Latest Odisha News

BREAKING NEWS

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’

ପ୍ରାୟ ନବେ ବର୍ଷ ତଳେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଓଡିଆ ସାହିତ୍ୟର ‘ସବୁଜ ଯୁଗ’ରେ ୯ ଜଣ ଲେଖକଙ୍କ ଦ୍ୱାରା ଲେଖାଯାଇଥିବା ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ର ଇଂରାଜୀ ଅନୁବାଦ ଏବେଏବେ ପ୍ରକାଶ ପାଇଛି । ‘ବାସନ୍ତୀ: ରାଇଟିଙ୍ଗ ଦି ନିୟୁ ୱମେନ୍’ ଶୀର୍ଷକ ଏହି ପୁସ୍ତକଟିର ପ୍ରକାଶକ ହେଉଛନ୍ତି ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍ । ହିମାଂଶୁ ଶେଖର ମହାପାତ୍ର ଏବଂ ପଲ ସେଣ୍ଟ୍‍ ପିୟରଙ୍କ ଦ୍ୱାରା ଅନୁଦିତ ହୋଇଥିବା ଏହି ଉପନ୍ୟାସଟିର ଲୋକାର୍ପଣ ଉତ୍ସବ ଆସନ୍ତା ଏପ୍ରିଲ ୧୯ ତାରିଖ ସନ୍ଧ୍ୟା ୬.୩୦ରେ ଭୁବନେଶ୍ୱରର ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି ।

ଛଅ ଜଣ ଲେଖକ ଏବଂ ତିନି ଜଣ ଲେଖିକାଙ୍କ ଦ୍ୱାରା ଲିଖିତ ଏହି ଉପନ୍ୟାସଟି ଓଡ଼ଆ ସାହିତ୍ୟର ଏକ ଅନବଦ୍ୟ କୃତି । ଏହା ଓଡିଆ ସାହିତ୍ୟ କ୍ଷେତ୍ରରେ ପ୍ରଥମ ସମବାୟ ଉପନ୍ୟାସ, ଯାହାର ଏଯାବତ୍‍ ପୁନରାବୃତ୍ତି ଘଟିନାହିଁ ।

‘ବାସନ୍ତୀ’ ମୁକ୍ତିକାମୀ ନାରୀ ମାନସର ପ୍ରଥମ ବଳିଷ୍ଠ ରୂପାୟନ ଏବଂ ପ୍ରଥମ ଓଡିଆ ବାମାବାଦୀ ଉପନ୍ୟାସ ବୋଲି ମତ ପ୍ରକାଶ ପାଇଛି । ପ୍ରାୟ ନବେ ବର୍ଷ ପରେ ‘ବାସନ୍ତୀ’ ଉପନ୍ୟାସର ଇଂରାଜୀ ଅନୁବାଦ ପୁଣି ଥରେ ‘ସବୁଜ ଯୁଗ’ର ସାମୂହିକ ପ୍ରୟାସ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ ।

‘ବାସନ୍ତୀ’ର ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଉଛନ୍ତି ବିଶିଷ୍ଟ ଲେଖିକା ପ୍ରଫେସର ମାଳବିକା ରାୟ ଏବଂ ପ୍ରତିଷ୍ଠିତ ନାଟ୍ୟବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର । ପୁସ୍ତକର ଯୁଗ୍ମ ଅନୁବାଦକ ହିମାଂଶୁ ମହାପାତ୍ରଙ୍କ ସମେତ ଅଧ୍ୟାପିକା ଏସ୍.ଦୀପିକା, ଅଧ୍ୟାପକ ତ୍ୟାଗରାଜ ଠାକୁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.