Latest Odisha News

BREAKING NEWS

Haryana Funeral: ତୋ ଝିଅ ଜନମକୁ ଧିକ୍! ବୃଦ୍ଧାଶ୍ରମରେ ଚାଲିଗଲା ବୁଢା ବାପାଟା ଜୀବନ, ଭିଡିଓ କଲ୍‌ରେ ଦେଖିଲେ ଅନ୍ତିମ ସଂସ୍କାର, ପଠାଇଲେ ୫,୧୦୦ ଟଙ୍କା

ସୋନିପତ: ଗୋଟିଏ ବାପ ୩ ଝିଅଙ୍କୁ ପାଳିପୋଷି ମଣିଷ କରିପାରିଲା, ହେଲେ ସେହି ୩ ଝିଅ ନିଜ ଗୋଡରେ ଛିଡା ହେବା ଗୋଟିଏ ବୁଢା ବାପାଟାକୁ ସମ୍ଭାଳି ପାରିଲେନି । ବୃଦ୍ଧାଶ୍ରମରେ ବିତିଲା ଶେଷ ସମୟ । ସବୁଠୁ ଦୁଃଖର କଥା ହେଉଛି, ଦେଶ ଭିତରେ ଥାଇ ମଧ୍ୟ ବାପାକୁ ଶେଷ ଥର ପାଇଁ ବିଦାୟ ଦେବାକୁ ବି ଆସିପାରିଲେ ନାହିଁ । ଯେଉଁ ବାପା ନିଜ ଜୀବନର ସମସ୍ତ ପରିଶ୍ରମ ଓ ରୋଜଗାର ୩ ଝିଅଙ୍କ ଭବିଷ୍ୟତ ଗଢ଼ିବାରେ ଖର୍ଚ୍ଚ କରିଥିଲେ, ସେହି ବାପାଙ୍କ ଶେଷ ଯାତ୍ରାରେ ଝିଅମାନଙ୍କ ମଧ୍ୟରୁ କେହି ଜଣେ ବି ସାମିଲ ହୋଇନଥିଲେ। ହରିୟାଣାର ସୋନିପତର ଏକ ବୃଦ୍ଧାଶ୍ରମରେ ରହୁଥିବା ଶିବଚରଣ ରାମରତନ ଗୁପ୍ତାଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ବୃଦ୍ଧାଶ୍ରମ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ସମ୍ପନ୍ନ କରିଥିଲେ। ଅନ୍ୟପଟେ ତିନି ଝିଅ ନେପାଳ, ଉତ୍ତର ପ୍ରଦେଶ ଓ ମୁମ୍ବାଇରୁ ଭିଡିଓ କଲ୍‌ ମାଧ୍ୟମରେ ବାପାଙ୍କ ଶେଷ ବିଦାୟ ଦେଖିଥିଲେ। ଏହି ଘଟଣା ଆଜିର ସମୟରେ ବୃଦ୍ଧମାନଙ୍କ ପ୍ରତି ପରିବାରର ଦାୟିତ୍ୱ ଓ ବଦଳୁଥିବା ସାମାଜିକ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।

ମୂଳତଃ ମୁମ୍ବାଇର ବାସିନ୍ଦା ଶିବଚରଣ ଗୁପ୍ତା ପେଶାରେ ଜଣେ ବସ୍ତ୍ର ବ୍ୟବସାୟୀ ଥିଲେ। ପ୍ରାୟ ଦୁଇ ବର୍ଷ ତଳେ ସେ ପତ୍ନୀ ମୀନାଙ୍କ ସହ ସୋନିପତର ଏକ ବୃଦ୍ଧାଶ୍ରମରେ ରହିବାକୁ ଆସିଥିଲେ। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମଙ୍ଗଳବାର ଭୋର ପ୍ରାୟ ୩.୩୦ରେ ଶିବଚରଣଙ୍କ ଦେହାନ୍ତ ହୋଇଥିଲା। ବୃଦ୍ଧାଶ୍ରମ ପ୍ରଶାସନ ତୁରନ୍ତ ତାଙ୍କର ତିନି ଝିଅଙ୍କୁ ଖବର ଦେଇଥିଲା। କିନ୍ତୁ କେହି ମଧ୍ୟ ସୋନିପତ ଆସିପାରିବେ ନାହିଁ ବୋଲି କହିଥିଲେ। ଫଳରେ ବୃଦ୍ଧାଶ୍ରମ ପରିଚାଳନା କମିଟି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶବଦାହ କରାଯାଇଥିଲା। ଏହି ସମୟରେ ତିନି ଝିଅ ଭିଡିଓ କଲ୍‌ରେ ପୂରା ଅନ୍ତିମ ସଂସ୍କାର ଦେଖିଥିଲେ।

ବୃଦ୍ଧାଶ୍ରମର ପ୍ରଶାସକ ଆନନ୍ଦ କୁମାରଙ୍କ କହିବା ଅନୁସାରେ, ଶିବଚରଣଙ୍କ ପାଖରେ ଗୋଟିଏ ମୋବାଇଲ୍ ଫୋନ୍ ଥିଲା, ଯାହା ଜରିଆରେ ସେ ନିୟମିତ ଭାବେ ଝିଅମାନଙ୍କ ସହ କଥା ହେଉଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେବା ପରେ ଝିଅମାନଙ୍କ ଫୋନ୍ ଆସିବା କମିଯାଇଥିଲା। ପ୍ରାୟ ୨୦ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ନେଇ ଝିଅମାନଙ୍କୁ ସୂଚନା ଦିଆଯାଇଥିଲା। ତଥାପି ସେମାନେ ଦେଖିବାକୁ ଆସିନଥିଲେ।

ମୃତ୍ୟୁ ପରେ ପୁଣିଥରେ ଝିଅମାନଙ୍କ ସହ ଯୋଗାଯୋଗ କରାଯିବାରୁ ସେମାନେ ସମୟ ନଥିବା କହି ସୋନିପତ ଆସିବାରେ ଅସମର୍ଥତା ପ୍ରକାଶ କରିଥିଲେ। ନେପାଳରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ତାଙ୍କ ଝିଅ ଅନୀତା ଅନଲାଇନ୍‌ରେ ୫,୧୦୦ ଟଙ୍କା ପଠାଇ ବାପାଙ୍କ ଅନ୍ତିମ ସଂସ୍କାର ଭଲ ଭାବରେ କରିବାକୁ ଅନୁରୋଧ କରିଥିଲେ। ଅନ୍ତିମ ସଂସ୍କାର ଶେଷ ହେବା ପରେ ଝିଅମାନେ ଏହାର ଭିଡିଓ ମଧ୍ୟ ପଠାଇବାକୁ କହିଥିଲେ। ଭିଡିଓ କଲ୍‌ ସମୟରେ ଜଣେ ଝିଅଙ୍କୁ, “ଆଉ କେତେ ସମୟ ଲାଗିବ? ଆମର ଖାଇବା ଓ ଗାଧୋଇବା ଅଛି,” ବୋଲି କହୁଥିବା ଶୁଣିବାକୁ ମିଳିଥିଲା।

ଶିବଚରଣ ଗୁପ୍ତା ନିଜ ତିନି ଝିଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ସାରା ଜୀବନ ପରିଶ୍ରମ କରିଥିଲେ। ବୃଦ୍ଧାଶ୍ରମ ପ୍ରଶାସନ କହିଛି, ଝିଅମାନଙ୍କ ସଫଳତାକୁ ନେଇ ସେ ସବୁବେଳେ ଗର୍ବ କରୁଥିଲେ। ତାଙ୍କ ଦୁଇ ଝିଅ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବେଳେ ଜଣେ ଉତ୍ତର ପ୍ରଦେଶର ଆଜମଗଡ଼ରେ ଓ ଅନ୍ୟ ଜଣେ ମୁମ୍ବାଇରେ ପରିବାର ସହ ରହୁଛନ୍ତି।

ଏହି ଘଟଣାର ଆଉ ଏକ ସକାରାତ୍ମକ ଦିଗ ହେଉଛି, ମୃତ୍ୟୁ ପରେ ଶିବଚରଣଙ୍କ ଆଖିଦାନ କରାଯାଇଥିଲା। ପରିବାରର ସହମତି କ୍ରମେ ତାଙ୍କ ଚକ୍ଷୁ ଦାନ କରାଯାଇଥିବାରୁ ଦୁଇ ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ଆଲୋକ ଆସିବାର ଆଶା ସୃଷ୍ଟି ହୋଇଛି। ଶେଷରେ ପରିବାର ପକ୍ଷରୁ ତାଙ୍କ ଅସ୍ଥି ସଂରକ୍ଷଣ କରିବାକୁ କୁହାଯାଇଥିଲେ ମଧ୍ୟ ପରେ ସେମାନେ ସମୟ ଅଭାବରୁ ସୋନିପତ ଆସିପାରିବେ ନାହିଁ ବୋଲି ଜଣାଇଥିଲେ। ତେଣୁ ବୃଦ୍ଧାଶ୍ରମକୁ ଗଙ୍ଗାରେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ଅନୁରୋଧ କରିଥିଲେ।

ଏହି ଘଟଣା କେବଳ ଜଣେ ବୃଦ୍ଧଙ୍କ ମୃତ୍ୟୁର କାହାଣୀ ନୁହେଁ, ବରଂ ବଦଳୁଥିବା ପାରିବାରିକ ସମ୍ପର୍କ, ବୃଦ୍ଧମାନଙ୍କ ଏକାକୀପଣ ଓ ସାମାଜିକ ଦାୟିତ୍ୱକୁ ନେଇ ଅନେକ ପ୍ରଶ୍ନ ଛାଡ଼ି ଯାଇଛି।

Leave A Reply

Your email address will not be published.