Latest Odisha News

BREAKING NEWS

ଭୁବନେଶ୍ୱରରେ ଦୁଇ ପୂର୍ବତନ ପ୍ରଶାସକ: ଅରୂପ ଓ ଅପରାଜିତାଙ୍କ ମଧ୍ୟରେ ଲଢେଇ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନରେ ଏଥର ଦୁଇ ପୂର୍ବତନ ପ୍ରଶାସକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱଦ୍ୱିତା ଦେଖିବାକୁ ମିଳିଛି । ଏହି ଭୋଟ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକ, ଯିଏକି ବିଜେଡ଼ି ଟିକଟରେ ନିର୍ବାଚନ ଲଢୁଛନ୍ତି । ତାଙ୍କୁ ଏହି ସମ୍ମାନଜନକ ଆସନରେ ବିଜେପି ପକ୍ଷରୁ ଅରୂପଙ୍କୁ କଡ଼ା ମୁକାବିଲା କରୁଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ।

ରାଜ୍ୟର ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରେ କେବଳ ଯେ, ଆଇଏଏସ ବନାମ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଲଢେଇ ହେଉଛି ତାହାନୁହେଁ, ଏହି ଆସନଟିକୁ ଅକ୍ତିଆର କରିବାକୁ ବିଜେପି ଓ ବିଜେଡ଼ି ମଧ୍ୟରେ ଏଠାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏହି ଆସନରେ ବରିଷ୍ଠ ସିପିଏମ ନେତା ଜନାର୍ଦ୍ଦନ ପତି ମଧ୍ୟ ନିର୍ବାଚନ ଲଢୁଛନ୍ତି । ତେବେ ଫଳାଫଳ କ’ଣ ହେବ ଏବେଠାରୁ ଆକଳନ କରିବା କଷ୍ଟକର, ତେଣୁ ଏପ୍ରିଲ୍ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଭୋଟଗ୍ରହଣର ପରିଣତି କେବଳ ମେ ୨୩ ତାରିଖ ଦିନ ଗଣନା ପରେ ଜଣାପଡ଼ିବ ।

ଏଠାରେ ସମୁଦାୟ ୧୪ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ କଂଗ୍ରେସ ନିଜେ ଏଠାରେ ପ୍ରାର୍ଥୀ ନଦେଇ ଜନାର୍ଦ୍ଦନ ପତିଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛି ।

ଅରୂପ ପଟ୍ଟନାୟକ ଏହି ଆସନ ଜିତି ବିଜେଡ଼ିର ପୁରାତନ ଦୂର୍ଗ ରକ୍ଷା କରିପାରିବେ ନା ବିଜେପିର ଅପରାଜିତା ଷଡ଼ଙ୍ଗୀ ବିଜୟର ଟୀକା ପିନ୍ଧି ଗୈରିକ ଧ୍ୱଜା ଉଡ଼ାଇବେ ତାହା ଜାଣିବା ଲାଗି ଏକମାସ କାଳ ଅପେକ୍ଷା କରିବାକୁ ପଡ଼ିବ । ଭୁବନେଶ୍ୱର ଲୋକସଭା ଆସନରେ ୧୯୫୨ ମସିହାରେ ପ୍ରଥମେ ନିର୍ବାଚନ ଆରମ୍ଭ ହେବା ଦିନ ଠାରୁ ଏଯାଏଁ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ଆସନଟିକୁ କଂଗ୍ରେସ ସର୍ବାଧିକ ୮ ଥର ଲାଗି ଜିତିଥିବା ବେଳେ ବିଜେଡ଼ି ୫ଥର ଏବଂ ସିପିଆଇ ୩ ଥର ଲାଗି ଜିତିପାରିବାକୁ ସକ୍ଷମ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଭିତ୍ତି କରି ତଥା ବିଜେଡ଼ିର ଦୃଢ ସାଂଗଠନିକ ଶକ୍ତି ବଳରେ ଅରୂପ ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ, ଅପରାଜିତା ‘ମୋଦୀ ଲହର’ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ଏତଦ୍ ବ୍ୟତୀତ ସେ ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ଝାସ ଦେବା ପରଠାରୁ ପ୍ରଥମ ୫ମାସ ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ସ୍ଥାନ ବୁଲି ଶାସକ ଦଳକୁ ଟକ୍କର୍ ଦେଇପାରିଛନ୍ତି । ଧିରେ ଧିରେ ଅପରାଜିତା ସମଗ୍ର ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ କଠିନ ପରିଶ୍ରମ କରି ନିଜ ଆଡ଼କୁ ଭୋଟରଙ୍କ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି । ଯାହାଦ୍ୱାରାକି ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରିଛି ।

ଏହି ଆସନରେ ୫ଥର ସାଂସଦ ରହିଆସିଥିବା ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଶେଷ ମୂହୁର୍ତ୍ତରେ ଟିକେଟ ଦେବାକୁ ମନା କରିଦେଇ ଅରୂପଙ୍କୁ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିଥିଲା । ଅନ୍ୟପକ୍ଷରେ ପ୍ରାୟ ଦଶବର୍ଷ ପୂର୍ବରୁ ଏଠାରେ ମ୍ୟୁନିସିପାଲ କମିଶନର ଭାବେ କାର୍ଯ୍ୟ କରିଥିବା ତଥା ବିଜେପି ପ୍ରାର୍ଥୀ ଅପରାଜିତା ନିର୍ବାଚନ ମଣ୍ଡଳୀରେ ସହଜ ରୂପେ ଜନସାଧାରଣଙ୍କର ନିକଟତର ହେବାରେ ସକ୍ଷମ ହୋଇପାରିଛନ୍ତି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଯେଉଁସବୁ ବିଧାନସଭା ଆସନ ଗୁଡ଼ିକୁ ନେଇ ଗଠିତ ସେଗୁଡ଼ିକ ହେଲା – ଭୁବନେଶ୍ୱର (ଉତ୍ତର), ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଏକାମ୍ର), ଜୟଦେବ, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ଆସନ ।

ଏଥର ଭୁବନେଶ୍ୱର ଲୋକସଭା ନିର୍ବାଚନରେ ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟଙ୍କୁ ବିଜୁ ଜନତା ଦଳ କଡ଼ା ମୁକାବିଲା କରୁଥିବା ବେଳେ ଅନ୍ୟ ସମସ୍ତ ଆସନରେ ବିଜେପି ସହିତ ତୀବ୍ର ପ୍ରତିଦ୍ୱନ୍ଦିତା କରୁଛି ଶାସକ ଦଳ । ରାଜ୍ୟର ରାଜଧାନୀ ପରି ଏହି ଆସନରେ ୨୩ ତାରିଖ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ମୁକାବିଲା ହେଉଛି, ତଥାପି ମେ ୨୩ର ଭୋଟଗଣତି ପରେ ହିଁ ଫଳାଫଳରୁ ଜଣା ପଡ଼ିଯିବ କିଏ ଜିତିବ ଏହି ସମ୍ମାନଜନକ ଭୁବନେଶ୍ୱର ଆସନ ।

Leave A Reply

Your email address will not be published.