Latest Odisha News

ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍

ନୂଆଦିଲ୍ଲୀ: ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ।

ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ ଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ସଂଶୋଧିତ ଭେନ୍ୟୁର ନାଁ ଘୋଷଣା କରିଛି। ଏହି ସଂଶୋଧିତ ତାଲିକାରେ ବାରବାଟୀ ନାହିଁ।

ବିସିସିଆଇ କହିଛି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଭେନ୍ୟୁରେ ହିଁ ୩ଟି ଯାକ ଦିନିକିଆ ମ୍ୟାଚ ଖେଳାଯିବ। ସେହିପରି ୩ଟି ଯାକ ଟି-୨୦ ମ୍ୟାଚ୍‌ ପାଇଁ ସମାନ ନିୟମ ଲାଗୁ ହେବ।

ନିଷ୍ପତ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ୩ଟି ଯାକ ଦିନିକିଆ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ୩ଟି ଯାକ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ।

କୌଣସି ମ୍ୟାଚ୍‌ରେ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିପାରିବେ ନାହିଁ। ପୂରା ସୁରକ୍ଷା ବଳୟ ମଧ୍ୟରେ ଉଭୟ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳାଯିବ।

ଭାରତ-ଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୧୫ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଥିଲା।

କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଟୁର୍ ଓ ଫିକ୍ସଚର କମିଟି ସିରିଜକୁ ଅହମଦାବାଦ ଓ କୋଲକାତାରେ ସୀମିତ ରଖିବାକୁ ବିସିସିଆଇକୁ ସୁପାରିସ୍ କରିଥିଲା। ଏହାପରେ ବିସିସିଆଇ ସଂଶୋଧିତ ଭେନ୍ୟୁ ଘୋଷଣା କରିଛି।

ଫେବୃଆରୀ ୬, ୯ ଓ ୧୧ ତାରିଖରେ ଦୁଇ ଦେଶ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଫେବୃଆରୀ ୧୬, ୧୮ ଓ ୨୦ ତାରିଖରେ ୩ଟି ଯାକ ଟି-୨୦ ମ୍ୟାଚ୍‌ ଖେଳାଯିବ।

Comments are closed.