Latest Odisha News

କବିତା ହାତରେ ଲଣ୍ଠନଟିଏ ଧରି ସତେକି ମୋ ଆଗେଆଗେ ଯାଉଛି : ସୁଚେତା ମିଶ୍ର

ଓଡ଼ିଆ କବିତାର ଅନ୍ୟତମ ପ୍ରଖର ନାରୀସ୍ୱର ସୁଚେତା ମିଶ୍ର । ୧୪ ନଭେମ୍ବର ୧୯୬୫ରେ ବ୍ରହ୍ମପୁର, ଗଂଜାମରେ ତାଙ୍କର ଜନ୍ମ । ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବି.ଏଡ୍‍. ଶିକ୍ଷାପ୍ରାପ୍ତ । ପୂର୍ବରାଗ, ଶିଲାଲିପି, ଉତ୍ତରପକ୍ଷ, ଖୁଉବ ପାଖରେ, ନିଜନିଜ କୁରୁକ୍ଷେତ୍ର, ପ୍ରତିଘାତ, ଶବ୍ଦମାନେ ମୋର, ଅଜନ୍ମା ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ ସୁପରିଚିତା । ଉପନ୍ୟାସ ‘ପାପୁଲି ବାହାରେ ଭାଗ୍ୟରେଖା’, ‘ଅକାଳ’, ‘ଟୁକୁଡ଼ାଏ ଖରା’ ଏବଂ ଗଳ୍ପ ସଂକଳନ ‘ଗୋଟିଏ ସକାଳର କଥା’ ମଧ୍ୟ ପ୍ରକାଶ ପାଇଛି । ‘କବିତା କାହା ପାଇଁ’ ଶୀର୍ଷକ ଏକ ନିବନ୍ଧ ସଂକଳନ ମଧ୍ୟ ପ୍ରକାଶିତ । ବହୁ ଉଲ୍ଲେଖନୀୟ ପୁରସ୍କାର ସମେତ ୨୦୧୩ରେ ସେ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ତାଙ୍କ ସହ ସରୋଜ ବଳଙ୍କ ଆଳାପ:

ଆପଣ ଯେ କବିତା ଲେଖିପାରିବେ, ଏ ବିଶ୍ୱାସ କେବେ ସୃଷ୍ଟି ହେଇଥିଲା?
ସ୍କୁଲ୍ ପଢ଼ା ପରେ ହଷ୍ଟେଲରେ ରହିବାକୁ ହେଲା । ସେତେବେଳେ ଥରେ ଚିଠିଟିଏ ଲେଖିଥିଲି ମାଆଙ୍କ ପାଖକୁ । ପରେ ମୋ ମାଆ ହିଁ ମୋତେ କହିଥିଲେ ଯେ ସେ ଚିଠି, ଚିଠିଠାରୁ କିଛି ଅଧିକ ଥିଲା । ସେତେବେଳେ ମୋତେ ଲାଗିଲା ଯେ ପିଲାଦିନରୁ ମୁଁ ଯାହାସବୁ ଲେଖି, ଚିରି ଉଡେ଼ଇଦେଇଛି, ବୋଧହୁଏ ସେସବୁ କବିତା ଥିଲା ।

ଆପଣଙ୍କ ପାଇଁ କବିତା ଏକ ଲକ୍ଷ୍ୟ ନା ରାସ୍ତା?
କବିତା ଗୋଟିଏ ରାସ୍ତା, ମୋ ନିଜ ପାଖରେ ପହଞ୍ଚିବାର । କବିତା ବି ରାସ୍ତାଟିଏ ଅନ୍ୟର ପାଖାପାଖି ହେବାର । ମୋ ଲାଗି କବିତାର ଲକ୍ଷ୍ୟ ବି ଏତିକି । କବିତାର ଚେହେରା କେମିତି ପଚାରିଲେ କହିପାରିବିନି । କବିତା, ସତେକି ରସଳ ଗ୍ରାମୀଣଟିଏ- ହାତରେ ଲଣ୍ଠନଟିଏ ଧରି ମୋ ଆଗେଆଗେ ଯାଉଛି ନିକାଞ୍ଚନ ଅନ୍ଧାର ରାତିରେ । କେତେ ସାହସ ଦିଏ କବିତା, ତାହା ମୋ ଛଡ଼ା ଆଉ କିଏ ଜାଣେ!

କବିତା ଲେଖିବାବେଳେ ଆଜିକାଲି ଅନେକେ ଗୋଟେ ନିର୍ଦ୍ଦିଷ୍ଟ ‘ବିଚାରବୋଧ’ ବା ‘ଆଦର୍ଶ’କୁ ସାମ୍ନାରେ ରଖୁଛନ୍ତି! କବି କଣ ଗୋଟିଏ ଟ୍ରାକରେ ଚାଲିବା ଲୋକ?
ନିର୍ଦ୍ଦିଷ୍ଟ ବିଚାରବୋଧ ବା ଆଦର୍ଶକୁ ମାନଦଣ୍ଡ କରି କବିତା ଲେଖିବାକୁ ବସିଲେ, କବିତାରେ ଗ୍ରହଣ ଲାଗିଯିବାର ଭୟ ପ୍ରବଳ । କବିର କବିତାରେ କବିର ବ୍ୟକ୍ତିତ୍ୱକୁ କେହିକେହି ଖୋଜିଥାନ୍ତି । ତେବେ କବିତା କୌଶଳ ନୁହେଁ, ଆୟୋଜନ ନୁହେଁ । ଯେଉଁଠି ଝୁଣ୍ଟିଲେ କବି, ସେଇଠୁ ଆରମ୍ଭ ରାସ୍ତା । ଗୋଟିଏ ଟ୍ରାକରେ ଧାଇଁଧାଇଁ କବି ଲକ୍ଷ୍ୟକୁ ଛୁଇଁଦେବେ, ସେମିତି ବି ନୁହେଁ । କବିଙ୍କ ପାଖରେ ବହୁବିଧତା ରହିବା ଭଲକଥା, କିନ୍ତୁ ତାହା ଶୃଙ୍ଖଳିତ ବି ହେବା ଉଚିତ୍ । କବି ନିଜକୁ ଗୋଟିଏ ଟ୍ରାକରେ ବାନ୍ଧିଦେବା ଉଚିତ୍ ନୁହେଁ; କିଛି ସମ୍ଭାବନା ଅଣଦେଖା ରହିଯାଇପାରନ୍ତି ।

ମଣିଷ ପାଇଁ କବିତାର କାମ କଣ?
ମଣିଷ ପାଇଁ କବିତା ସଂଜୀବନୀ, ହେଲେ ତାହା ଦୃଶ୍ୟମାନ ହୁଏନି । ଧର ମୁଁ ଅସୁସ୍ଥ ଆଉ ଡାକ୍ତରଖାନାରେ ଚିକିତ୍ସାଧୀନ । ଘଡ଼ିକୁଘଡ଼ି ଡାକ୍ତର ମୋତେ ଦେଖିଯାଉଛନ୍ତି, ନର୍ସ ଔଷଧ ଦେଉଛନ୍ତି । ଦିନେ, କେହିଜଣେ ମୋତେ ଦେଖିବାକୁ ଆସୁଛନ୍ତି । ମୋ କପାଳରେ ତାଙ୍କ ପାପୁଲିଟି ରଖୁଛନ୍ତି । କିଛି ସମୟ ମୋ ହାତଟିକୁ ଧରି ବସିରହୁଛନ୍ତି । ମଣିଷ ସୁସ୍ଥ ହେବା ପାଇଁ ଚିକିତ୍ସା ଅପରିହାର୍ଯ୍ୟ; କିନ୍ତୁ ଏ ଲାଗି ଗୋଟିଏ ଆତ୍ମୀୟ ସ୍ପର୍ଶର ମୂଲ୍ୟ ବି କିଛି କମ୍ ନୁହେଁ । କବିତା ହେଉଛି ଏଇ ସ୍ପର୍ଶ, ଯାହା ମୋତେ କହେ ଯେ ମୁଁ ଯୋଦ୍ଧା । କବିତା ପାଖରେ ଛିଡ଼ାହୋଇ ମୁଁ ନିଜକୁ ମଣିଷ ବୋଲି ସ୍ୱୀକାର କରିପାରେ ।

କବିତା ସହିତ ଆପଣ କଥାସାହିତ୍ୟରେ ମଧ୍ୟ ହାତଦେଇ ସଫଳ ହୋଇଛନ୍ତି! କଥା ଓ କବିତାକୁ ଦୁଇ ହାତରେ ଧରି ଚାଲିବାବେଳେ ଭାରସାମ୍ୟ କେମିତି ରକ୍ଷା କରନ୍ତି? କବିତାର ବିଷୟ ଗପକୁ ଓ ଗପର କାହାଣୀ କବିତାକୁ ଛିଟିକି ଯାଏନି ?
କେତେଠୋପା ଲୁହ ପାଖାପାଖି ହେଇ ମିଶିଯାଆନ୍ତି । ମିଶିଗଲେ ସେ ଆଉ ବଡ଼ ଠୋପା ହେଇ ରହନ୍ତନି, ବହିଯାଆନ୍ତି । ଏହି ବହିଯିବା ହିଁ କବିତା । କବିତାରେ କ୍ଷୋଭ, ଆକ୍ରୋଶ, ଦ୍ରୋହ ଥାଇପାରେ- ହେଲେ ତା ପଛରେ ଥିବା କାରୁଣ୍ୟକୁ ବି ଅସ୍ୱୀକାର କରି ହେବନି । ଯେଉଁ ଲୁହଠୋପାଗୁଡ଼ିକ ଏକଲା ରହିଗଲେ- ପଢ଼ାଟେବୁଲ୍, ଡାଏରୀ, ପାପୁଲି କି ପିନ୍ଧାଲୁଗା ସହ ମିଶିଗଲେ, ସେମାନେ ବାଧ୍ୟ କରାନ୍ତି ତାଙ୍କୁ ଗପ କରିଦେବାକୁ । ଗପ କବିତାଆଡ଼କୁ କି କବିତା ଗପଆଡ଼କୁ ଛିଟିକି ନଯିବେ କହିହେବନି; ହେଲେ ସେମାନେ ନିଜ ଜାଗାରେ ନିଜର ମର୍ଯ୍ୟାଦା ରଖନ୍ତୁ, ସେ ଲାଗି ମୋତେ ସଚେତନ ହେବାକୁ ପଡେ଼ ।

ବିଚାରସର୍ବସ୍ୱ ହେବା ଦ୍ୱାରା ଆଜିର କବିତା ତାର ନାନ୍ଦନିକତା ଓ ସ୍ୱଚ୍ଛନ୍ଦତା ହରେଇଛି କି?
କବିତା କେବଳ ବିଚାର ନୁହେଁ । ବିଚାର ଚେତନାର ସ୍ତରକୁ ସ୍ପର୍ଶ ନକରି କେବଳ ଯେମିତି ସେମିତି ଲିପିବଦ୍ଧ ହେଲେ ତାହା ଏକ ଆଲେଖ୍ୟ ହେବ । ତଥ୍ୟ ହେଉଛି ଷ୍ଟେଟମେଣ୍ଟ । ଏହା ସତ୍ୟରେ ପରିଣତ ହେବା ପାଇଁ ସାଧନା ଲୋଡେ଼ । କେବଳ ତଥ୍ୟକୁ ସଜାଡ଼ି ଲେଖିଦେଲେ ସେଥିରେ ନାନ୍ଦନିକତା, ସ୍ୱଚ୍ଛନ୍ଦତା, ସାବଲୀଳତା କି କୋରକିତ କରେଇବାର ମାଧୁର୍ଯ୍ୟ ଆସିବ କେମିତି?

ସିଧାସଳଖ ପ୍ରତିବାଦ ଓ ସ୍ଲୋଗାନକୁ କବିତାର ଫର୍ମ ଦେବା ଜରୁରୀ କି? ଏଥିପାଇଁ ପ୍ରବନ୍ଧ ବା ଗଦ୍ୟ ଫର୍ମକୁ ବଛାଯାଇ ପାରନ୍ତା!
ପ୍ରତିବାଦ ଓ ସ୍ଲୋଗାନଠାରୁ କବିତା ଢେର୍ ଅଧିକ । ପ୍ରତିବାଦ କି ସ୍ଲୋଗାନର ନିର୍ଯ୍ୟାସ କବିତା ଭିତରେ କେଉଁଠି ମୁଣ୍ଡ ଗୁଂଜିପାରେ । କବିତା ସରଳ ହେଉ କି କାରୁକାର୍ଯ୍ୟମୟ ହେଉ, ସବୁଠି ଗାମ୍ଭୀର୍ଯ୍ୟ ଦାବିକରେ । କବିତା ସତ୍ୟକୁ କେବଳ କଳା ବା ଧଳା ବୋଲି କହେନି; କବିତାରେ ସତ୍ୟ ବରଂ ବହୁମୁଖୀ । ‘ମୋ ଆରତ ନଳିନୀ ବନକୁ କଲ ଦଳନ’କୁ କବି ସିଧାସିଧା ନକହିଲେ କାହିଁକି? ସିଧା, ସମତଳ ଧାଡ଼ିଗୁଡ଼ିକ ଯଦି କବିତାରେ ବିଶେଷ ଦାୟିତ୍ୱ ନତୁଲାନ୍ତି ତ ଭାରି କାକୁସ୍ଥ ଲାଗନ୍ତି ।

ନଈ ଯଦି ପ୍ରବହମାନତା ଭୁଲି ସ୍ଥିର ହୋଇଯାଏ, ତାକୁ ଆମେ ନଈ କହିବା କି? ବୋଧହୁଏ ନା । କିନ୍ତୁ କବିତା ତାର ତାରଲ୍ୟ ଓ ସାଙ୍ଗୀତିକତାକୁ ଜଳାଂଜଳି ଦେଇ ଅତ୍ୟଧିକ ଗଦ୍ୟଧର୍ମୀ ଓ ସାମାଜିକପ୍ରତିବଦ୍ଧ ହେଉଛି ଏବଂ ତାହା ତଥାପି କବିତା ପଦବାଚ୍ୟ ହେଉଛି; ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ କବିତା ଭାବେ ତାହା ବିବେଚିତ ହେଉଛି! ଏହା କବିତାର ଆରୋହ ନା ଅବରୋହ?
ଗୀତିକବିତାରେ ସାଙ୍ଗୀତିକତା ସହଜରେ ଦୃଶ୍ୟମାନ । ଏହାକୁ ସ୍ୱର ଦେଇ ଗାଇବା ବି ସହଜ । କବିତାରେ ବି ସାଙ୍ଗୀତିକତା ଥାଏ- ରହିବା ଜରୁରୀ । ଏହା ଦୃଶ୍ୟମାନ ନ ହୋଇପାରେ । ଶବ୍ଦ ଓ ଭାବର ଅନ୍ତର୍ଛନ୍ଦ କବିତାକୁ ଆଗକୁ ଆଗକୁ କଢେ଼ଇ ନେଉଥାଏ ଠିକ୍ ଝରଟିଏ ପରି । ଥରେଥରେ ବିଚାର ଓ ପ୍ରଜ୍ଞାକୁ ଅଧିକ ଗୁରୁତ୍ୱ ଦିଆଯାଇ କବିତାର ଅନ୍ତର୍ଛନ୍ଦକୁ (ଲାଳିତ୍ୟକୁ) ହତ୍ୟା କରାଯିବାର ନଜିର୍ ଅଛି । କବିତା କଣ କହୁଛି ଅପେକ୍ଷା କେମିତି କହୁଛି ଅଧିକ ଗୁରୁତ୍ୱପୂର୍ଣ୍ଣ । କବିତାର ଆରୋହ ଅବରୋହ ଚାଲିବ । ହେଲେ ଯେହେତୁ କବିତା ହେଉଛି ପ୍ରବାହ, ଏହା ଦିଗ ବଦଳେଇପାରେ, କ୍ଷୀଣ ବା ପ୍ରଖର ହୋଇପାରେ, କେଉଁଠି ମରୁଝର ପାଲଟିପାରେ; ହେଲେ ଏହାର ମୃତ୍ୟୁ ନାହିଁ ।

ଆପଣଙ୍କ କବିତାରେ ଆପଣ ନିଜେ କେତେ ଅଛନ୍ତି?
କେତେ ଭାବରେ ଅଛି ହିସାବ ଦେଇପାରିବିନି, କିନ୍ତୁ ଅଛି । ମୋତେ ତ ଥରେଥରେ ଲାଗେ, ମୋର ଆତ୍ମଜୀବନୀ ଲେଖିବାର ଆବଶ୍ୟକତା ହିଁ ନାହିଁ । ପାଠକ କଣ ଜାଣନ୍ତି ମୁଁ କେଉଁକେଉଁ ଦୁର୍ଗତି ଭିତର ଦେଇ ଯାଇଛି, କେଉଁ ଅନ୍ୟାୟର ସାମ୍ନା ପ୍ରତ୍ୟକ୍ଷ ବା ପରୋକ୍ଷରେ କରିଛି । କାହିଁକି ସମାଜର ବିସଂଗତିମାନେ ମୋ ଆତ୍ମାରେ ନିଆଁ ଲଗେଇ ଦିଅନ୍ତି? ପାଠକେ କହିବେ, ସାମାଜିକ ପ୍ରତିବଦ୍ଧ, ନାରୀବାଦୀ, ପ୍ରଗତିଶୀଳ କବିତା ।
କବି ଭାବରେ ମୁଁ କୌଣସି ଶିବିରରେ ନାହିଁ; କୌଣସି ଇଜିମ୍ ମୋର ଅସ୍ତ୍ର ନୁହେଁ । ନିଜକୁ ଶହେ ପ୍ରତିଶତ କବିତା ପାଇଁ ଦେଇପାରିବି, ସେ ଲାଗି ଏକ୍ଲା ଅଛି । କବିଟିଏ ସବୁକାଳେ ଏକ୍ଲା- ସମାଜ ଓ ପରିବାର ଭିତରେ ଥାଇ ବି; କାହିଁକିନା ତାର ସଂପର୍କ କେଉଁ ଅଦୃଶ୍ୟ ସ୍ପନ୍ଦନ ସହିତ ।

ଜଣେ ଲେଖକ ଭାବେ ଜିଇବାକୁ ନେଇ କିଛି ଅବସୋସ ଅଛିକି ମନରେ?
ନା, ଅବସୋସ ନାହିଁ । ‘ଲେଖ୍’ ବୋଲି ମୋତେ କେହି କହି ନଥିଲା । ଲେଖିଲେ, ଏମିତି କିଛି ଗୋଟେ ବଡ଼ ମିଳିଯିବ, ସେମିତି କେବେ ଭାବି ଲେଖା ଆରମ୍ଭ କରିନଥିଲି; ଆଜି ବି ସେ ଆଶା ନାହିଁ । ବର୍ତ୍ତମାନର ସମୟ ଓ ପରିବେଶକୁ ଦେଖିଲେ ଭଲ ଲେଖିପାରିବାର ସନ୍ତୁଷ୍ଟିକୁ ନେଇ ବଞ୍ଚିବା ଭଲ ବୋଲି ଭାବୁଛି । ଅବସୋସ ନୁହେଁ, ପ୍ରଚୁର ପ୍ରଶ୍ନ ଅଛି ମୋ ଭିତରେ । ସେ ପ୍ରଶ୍ନାକୁଳତା ହିଁ ମୋର ଲେଖିବାର ଉତ୍ସ । ସେତିକି ଥାଉ ମୋ ଭିତରେ ।

Leave A Reply

Your email address will not be published.