Latest Odisha News

ଚକୋଲେଟ୍ କିଣିବାକୁ ଆସି ଭାରତରେ ବନ୍ଧାହେଲା ବଙ୍ଗଳାଦେଶୀ

ଗିରଫ ଇମାନ୍ ନିୟମିତ ବ୍ୟବଧାନରେ ନଦୀ ପାର ହୋଇ ଭାରତୀୟ ସୀମାରେ ପ୍ରବେଶ କରୁଥିଲା

ଭୁବନେଶ୍ୱର: ଚକୋଲେଟ୍ ମୋହରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ବଙ୍ଗଳାଦେଶୀ ଯୁବକ । ପାଖରେ ନଥିଲା ସରକାରୀ ଦସ୍ତାବିଜ୍ । ଆବଶ୍ୟକ ମନେ କରୁନଥିଲା ପ୍ରମାଣ କି ଅନୁମତି ପତ୍ର । ଶେଷରେ ଏହି ଖାମ ଖିଆଲ୍ ମନୋଭାବ ହିଁ ସେହି ବଙ୍ଗଳାଦେଶୀ ଯୁବକକୁ ଭାରତରେ ଧରାପକାଇଛି ।

ବଙ୍ଗଳାଦେଶର ଶାଲଦା ନଦୀ କୂଳରେ ଥିବା ଏକ ଛୋଟ ଗାଁ ବାସିନ୍ଦା ଇମାନ୍ ହୁସୈନ୍ । ଏହି ଯୁବକ ଜଣକ ଚକୋଲେଟ୍ କିଣିବାକୁ ଆସି ବିଏସ୍‌ଏଫ୍‌(ବୋର୍ଡର୍ ସିକ୍ୟୁରିଟି ଫୋର୍ସ) ହାତରେ ଧରାପଡିଥିବା ନେଇ ସୂଚନା ରହିଛି । ବିଏସ୍‌ଏଫ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଇମାନ୍ ନିୟମିତ ବ୍ୟବଧାନରେ ନଦୀ ପାର ହୋଇ ଭାରତୀୟ ସୀମାରେ ପ୍ରବେଶ କରୁଥିଲା । ପରେ ତ୍ରିପୁରାର ସିପାହୀଜଲା ଜିଲ୍ଲାରୁ ନିଜ ମନ ପସନ୍ଦର ଚକୋଲେଟ୍ କିଣି ପୁନର୍ବାର ଫେରିଯାଉଥିଲା ।

ତଦନ୍ତରୁ ଜଣାପଡିଛି ସୀମାରେ ଥିବା ତାରବାଡ ଘେରାର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ଯିବାଆସିବା କରିବା ପାଇଁ ବାଟ ବାହାର କରିଥିଲା । ସେହିବାଟ ଦେଇ ସେ ସିପାହୀଜଲା ଜିଲ୍ଲା କସମଚୌରା ଗାଁରୁ ଚକୋଲେଟ୍ କିଣୁଥିଲା ।

ତେବେ ଅପ୍ରେଲ୍ ୧୩ ତାରିଖରେ ବିଏସ୍‌ଏଫ୍ ଇମାନର ରୋମାଂଚଭରା ଯାତ୍ରାରେ ଯବନିକା ପକାଇଥିଲା । ଭାରତୀୟ ସୀମା ଅତିକ୍ରମ କରିବା ସମୟରେ ବିଏସ୍‌ଏଫ୍ ଇମାନକୁ ଧରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥଲାବେଳେ ତାକୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇଯାଇଥିବା ନେଇ ସୋନାମୁରା ଏସ୍‌ଡିପିଓ ବନୋଜ ବିପ୍ଳବ ସୂଚନା ଦେଇଥିଲେ ।

ଜେରାରୁ ଜଣାପଡିଛି ଅଭିଯୁକ୍ତ ଜଣକ ବଙ୍ଗଳାଦେଶ କୋମିଲିଆ ଜିଲ୍ଲାର ବାସିନ୍ଦା । କେବଳ ଚକୋଲେଟ କିଣିବା ଲାଗି ସେ ଭାରତକୁ ଆସିଥିବା ସ୍ୱୀକାର କରିଛି । ଖାନ ତଲାସୀରେ ତା ପାଖରେ କେବଳ ବଙ୍ଗଳାଦେଶୀ୧୦୦ ଟାକା ମିଳିଥିଲାବେଳେ କୌଣସି ହତିଆର ଜବତ ହୋଇନି । ତେବେ ବିନା କାଗଡପତ୍ରରେ ଭାରତରେ ପ୍ରବେଶ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି ।

Leave A Reply

Your email address will not be published.