Latest Odisha News

BREAKING NEWS

ହତ୍ୟାର ୩ ମାସ ପରେ ଏତଲା, ୪ ଦିନରେ ୪ ଗିରଫ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ମାସରେ ହୋଇଥିବା ହତ୍ୟା ନେଇ ମେ ୨୨ରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗର ୪ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ପୋଲିସ ୪ ଭାଇଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ।

ସୂଚନା ପ୍ରକାରେ, ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡାଗୁଡ଼ା ଅଞ୍ଚଳରେ କେଡୁ ଯାତ୍ରା (ପୋଢ଼ ଯାତ୍ରା) ଚାଲିଥିଲା । ବୁଡାଗୁଡ଼ା ପଞ୍ଚାୟତ ଗେରେଙ୍ଗାକିଆ ଗାଁର ପାଉଲ ପ୍ରଧାନଙ୍କୁ ଘରୁ ଡାକି ନେଇ ଚାରିଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୧୪ ତାରିଖ କେଡୁ ଯାତ୍ରା ଦିନ ସନ୍ଧ୍ୟା ସମୟରେ ପୋଢ଼ ମାଂସ ଖାଇବାକୁ ଗାଁର ଚାରିଭାଇ ପାଉଲକୁ ଘରୁ ଡାକି ନେଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନା ମୁତାବକ ୫୮ ବର୍ଷୀୟ ପାଉଲଙ୍କୁ ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ନିକଟରେ ହତ୍ୟା କରି ପୋଲ ତଳେ ପାଣି ଜମି ଥିବା ଏକ ଖାଲରେ ପକାଇଦେଇ ଚାଲିଯାଇଥିଲେ ହତ୍ୟାକାରୀ ।

ମାର୍ଚ୍ଚ ୧୪ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୧୬ ତାରିଖରେ ପୋଲ ନିକଟସ୍ଥ ପାଣି ଥିବା ସେହି ଖାଲରେ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପାଉଲଙ୍କ ପରିବାର ଖ୍ରୀଷ୍ଟିୟ ଧର୍ମର ହୋଇଥିବାରୁ ସେଠାରୁ ଶବ ଉଦ୍ଧାର ପରେ ପାଉଲଙ୍କ ମର ଶରୀରକୁ ସମ୍ପର୍କୀୟ ଲୋକଙ୍କ ସହଯୋଗରେ ସମାଧି ଦିଆଯାଇଥିଲା । କିନ୍ତୁ ପାଉଲଙ୍କ ସ୍ତ୍ରୀ ଶ୍ରୀକଲା ପ୍ରଥମରୁ ହିଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିଲେ ।

ପରେ ନିଜର ଏକମାତ୍ର ପୁଅ ସଞ୍ଜିରାମ ପ୍ରଧାନ କେରଳରେ କାମ କରୁଥିବା ବେଳେ ମା ଶ୍ରୀକଲା ଫୋନ୍ ଯୋଗେ ପୁଅକୁ ସମସ୍ତ ବିଷୟ ଜଣାଇଥିଲେ । ପୁଅ ଗାଁକୁ ଫେରିବା ପରେ ଗାଁରେ ଏନେଇ ଆଲୋଚନା ହୋଇଥିଲା କିନ୍ତୁ କୌଣଶି ସମାଧାନ ହୋଇ ପାରିନଥିଲା । ପରେ ପୁଅ ସଞ୍ଜିରାମ ଏନେଇ ବାଲିଗୁଡ଼ା ଥାନାରେ ଚଳିତ ମାସ ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୋଗ ହେବା ଜାଣି ହତ୍ୟାକାରୀ ଗୋଷ୍ଠୀ ମୃତକଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ଆଶୁତୋଷ ପାଇକରାୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ଆନୁସଙ୍ଗିକ ଅଭିଯୋଗରେ ମାମଲା ରୁଜୁ କରି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ।

ପୋଲିସ ୪ ଭାଇ ପୂନ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନଙ୍କୁ ଗିରଫ କରିଛି । ହତ୍ୟାକୁ ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଧର୍ମାନ୍ତରୀକରଣକୁ ନେଇ ଗାଁରେ ପୂର୍ବରୁ ବିବାଦ ଥିବାବେଳେ ଜମିବାଡ଼ି ଓ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି ।

ଅନ୍ୟପଟେ ପୂର୍ବରୁ ବୁଡାଗୁଡ଼ାରେ ଏକ ପୋଲିସ୍ ଫାଣ୍ଡି ଥିଲା ଯାହାକି ଏବେ ବନ୍ଦ ହୋଇ ରହିଛି । ସେଠାରେ ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ଫାଣ୍ଡି ଖୋଲୁନି କି କର୍ମଚାରୀ ନିୟୋଜିତ ହୋଇ ନାହାନ୍ତି । ଫଳରେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଛି । ଏଥିପ୍ରତି ନଜର ଦେଇ ଫାଣ୍ଡି ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.