Latest Odisha News

BREAKING NEWS

ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପ୍ରସଙ୍ଗ : ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ବିରୋଧ, ସଂକଳ୍ପ ପାରିତ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ତେବେ ରବିବାର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ(ବିସିଆଇ) ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଥିବା ଜଣାପଡିଛି । ସଂକଳ୍ପରେ କୁହାଯାଇଛି ଯେ, ସମଲିଙ୍ଗୀ ବିବାହକୁ ଆଇନଗତ କରିବା ଦେଶରେ ବ୍ୟାପକ ପ୍ରଭାବ ପକାଇବ । କାରଣ ଭାରତ ଏକ ସାମାଜିକ-ଧାର୍ମିକ ବିବିଧତାର ଦେଶ । ତେଣୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ସାମାଜିକ ପ୍ରଣାଳୀ ଉପରେ ଗଭୀର ପ୍ରଭାବ ପକାଇବ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏହା ମଧ୍ୟ କହିଛି, ସର୍ବୋଚ୍ଚ ଅଦାଲତଙ୍କ ସମଲିଙ୍ଗୀ ବିବାହ ମାନ୍ୟତା ଉପରେ ଯାହାବି ରାୟ ଆସିବ, ତାହା ସମାଜ ପାଇଁ ଅଧିକାଂଶ ଭାବରେ ବିପଦଜନକ ହୋଇପାରେ । ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଓ ନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ । ମୋଟାମୋଟି ସଂକଳ୍ପରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମଧ୍ୟ ବୁଧବାର ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରିସାରିଛନ୍ତି। ସାନି ସତ୍ୟପାଠରେ, କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ସମଲିଙ୍ଗୀ ବିବାହ ସଂକ୍ରାନ୍ତ ବିତର୍କ ରାଜ୍ୟ ବିଧାନସଭା ପରିସରଭୁକ୍ତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି । କାରଣ, ଏ ବିଷୟରେ ସେମାନଙ୍କର ମଧ୍ୟ ମତାମତ ଅତ୍ୟାବଶ୍ୟକ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ମାମଲାର ପକ୍ଷ ହୋଇ ୧୦ ଦିନ ମଧ୍ୟରେ ନିଜ ନିଜର ମତାତମ ଦାଖଲ କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଅନ୍ୟପଟେ, ସୁପ୍ରିମକୋର୍ଟର ଚାରିଜଣ ଜଜ୍ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରସଙ୍ଗ ଉପରେ ସମ୍ବିଧାନ ପୀଠ କରୁଥିବା ଶୁଣାଣି ସ୍ଥଗିତ ରଖାଯାଇଛି। ଏପଟେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତେଣୁ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କୌଣସି ପରିସ୍ଥିତିରେ ଯେପରି ସୁପ୍ରିମକୋର୍ଟର କାର୍ଯ୍ୟ ପ୍ରଭାବିତ ନ ହୁଏ ସେଥିପାଇଁ ନିଷ୍ପତ୍ତି ନିଆଯାଇଛି । ଅବଶିଷ୍ଟ ମାମଲାଗୁଡ଼ିକର ଶୁଣାଣି ପାଇଁ ସମ୍ବିଧାନ ଖଣ୍ଡପୀଠକୁ ନିଲମ୍ବିତ କରାଯିବା ସମେତ ଆଉ କିଛି ଖଣ୍ଡପୀଠର ପୁନର୍ଗଠନ କରାଯାଇଛି ବୋଲି ଜଣାପଡ଼ିଛି |

ସୁପ୍ରିମକୋର୍ଟର ରେଜିଷ୍ଟ୍ରିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ସପ୍ତାହେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଷ୍ଟିସ୍ ଭଟ୍ଟ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଥିବା ସମ୍ବିଧାନ ଖଣ୍ଡପୀଠର ପାଞ୍ଚଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ । ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଆଉ ଜଣେ ସଦସ୍ୟ ଜଷ୍ଟିସ ସଞ୍ଜୟ କିଶନ କୌଲ ମଧ୍ୟ ଅସୁସ୍ଥତା କାରଣରୁ ସୋମବାର କୋର୍ଟକୁ ଆସିବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

 

Leave A Reply

Your email address will not be published.