଏ ବିକଳ୍ପ ହେଉଛି ସୁଏଜ୍ କେନାଲ୍ ଦିଗରେ ଯିବା। କିନ୍ତୁ ସେଠାରୁ ଭାରତ ଆସିବାକୁ ଜାହାଜକୁ ଆଫ୍ରିକା ଚାରିପଟେ ଲମ୍ବା ରାସ୍ତା ନେବାକୁ ପଡ଼ିପାରେ। ଏଥିରେ ସମୟ ବଢ଼ିବ, ଜାହାଜ ଭଡ଼ା ଓ ବୀମା ଖର୍ଚ୍ଚ ମଧ୍ୟ ବଢ଼ିପାରେ।
ଏହା ସହ ସାଉଦି ଆରବର ଇଷ୍ଟ-ୱେଷ୍ଟ ପାଇପଲାଇନ୍ ଉପରେ ଆକ୍ରମଣ ନେଇ ରିପୋର୍ଟ ମଧ୍ୟ ଚିନ୍ତା ବଢ଼ାଇଛି। ପାଇପଲାଇନ୍ ମରାମତି ହେଲେ ମଧ୍ୟ ଲମ୍ବା ସମୁଦ୍ରପଥ ଯୋଗୁଁ ଯୋଗାଣ ମହଙ୍ଗା ହେବାର ଆଶଙ୍କା ରହିଛି।
ତେବେ ଏବେ ଭାରତରେ ପେଟ୍ରୋଲ୍-ଡିଜେଲ୍ ଦରରେ ବଡ଼ ପରିବର୍ତ୍ତନ ଦେଖାଯାଇନଥିଲେ ମଧ୍ୟ, ଦୀର୍ଘ ସମୟ ଧରି ସମୁଦ୍ରପଥରେ ବାଧା ରହିଲେ ତେଲ ଯୋଗାଣ, ପରିବହନ ଖର୍ଚ୍ଚ ଓ ଆମଦାନୀ ଉପରେ ଚାପ ବଢ଼ିପାରେ। ତେବେ ଏହି ସମୟରେ ଭାରତ ପାଖରେ ଆଉ ଏକ ବଡ଼ ବିକଳ୍ପ ଅଛି, ଅନ୍ୟ ଦେଶରୁ ଅଧିକ ତେଲ କିଣିବା। ରୁଷିଆ, ଇରାକ୍, ଆଫ୍ରିକା ଓ ଲାଟିନ୍ ଆମେରିକା ଭଳି ବିଭିନ୍ନ ଅଞ୍ଚଳରୁ ଭାରତ ତେଲ ଆମଦାନୀ କରିପାରେ।
ତେଣୁ ହର୍ମୁଜ୍ ଓ ବାବ୍-ଏଲ୍-ମାନ୍ଦେବ୍ରେ ଦୀର୍ଘ ସମୟ ସଙ୍କଟ ରହିଲେ ଭାରତରେ ହଠାତ୍ ତେଲ ଶେଷ ହୋଇଯିବ ନାହିଁ। କିନ୍ତୁ ତେଲ ଆଣିବାର ଖର୍ଚ୍ଚ ବଢ଼ିବା ଓ ଯୋଗାଣ ଉପରେ ଚାପ ବଢ଼ିବା ବଡ଼ ଚିନ୍ତାର କାରଣ ହୋଇପାରେ।

