Latest Odisha News

ଗୋଟେ ସ୍ୱଚ୍ଛ ଜହ୍ନରାତି

ଗୋଟେ ସ୍ୱଚ୍ଛ ଜହ୍ନରାତି
ବିଚିତ୍ର ବିଶ୍ୱାଳ

ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଲୋଡ଼ା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ । ହେଲେ ଆଜିର ତାରିଖରେ ସ୍ୱଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ?

ସହରର ଚାରିଆଡେ଼ ତ ନିଅନ ଆଲୁଅର ରୋଷଣୀ । ଛାତ ଉପରୁ ବିଜୁଳି ବଲବର ମେଂଚା ମେଂଚା ଆଲୁଅ ଛିଟିକି ପଡ଼ୁଛି ରାସ୍ତା ଉପରକୁ । ଘର ସବୁ ସଜା ହୋଇଛି ରଙ୍ଗ ବେରଙ୍ଗ ଏଲ୍.ଇ.ଡି.ରେ । ଏମିତି ପରିସ୍ଥିତିରେ ଜହ୍ନ ଆଲୁଅ ଆଉ ସ୍ୱଚ୍ଛ ହୋଇ ରହିଛି କେଉଁଠି! କ୍ଷୀର ସହିତ ପାଣି ମିଶିବା ପରି ସବୁ ସନ୍ଧ୍ୟାରେ ଜହ୍ନ ଆଲୁଅରେ ମିଶି ଯାଉଛି କୃତ୍ରିମ ଆଲୁଅ । ତିଆରି ହେଉଛି ଏକ ହାଇବ୍ରିଡ଼୍ ଜହ୍ନ ରାତି ।

ତଥାପି ବି ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଦରକାର । ସେହି ନିରୋଳା ଚବିଶ୍ କ୍ୟାରେଟ୍ ଜହ୍ନ ରାତିରେ ମନଭରି ଭିଜିବୁ ଆମେ ଦୁହେଁ ।କେଉଁ ପ୍ରେମିକର ବା ସାହସ ଅଛି, ପ୍ରେମିକାର ଇଛାକୁ ଅପୁରଣ ରଖି ଶାନ୍ତିରେ ରହିପାରିବ! ମୁଁ ବା ସେଥିରୁ ବାଦ୍ ଯାଆନ୍ତି କୁଆଡ଼ୁ! ଅଗତ୍ୟା ମୋ ପ୍ରେମିକାକୁ ଏକ ସ୍ୱଚ୍ଛ ଜହ୍ନ ରାତି ଭେଟି ଦେଇ ମୋ ପ୍ରେମିକ ପଣିଆର ଟେକ ରଖିବାକୁ ଖୁବ୍ ଜୋର ଲାଗିପଡ଼ିଲି ମୁଁ ।

ମାତ୍ର ଗୋଟିଏ ଦିନ ଭିତରେ ଠାବ କରିନେଲି ମୋ ଛୋଟ ସହରଟିର ତିନୋଟି ଯାକ ଟ୍ରାନ୍ସଫର୍ମର । କେଉଁଠୁ କିପରି ବିଜୁଳି କଟିବ, ମୋର ଗୋଟେ ଇଲେକ୍ଟ୍ରିସିଆନ୍ ସାଙ୍ଗଠୁ ବୁଝିନେଲି ସବୁ । ତା’ପର ଦିନ ରାତିରେ ସାଇକେଲ୍ ଚେନ୍, ଲୁହା ତାର, ପ୍ଲାସ୍ ଅଦି ଧରି ବାହାରି ପଡ଼ିଲି ମୋ ଆଡଭେଞ୍ଚରରେ । ଆଜି ପ୍ରତିଦ୍ୱନ୍ଦୀ ଶୂନ୍ୟ କରିବି ଜହ୍ନକୁ । ମୋ ଛୋଟ ସହର ଉପରକୁ ତୋଳି ଆଣିବି ସ୍ୱଚ୍ଛ ଜହ୍ନରାତି । ଅତି ସନ୍ତର୍ପଣରେ ଗୋଟିଏ ଟ୍ରାନ୍ସଫର୍ମରରୁ ବିଜୁଳି କାଟି ଚୁପଚାପ ଆଗେଇଲି ଆଉ ଗୋଟିଏ ଟ୍ରାନ୍ସଫର୍ମର ଆଡ଼କୁ । ମେନ୍ ଲାଇନ୍ ତାର ଉପରକୁ ସାଇକେଲ୍ ଚେନ୍ ପକାଇ କାଟି ଦେଲି ସେ ଟ୍ରାନ୍ସଫର୍ମରର ବିଜୁଳି । ସହରର ଦୁଇଭାଗ ହୋଇଯାଇଥିଲା ଅନ୍ଧାର । ଅଧିକରୁ ଅଧିକ ଉଜ୍ଜ୍ୱଳ ଦିଶିବାକୁ ଆରମ୍ଭ କରୁଥିଲା ଜହ୍ନ । ଆଉ ଗୋଟିଏ ମାତ୍ର ଟ୍ରାନ୍ସଫର୍ମରରୁ ବିଜୁଳି କାଟିଦେଲେ ମୋ ସହରକୁ ଓହ୍ଲେଇ ଆସିବ ଏକ ସ୍ୱଚ୍ଛ ଜହ୍ନରାତି । ମୋ ପ୍ରେମିକା ପାଇବ ତା ଇପ୍ସିତ ଉପହାର । ସ୍ୱଚ୍ଛ ଜହ୍ନରାତି । ଯେଉଁଥିରେ ନଥିବ ଏତେ ଟିକେ ବି ବିଜୁଳି ଆଲୁଅର ପ୍ରଦୂଷଣ ।

ଭାବନାରେ ଉତ୍ତେଜିତ ହୋଇ ଉଠୁଥିଲି ମୁଁ । ଲୁଚିଲୁଚି ତୃତୀୟ ଟ୍ରାନ୍ସଫରମର ଆଡ଼କୁ ଆଗେଇବା ବେଳକୁ ହଠାତ୍ ଆଲୁଅରେ ଉଦ୍ଭାସିତ ହୋଇଉଠିଲା ସହରର ପଶ୍ଚିମ ପାଖ । ଯାହାର ବିଜୁଳି ମୁଁ କାଟିଦେଇଥିଲି ଏଇ ଟିକିଏ ଆଗରୁ । ବୋଧହୁଏ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମରାମତି କରି ପୁନଶ୍ଚ ଠିକ୍ କରିଦେଲେ ସେପଟ ଲାଇନସ । ଓଃ.. ହତାଶାରେ ଜଡ଼ସଡ଼ ହୋଇଗଲି ମୁଁ । ପୁଣି ଥରେ ଏକ୍ସଟ୍ରା କାମ କରିବାକୁ ପଡ଼ିବ । ଯେତେଶୀଘ୍ର ସହରର ସବୁ ବିଜୁଳି ଲାଇନ୍ କାଟି ଦେଇ ସ୍ୱଚ୍ଛ ଜହ୍ନରାତିକୁ ଉତାରି ଆଣିବାକୁ ମୁଁ ବ୍ୟସ୍ତ ଥିବା ବେଳେ, ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଏତିିକି ବେଳେ ଭଗାରୀ ସାଜି ଥିଲେ ମୋ ସହ । ତୃତୀୟ ଟ୍ରାନ୍ସଫର୍ମରର୍ ବିଜୁଳି କାଟି ସାରିବା ବେଳକୁ ପୁଣି ଥରେ ଆସିଗଲା ଦ୍ୱିତୀୟ ଟ୍ରାନ୍ସଫର୍ମରର୍ ବିଜୁଳି ।

ଭୀଷଣ ଅସହାୟତାରେ ଥମ୍ ହୋଇ ଠିଆ ହୋଇଗଲି ମୁଁ । ମନେମନେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କର ବଂଶ ବୁନିଆଦୀ ଉଝାଳି ଶୋଧୁଥିଲି । ହେଲେ କ’ଣ ବା ଆଉ ଚାରା ଅଛି! ପୁଣି ଥରେ ପ୍ରଥମ ଟ୍ରାନ୍ସଫର୍ମର ଦିଗରେ ମୁହାଁଇଲି । ଲୁଚିଲୁଚି ସେଥିରୁ ବିଜୁଳି କାଟିବା ବେଳକୁ ବିଦ୍ୟୁତ୍ କର୍ମଚାରୀମାନେ ମରାମତି କରିଦେଲେ ତୃତୀୟ ଟ୍ରାନସଫରମର ଆଲୋକ । ହେ ଭଗବାନ୍! ଅତିପ୍ରିୟ ଚକୋଲେଟଟିକୁ ହଜେଇ ଦେଇଥିବା ଛୋଟ ଛୁଆଟିଏ ପରି ଅସହାୟ ହୋଇଯାଇଥିଲି ମୁଁ । ଏକ ପ୍ରକାର ଲୁଚକାଳି ଖେଳ ପରି ଅବସ୍ଥା ହୋଇଯାଇଥିଲା ମୋର ଓ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଭିତରେ । ମୁଁ ଗୋଟିଏ ଫେଜର ବିଜୁଳି କାଟିବା ବେଳକୁ ସେ ଆଉ ଗୋଟିଏ ଫେଜ୍ ମରାମତି କରି ବିଜୁଳି ସଂଯୋଗ କରିଦେଉଥିଲେ । ମୁଁ ପୁଣି ସେ ଫେଜ୍ ପାଖରେ ପହଂଚିବା ବେଳକୁ ସେ ପୂର୍ବ ଫେଜ୍ ଟିକୁ ମରାମତି କରିଦେଉଥିଲେ । ଯଦିଓ ମୁଁ ଏକଦମ୍ ନାଚାର ଅନୁଭବ କରୁଥିଲି, ତଥାପି ମୁଁ ହାରିବାକୁ ପ୍ରସ୍ତୁତ ନଥିଲି । ମୋ ପ୍ରେମିକାର ମୁହଁ ଫୁଲାକୁ ସହ୍ୟ କରିବାର ଅକ୍ଷମତା ଓ ତା ସହିତ ସ୍ୱଚ୍ଛ ଜହ୍ନ ରାତିରେ ଭିଜିବାର ଆଶାରେ ମୁଁ ଯେମିତି ବି ହେଉ ଆଜି ବିଜୁଳି ଆଲୁଅକୁ ଲିଭେଇ ଜହ୍ନକୁ ନିଷ୍କଣ୍ଟକ କରିବା ନିଶାରେ ବିଭୋର୍ ଥିଲି ।

ଚାରିଆଡ଼କୁ ଆଖି ଘୂରେଇ ନେଇ ପାଦ ଚିପିଚିପି ମୁଁ ପୁଣି ଥିରେ ଦ୍ୱିତୀୟ ଟ୍ରାନ୍ସ୍ ଫର୍ମର ପାଖରେ ପହଂଚିଲି । ସାଇକେଲ୍ ଚେନଟା ମେନ୍ ଲାଇନ୍ ବିଜୁଳି ତାର ଉପରକୁ ପକେଇବାକୁ ଉଦ୍ୟତ ହେବା ବେଳକୁ ମୋତେ କାବୁ କରିନେଲେ ଦି ଚାରିଜଣ ବିଦ୍ୟୁତ୍ ବିଭାଗର କର୍ମଚାରୀ । ସେମାନେ ବୋଧେ ଜଗି ବସିଥିଲେ ବାରମ୍ବାର ବିଜୁଳି କାଟୁଥିବା ଆତତାୟୀକୁ ଧରିବାକୁ । ସେମାନଙ୍କ କବଳରୁ ଖସିବାକୁ ମୋର ଚାରା ନଥିଲା । ମୋତେ ଭିଡ଼ି ନେଇ ସେମାନେ ଜିମା ଦେଇଦେଲେ ପୁଲିସ୍ ଥାନାରେ । ମୁଁ ଆଉ କରେ କ’ଣ! ମୁହଁ ଲୁଚେଇ ଠିଆ ହୋଇଥିଲି ଥାନାର ଗୋଟିଏ କୋଣରେ । କାହିଁକି ମୁଁ ବାରମ୍ବାର ଲାଇନ୍ କାଟୁଥିଲି, ପୁଲିସମାନଙ୍କର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲି ମୁଁ ।

ଶଳା ଚୋରଟା ବେ, ଲାଇନ୍ କଟିଗଲେ ଚୋରି କରିବ ବୋଲି ଫନ୍ଦି କରୁଥିଲା, ଜଣେ ପୁଲିସ୍ ବାବୁ କହିଲେ । ମୁଁ ଚୁପଚାପ ଠିଆ ହୋଇଥିଲି । ମୋ ପାଟିରେ କିଛି ବି ଉତ୍ତର ନଥିଲା । ଶଳା ନୁଙ୍ଗୁରାଟା ବେ । ବିଜୁଳି କାଟି କାହା ଘରକୁ ଉଣ୍ଡିବ ବୋଲି ପ୍ଲାନ୍ କରୁଥିଲା, ଆଉ ଗୋଟିଏ ପେଟୁଆ ପୁଲିସ୍ ବେପରୁଆ ଢ଼ଙ୍ଗରେ କହିଲା । ହସରେ ଫାଟି ପଡ଼ିଲା ଥାନା ପରିସର । ମୋ ସପକ୍ଷରେ କିଛି ବି ସଫେଇ ଦେଇପାରିଲିନି ମୁଁ ।

କାହାକୁ ବି କହିପାରିଲିନି ମୋ ପବିତ୍ର ଉଦ୍ଦେଶ୍ୟ । କ’ଣଟା ବା ସଫେଇ ଦେଇଥାନ୍ତି । ଚୁପଚାପ ସହିଗଲି ସବୁ ନିନ୍ଦା ଅପବାଦ । ଦୁଇ ଦିନ ପାଇଁ ଜେଲ୍ କୁ ପଠେଇ ଦେଲେ ମୋତେ । ମୁଁ ନିଶ୍ଚିତ ଯେ, ଆଉ କେବେ ପୁଣି ଥରେ ବାହାରିବି ସ୍ୱଚ୍ଛ ଜହ୍ନ ରାତିର ପ୍ରୟାସରେ । ମୋତେ ଜେଲ୍ ପଠାଅ କି ସଜା ଦିଅ, ଯେଯାଏ ମୋ ଭିତରେ ପ୍ରେମ ଅଛି ସେଯାଏ ମୁଁ ଲିଭେଇବି ସହରର ସବୁ ବିଜୁଳିକୁ । ମୋ ସହରକୁ ମୁଁ ନିଶ୍ଚୟ ଆଣିବି ଏକ ସ୍ୱଚ୍ଛ ଜହ୍ନରାତି । ଦମ୍ ଅଛି ତ ମୋ ଭିତରର ପ୍ରେମକୁ ଫାଶୀ ଦେଇ ଦେଖ ।
…………………
ଭିରଙ୍ଗ, ତୀରଣ, ଜଗତ୍ସିଂହପୁର-୭୫୪୧୩୮

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.