Latest Odisha News

‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଧଉଳି ବୁକ୍ସ, ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ମନୁ ଦାଶଙ୍କ ସହାୟତାରେ ଲେଖକ ସନ୍ତୋଷ କୁମାର ମହାନ୍ତିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ ହୋଇଯାଇଛି । ଏହି ପୁସ୍ତକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ପ୍ରାୟ ସମସ୍ତ ପ୍ରସଙ୍ଗ ତଥ୍ୟ ସହ ସମୁଦାୟ ୨୫ଟି ଅଧ୍ୟାୟ ରହିଛି ।

ଏହି ପୁସ୍ତକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ଅନେକ ତଥ୍ୟ ସରକାରୀ ବିବରଣୀ, ଉତ୍କଳ ସମ୍ମିଳନୀ ବିବରଣୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ, ବିଭିନ୍ନ ଚିଠିପତ୍ର, ପୁରୁଣା ବହି, ପତ୍ରପତ୍ରିକା, ପୂରାତନ ଖବରକାଗଜ ‘ଉତ୍କଳ ଦୀପିକା’, ‘ସମ୍ବଲପୁର ହିତୈଷିଣୀ’ ଆଦିରୁ ସଂଗ୍ରହ କରାଯାଇଛି । ଏଥି ସହିତ ଦେଶର ୧୦ଟି ରାଜ୍ୟ ସଙ୍ଗୀତ ଓଡ଼ିଆ ଲିପିରେ ପ୍ରସ୍ତୁତ ହୋଇଛି । ବହିରେ ସମୁଦାୟ ୧୧୧ଟି ଫଟୋ ବା ପ୍ରତିଲିପି ସ୍ଥାନ ପାଇଛି । ଏହି ପ୍ରତିଲିପିଗୁଡ଼ିକ ମଧ୍ୟରେ ସରକାରୀ ବିବରଣୀ, ବିଭିନ୍ନ ଚିଠିପତ୍ର, ଉତ୍କଳ ସମ୍ମିଳନୀ ବିବରଣୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ, କବିତାଟିର ୬ଟି ଭିନ୍ନଭିନ୍ନ ରୂପର ନମୁନା ଆଦି ସ୍ଥାନ ପାଇଛି । ୧୯୩୨ରେ ଗ୍ରାମଫୋନ୍ ରେକର୍ଡରେ ଏହି ଗୀତକୁ ଗାଇଥିବା କଣ୍ଠଶିଳ୍ପୀ ଗୋକୁଳ ମହାନ୍ତିଙ୍କର ଏକ ସଂକ୍ଷିପ୍ତ ପରିଚୟ ,ଏହି ପୁସ୍ତକରେ ସ୍ଥାନିତ ହୋଇଛି ।

ଏହା ସହ ଏହି ପୁସ୍ତକରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲୋକଦଳରେ ଥିବା ବେଳେ ସେହି ଦଳର ନିର୍ବାଚନୀ ପୋଷ୍ଟରରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଥିବା ଏକ ବିରଳ ପୋଷ୍ଟର ମଧ୍ୟ ସ୍ଥାନ ପାଇଛି । ଲେଖକ ଡକ୍ଟର ମହାନ୍ତି କବିତାଟିର ସବୁ ପଦର ଭାବାର୍ଥ ଏବଂ ପ୍ରତ୍ୟେକ ଶବ୍ଦର ଅର୍ଥ ବିଷୟରେ ସୂଚନା ଦେବା ସହ ‘ବନ୍ଦେ ଉତ୍କଳ ଜନନୀ’ କବିତା ସମ୍ପର୍କରେ ଥିବା କେତେକ ଭ୍ରମଧାରଣକୁ ଐତିହାସିକ ତଥ୍ୟ ଆଧାରରେ ଦୂର କରିବାପାଇଁ ଚେଷ୍ଟା କରିଛନ୍ତି ।

ବହିର ଆରମ୍ଭରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବଶା, ବିଶିଷ୍ଟ ଭାଷାବିଦ୍ ତଥା ସାହିତ୍ୟ ସମୀକ୍ଷକ ନଟବର ଶତପଥୀ, ଲେଖକ କମଳାକାନ୍ତ ମହାପାତ୍ର, ପ୍ରଖ୍ୟାତ ସାହିତ୍ୟ ସମାଲୋଚକ ଦେବେନ୍ଦ୍ର କୁମାର ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗର ପ୍ରାକ୍ତନ ମୁଖ୍ୟ ଯତୀନ୍ଦ୍ର କୁମାର ନାୟକ ଓ ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରର ଉପ-ନିର୍ଦ୍ଦେଶକ ତଥା ଐତିହାସିକ ଲଲାଟେନ୍ଦୁ ଦାସ ମହାପାତ୍ର ପ୍ରମୁଖ ଏହି ପୁସ୍ତକର ଗୁରୁତ୍ୱ ସମ୍ପର୍କରେ ବିଶେଷ ଆଲୋକପାତ କରିଛନ୍ତି ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ କବିତାଟି ୧୯୧୩ରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ଗାନ କରାଯାଇଥିଲା । ‘ବନ୍ଦେ ଉତ୍କଳ ଜନନୀ’କୁ ଗତ ବର୍ଷ ଜୁନ୍ ୭ ତାରିଖରେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇସାରିଥିବା ବେଳେ ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଅନ୍ତର୍ଭୁକ୍ତ ହେବା ସମ୍ପର୍କରେ  ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.