Latest Odisha News

BREAKING NEWS

ବେଳହୁଁ ସାବଧାନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… 

ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଆଖି ପିଛୁଳାକେ ଯୁବକଙ୍କର ଜୀବନ ଦୀପ ସବୁଦିନ ପାଇଁ ଲିଭି ଗଲା। ଏବେ କିଛି ଦିନ ପରେ ଘଟଣାଟି ସାମୁହିକ ସ୍ମୃତିରୁ ଅପସରି ଯିବ ଓ ନୂଆ ନୂଆ ରୋଚକ ଖବର ମାନ ଆମର ଧ୍ୟାନ ଆକର୍ଷଣ କରିବ।

ଭାରତରେ ଅଗ୍ନିକାଣ୍ଡ କିଛି ନୂଆ କଥା ନୁହେଁ। ଏତେ ବଡ ଦେଶରେ କେଉଁଠି ନା କେଉଁଠି ଅଗ୍ନି ଦୁର୍ବିପାକ ଘଟୁଛି ହିଁ ଘଟୁଛି। ଆମେ ପିଲା ଦିନେ ପଢିଥିଲୁ, “ଟାଇଲି ଛପର ଘର, ନିଆଁ କୁ ନ ଥାଏ ଡର।” କିନ୍ତୁ ଏବେ ତ ଟାଇଲି ଯାଇ କଂକ୍ରିଟ, କାଚ ଓ ଆଲୁମିନିଅମରେ ଘର ବନା ଯାଉଛି, ତଥାପି ଅଗ୍ନି ଦୁର୍ଘଟଣା ମଣିଷର ପିଛା ଛାଡୁ ନାହିଁ। ଆଉ ସୁଉଚ୍ଚ ଅଟ୍ଟାଳିକା, ଆପାର୍ଟମେଣ୍ଟ, ହୋଟେଲ ଗୁଡିକରେ ଅଗ୍ନିକାଣ୍ଡ ହେଲେ ଏଗୁଡିକ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଆଜିର ଦିନରେ ବହୁତଳ ବିଶିଷ୍ଟ କୋଠା ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ସାରିଲେଣି। ସହର ଓ ନଗର ମାନଙ୍କରେ ଜୀବନ ଯାପନ କରିବା ପାଇଁ ଆମକୁ ବହୁତଳ ବିଶିଷ୍ଟ କୋଠା ମାନଙ୍କୁ ନିର୍ଭର କରିବାକୁ ପଡୁଛି। ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଏଡେଇ ଚଳିବା ଆଜି ସମ୍ଭବପର ନୁହେଁ। ତେଣୁ ଅଗ୍ନି ବିତ୍ପାତରୁ ବଞ୍ଚିବାର ଉପାୟ ଆମକୁ ଆହୁରି ଗୁରୁତ୍ଵର ସହକାରେ ବାଛିବାକୁ ପଡିବ।

ଆପଣ ଭାବି ପାରନ୍ତି ଅଗ୍ନି ସୁରକ୍ଷା ପାଇଁ ତ ସରକାରୀ ଭାବରେ ଅନେକ ନିୟମ କାନୁନ ରହିଛି, ଯେମିତିକି ଅଟ୍ଟାଳିକା ତିଆରି ବେଳର ଅନାପତ୍ତି ପ୍ରମାଣ ପତ୍ର, ପଞ୍ଜୀକରଣ, ବାଣିଜ୍ୟିକ ସଂସ୍ଥା ମାନଙ୍କ ପାଇଁ ବର୍ଷକୁ ବର୍ଷ ଲାଇସେନ୍ସ ନବୀକରଣ, ଅଗ୍ନି ବିଭାଗ କର୍ମଚାରୀ ମାନଙ୍କର ନିର୍ଦ୍ଧାରିତ ପରିଦର୍ଶନ ଇତ୍ୟାଦି ଇତ୍ୟାଦି। ଏସବୁ ସରକାରୀ କଟକଣାର ମହତ ଉଦ୍ଦେଶ୍ୟଟି ଏହି ଯେ ଏ ସବୁ ନିୟମ ଗୁଡିକ ଯଦି ଆକ୍ଷରିକ ଭାବରେ ପାଳନ କରାଯାଉଥାଏ, ତେବେ ଅଗ୍ନି ଦୁର୍ଘଟଣା ଘଟିବାର ଆଶଙ୍କା ନଗଣ୍ୟ ହୋଇଯିବ କିମ୍ବା ଯଦି ବି ବିତ୍ପାତ ଘଟେ ସେଥିରୁ ହେଉଥିବା କ୍ଷୟକ୍ଷତି ନଗଣ୍ୟ ହେବ। ହେଲେ ଏ ଦେଶରେ ନିୟମ ତ ଅନେକ ଖଞ୍ଜା ହୋଇଛି, ହେଲେ ସେଗୁଡିକୁ କୌଶଳ କ୍ରମେ ଏଡେଇଯିବା ବା ନିୟମ ପାଳନର ଛଳନା କରିବାର ବାଟ ପ୍ରାୟ ସମସ୍ତଙ୍କୁ ଜଣା। ଏସବୁ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ଶିଥିଳତା ବା ଦୁର୍ନୀତିଗ୍ରସ୍ତତା।

ସେ ଯାହାବି ହେଉ ଆଜିର ଦିନରେ କିଛି ବି ଅଗ୍ନି ବ୍ୟୂତ୍ପାତ ଘଟିଲେ ସଙ୍ଗେ ସଙ୍ଗେ ପଦାକୁ ଆସେ, ଅଗ୍ନି ସୁରକ୍ଷାର ସର୍ବନିମ୍ନ କାନୁନର ଉଲଙ୍ଘନ, ଏଇ ଯେମିତି ଘରର ଅନୁମୋଦିତ ପ୍ଲାନ ବାହାରେ ଘର ନିର୍ମାଣ, ଘର ନିର୍ମାଣ ପରେ ଅତ୍ୟାବଶ୍ୟକୀୟ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅଭାବ ଓ ଆହୁରି କେତେ କ’ଣ। ଏଣୁ ଭାରତରେ ଯେ କୌଣସି ଅଟ୍ଟାଳିକାରେ ଅଗ୍ନିକାଣ୍ଡ ହେଲେ ସଙ୍ଗେ ସଙ୍ଗେ ସେ କୋଠାର ମାଲିକ କିମ୍ବା ଚାଲୁଥିବା ବାଣିଜ୍ୟ ସଂସ୍ଥାର ପରିଚାଳକ ମାନଙ୍କୁ ଧରପଗଡ କରାଯାଇଥାଏ ଓ ଅଗ୍ନି କର୍ତ୍ତୃପକ୍ଷମାନଙ୍କୁ ସସପେଣ୍ଡ କରି ଅନୁସନ୍ଧାନର ଘେରକୁ ଅଣା ଯାଇଥାଏ। କିନ୍ତୁ କିଛି ଦିନର ତୁମ୍ବି ତୁଫାନ ପରେ ଘଟଣା ଟି ପୁଣି ଥଣ୍ଡାବାକ୍ସକୁ ଚାଲିଯାଏ, ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ।

ଅଗ୍ନି ସତର୍କତାର ଏତେ ସବୁ ନିୟମ ଥାଇ ମଧ୍ୟ ସେଗୁଡିକ କଡାକଡି ଭାବେ ଲାଗୁ କରା ଯାଉ ନଥିବା ଓ ସେଗୁଡିକର ଅବମାନନାକୁ ରୋକା ଯାଇ ପାରୁନଥିବା ନିଶ୍ଚୟ ଭାବେ ଚିନ୍ତାର ବିଷୟ। ଏଣୁ ପ୍ରଶ୍ନ ଉଠେ ନିୟମାନୁବର୍ତ୍ତିତାର ପରିବେଶ ଉନ୍ନତ ହେବା ପର୍ଯ୍ୟନ୍ତ ଆମେ କ’ଣ ଏହି ଅଗ୍ନି ତାଣ୍ଡବ ଗୁଡିକର ନୀରବ ଦ୍ରଷ୍ଟା ହୋଇ ରହିଥିବା ? ଅଥବା ଧନ ଜୀବନ ବଞ୍ଚାଇବା ପାଇଁ ଆମର ସାଧାରଣ ବୁଦ୍ଧି ଖଟାଇ ବିକଳ୍ପ ଗୁଡିକ ଚିନ୍ତା କରିବା?

ଏହି ଅଲେଖ୍ୟର ଉଦ୍ଦେଶ୍ୟ ହେଲା ଆଜିର ସମୟରେ ସୁଉଚ୍ଚ ଅଟ୍ଟାଳିକାମାନଙ୍କରେ ବାସ କରୁଥିବା କିମ୍ବା କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଅଗ୍ନି ଦୁର୍ଘଟଣାରୁ ସୁରକ୍ଷା ବାବଦରେ ସତର୍କ ଓ ସଚେତନ କରାଇବା। ଏହି ମତାମତ ଗୁଡିକ ଜଣେ ସାଧାରଣ ନାଗରିକର ଅନୁଭରୁ ପ୍ରସୂତ, ବିଶାରଦ ମାନଙ୍କର ତତ୍ତ୍ଵଭିତ୍ତିକ ନୁହେଁ।  ବିଶାରଦ ଓ କର୍ତ୍ତୃପକ୍ଷ ମାନଙ୍କର ନିୟମ ତ ସମସ୍ତେ ପାଳିବେ ହିଁ ପାଳିବେ। ତା’ ସହ ନିମ୍ନ ଲିଖିତ ଦିଗଗୁଡିକୁ ଧ୍ୟାନ ଦେଲେ ସୁରକ୍ଷାର ସମ୍ଭାବନା ଅଧିକ ହେବ।

ଲେଖାଟି ପଢିବା ପରେ ପରେ ଆପଣ ଦେଖି ନିଅନ୍ତୁ ଘରର ମୁଖ୍ୟ ଦ୍ଵାର ବ୍ୟତୀତ ବାହାରକୁ ଖୋଲୁଥିବା ସମସ୍ତ ଝରକା, ବାଲକୋନୀ ଲୁହା ଗ୍ରୀଲ ଦ୍ଵାରା ଆବଦ୍ଧ କି ? ଯଦି ସେମିତି ହୋଇଥାଏ ତେବେ ଆମେ ଚିନ୍ତା କରିବାର କଥା ମୁଖ୍ୟ ଦ୍ଵାର ବ୍ୟତୀତ ଅନ୍ୟ କୌଣସି ନିର୍ଗମ ପଥ ନ ରହିବା ସୁରକ୍ଷିତ ନୁହେଁ। କାରଣ ବେଳେ ବେଳେ ଘରର ମୁଖ୍ୟ ନିକାଶ ଦ୍ଵାର ଅଗ୍ନି ଦ୍ଵାରା ବନ୍ଦ ହୋଇ ଯାଇପାରେ।  ଏଣୁ ବାଲକୋନୀ ବା ଝରକା ଗ୍ରୀଲରେ ଯଦି ମଣିଷଟିଏ ଯିବା ପାଇଁ ପଥଟିଏ ବ୍ୟବସ୍ଥା କରାଯାଏ ତେବେ ଅଗ୍ନିକାଣ୍ଡରୁ ବର୍ତ୍ତିବା ପାଇଁ ବାଟଟିଏ ମିଳିଯିବ। ବର୍ତ୍ତମାନ ଦେଖାଯାଉ ଘର ଯଦି ଦୁଇ ତିନି ମହଲା ବା ତଦୁର୍ଦ୍ଧ୍ଵରେ ଅବସ୍ଥିତ ଥିବ ତେବେ କଣ କରାଯାଇ ପାରିବ। ଏପରି ସ୍ଥଳରେ ସେଇ ଗ୍ରୀଲ ନିର୍ଗମ ଦ୍ଵାର ପାଖରେ ତଳକୁ ପହଞ୍ଚୁ ଥିବା ପର୍ଯ୍ୟନ୍ତ ଲମ୍ବ ଶକ୍ତ ରସି ବା ଦଉଡିର ସିଡି ଦୃଢ ଭାବରେ ବାନ୍ଧି ଭିତରପଟେ ଗୁଡାଇ ରଖିଥିବା ଉଚିତ। କାରଣ ନିଆଁ ଧାସରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଉଚ୍ଚ ମହଲାରୁ ତଳକୁ ଡେଇଁବା ଅପେକ୍ଷା ଏହି ରସି ବା ସିଡି ଦ୍ଵାରା ବଞ୍ଚିବାର ଆଶା ଯଥେଷ୍ଟ ବଢିଯିବ।

ଆଉ ଗୋଟିଏ ଉପାୟ ସବୁ ଉଚ୍ଚ ଅଟ୍ଟାଳିକାମାନଙ୍କରେ ରହିବା ଉଚିତ। କୋଠା ଘରର ଚାରି ପାଖରେ ପ୍ରଥମ ମହଲା ଛାତ ବାହାରକୁ କାନ୍ଥର ଚାରି ପାଖରେ ସୁଦୃଢ ଜାଲ ସଦାବେଳ ପାଇଁ ବନ୍ଧା ହୋଇ ରହିବ। ଏହି ଜାଲ ସର୍କସରେ ଦୁଃସାହସିକ ଖେଳ ପ୍ରଦର୍ଶନ ବେଳେ ତଳେ ବନ୍ଧାଯାଉଥିବା ଜାଲ ଭଳି। ଅଗ୍ନି ମୁହଁରୁ ତଳକୁ ଲମ୍ଫ ମାରିବାକୁ ବାଧ୍ୟ ହେଲେ ଅନେକେ ଏହି ଜାଲ ଦ୍ଵାରା ବଞ୍ଚି ଯିବେ। ଜାଲର ଚଉଡା ଅଧିକ ରହିଲେ ବର୍ତ୍ତିବାର ଆଶା ମଧ୍ୟ ଅଧିକ ହେବ।

ଏସବୁ ତ ହେଲା ବାହ୍ୟ ବ୍ୟବସ୍ଥା, ସବୁଠୁ ଅଧିକ ଗୁରୁତ୍ଵର ବିଷୟଟି ହେଲା ଅଗ୍ନି ଅଘଟଣ ପାଇଁ ବାସିନ୍ଦାମାନଙ୍କର ମାନସିକ ପ୍ରସ୍ତୁତି। ସୁରକ୍ଷାର ବ୍ୟବସ୍ଥା ଓ ନୀତି ନିୟମ ତା ସ୍ଥାନରେ ଥିଲାବେଳେ ଆମେମାନେ ବିପଦ ନ ପଡିବା ପର୍ଯ୍ୟନ୍ତ ସେଗୁଡିକୁ ଧ୍ୟାନ ଦେଉନା। ଅଗ୍ନିକାଣ୍ଡ ବେଳେ ଲିଫ୍ଟ ବ୍ୟବହାର ପ୍ରାଣଘାତକ ହୋଇପାରେ ଏ କଥା ଅନେକ ଲୋକ ଜାଣନ୍ତି ନାହିଁ। ଅନେକ ଫ୍ଲାଟରେ  ସୁରକ୍ଷା ଶିଡି ମୁହଁରେ ପିଲାଙ୍କ ସାଇକଲ, ଆଲମାରି ଓ ଅନ୍ୟାନ୍ୟ ଜିନିଷ ରଖି ପଥ ଆବଦ୍ଧ କରିଦିଆ ଯିବାର ଦେଖିବାକୁ ମିଳେ। ଅଗ୍ନି ନିର୍ବାପନ ଯନ୍ତ୍ରର ବ୍ୟବହାର ବିଷୟରେ ଜାଣିବାକୁ ଲୋକେ ସମୟର ଅପଚୟ ଭାବନ୍ତି। ଏ ବାବଦରେ ସୋସାଇଟି ଗୁଡିକ ନାଟକ ବା ଡ୍ରିଲ ବା ଅନ୍ୟାନ୍ୟ ଚିତ୍ତାକର୍ଷକ ମାଧ୍ୟମରେ ଅଧିବାସୀମାନଙ୍କୁ ସଜାଗ କରାଇବା ଉଚିତ। ସାଧାରଣ ଲୋକ ଏ ବିଷୟରେ ସତର୍କ ହେଲେ ସରକାରୀ କର୍ତ୍ତୃପକ୍ଷ ନିୟମ କାନୁନକୁ କଡାକଡି ଲାଗୁ କରିବାକୁ ବାଧ୍ୟ ହେବେ। ହୁଏତ ବେଳହୁଁ ସାବଧାନ ହୋଇ ଏହି ସତର୍କତା ମାନ ଅବଲମ୍ବନ କଲେ ଦୁଃଖପୂର୍ଣ୍ଣ ଘଟଣାଗୁଡିକର ପୁନରାବୃତ୍ତି ହେବ ନାହିଁ।

 

ମୋ: ୯୪୩୭୦୮୯୬୫୫

Leave A Reply

Your email address will not be published.