Latest Odisha News

BREAKING NEWS

ସମ୍ପୂର୍ଣ୍ଣ ନୀରୋଗ ରହିବାର ମନ୍ତ୍ର: ପ୍ରାନିକ୍ ବ୍ରିଦିଙ୍ଗ୍

ଲେଖିକା – ଶୁଭଶ୍ରୀ ମିଶ୍ର

‘ଆତ୍ମା ନମସ୍ତେ’, ଶବ୍ଦଟି ଶୁଣିବାକୁ ଅଦ୍ଭୁତ ଲାଗିଲେ ମଧ୍ୟ ଏହାର ଏକ ଗୂଢ ତତ୍ତ୍ୱ ରହିଛି । ‘ଆତ୍ମା ନମସ୍ତେ’ କହିବା ଦ୍ୱାରା ଆମେ ପରସ୍ପରର ଆତ୍ମାକୁ ସମ୍ମାନ ଦେଇଥାଉ । ଆତ୍ମାର ସମ୍ପର୍କ ସର୍ବଦା ଚିରସ୍ଥାୟୀ । ଆତ୍ମା ନମସ୍ତେ କହିବା ଦ୍ୱାରା ଆମେ ବ୍ୟକ୍ତି ସହିତ ଓ ତା’ର ଆତ୍ମା ସହିତ ଯୋଗାଯୋଗ କରିବା ସହିତ ପବିତ୍ର ସମ୍ପର୍କ ସ୍ଥାପନ କରି ପାରିଥାଉ ।

ପ୍ରାନିକ୍ ବ୍ରିଦିଙ୍ଗ ବା ନିଃଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ ଯୋଗ ପ୍ରାଣବିଦ୍ୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯେପରି ଏକ ଅଇଁଠା କପରେ ଆମେ ବାରମ୍ବାର ଚା’ ପିଇ ପାରୁନା, ସେହିପରି ଧ୍ୟାନ ପୂର୍ବରୁ ଶରୀରର ବିଭିନ୍ନ ନାଡ଼ୀ ଗୁଡ଼ିକୁ ପରିଷ୍ପାର ବା ପ୍ୟୁରିଫିକେସନ କରିବାକୁ ପଡ଼ିଥାଏ । ଏହି ଏକ ନିଃଶ୍ୱାସ-ପ୍ରଶ୍ୱାସ ପ୍ରକ୍ରିୟା ଦ୍ୱାରା ବା ଏହି ପ୍ରାନିକ୍ ବ୍ରିଦିଙ୍ଗ ଦ୍ୱାରା ହିଁ ଏହି ସଫାଇ ବା ପ୍ୟୁରିଫିକେସନ ସମ୍ଭବ ହୋଇଥାଏ ।

ସାଧାରଣତଃ ପ୍ରାଣାୟାମରେ ଶରୀରରେ ସଞ୍ଚିତ ବାୟୁକୁ ନିଃଶ୍ୱାସରେ ଛାଡ଼ି ପ୍ରଶ୍ୱାସରେ ଆହରଣ କରିଥାଉ । ଏହି ପ୍ରକ୍ରିୟାରେ କିନ୍ତୁ ନିଃଶ୍ୱାସ ଓ ପ୍ରଶ୍ୱାସ ପ୍ରକ୍ରିୟା ସମୟରେ ବାୟୁକୁ କିଛି ସମୟ ନିୟନ୍ତ୍ରଣ କରି ପଜ୍ ମୋଡ୍ ରେ ରଖାଯାଇଥାଏ । ହଁ, ଏଠାରେ ମନକୁ ସ୍ୱତଃ ଏକ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଏହା କିପରି ସମ୍ଭବ ହୋଇଥାଏ? ଶ୍ୱାସ ପ୍ରକ୍ରିୟାକୁ କିଛି ସମୟ ନିୟନ୍ତ୍ରଣ କରି ବନ୍ଦ୍ ରଖିବା ସମ୍ଭବ ହୋଇଥାଏ ନିୟମିତ ଅଭ୍ୟାସ ଦ୍ୱାରା । ନିଜେ ନିଜେ ଏହି ପ୍ରକ୍ରିୟା କରିବା ଆଦୌ ଉଚିତ ନୁହେଁ, ବରଂ ନିଜର ମାଷ୍ଟର ବା ଗୁରୁଙ୍କ ଉପଦେଶ ବା ପରାମର୍ଶ ଅନୁସାରେ ଏହି ପ୍ରକ୍ରିୟା କରିବା ନିହାତି ଆବଶ୍ୟକ ।


ଦାନ୍ତକୁ ଦୈନିକ ଆମେ ବ୍ରଶ୍ ନ’କରିଲେ ସବୁ ଦାନ୍ତ ଏବଂ ଦାନ୍ତମୂଳରେ ଯେପରି ମଇଳା ଜମାଟ ବାନ୍ଧି ଅପରିଷ୍କାର ହୋଇଯାଏ, ସେହିପରି ଆମେ ଯଦି ଆମ ଶରୀରର ନାଡ଼ୀ ଶୋଧନ ବା ପ୍ରାଣାୟାମ ଦ୍ୱାରା ଏହି ବ୍ରେଦିଙ୍ଗ ଏକ୍ସରସାଇଜ୍ ନ’କରିବା ତେବେ ଆମ ଶରୀର ମୌଳିକ ଉପାଦାନ ବା ପ୍ରାଣଶକ୍ତି ପରିଷ୍କାର ହୋଇ ନଥାଏ । ତେଣୁ ମନ ଶରୀର ଓ ଆତ୍ମା ସହିତ ଶରୀରର ଅଦୃଶ୍ୟ ସୂକ୍ଷ୍ମ ଶରୀରରୁ ନୀରୋଗ ତଥା ସତେଜ ରଖିବାର ମୂଳ କାର୍ଯ୍ୟ ହେଉଛି ପ୍ରାନିକ୍ ବ୍ରିଦିଙ୍ଗ୍ ।

ଏହା ଦ୍ୱାରା ମନ ସମସ୍ତ କାର୍ଯ୍ୟ ସମସ୍ତ ଘଟଣାରୁ କିଛିକ୍ଷଣ ମୁକ୍ତ ହୋଇଥାଏ ଏବଂ ଶରୀରରେ ଶ୍ୱାସ ପ୍ରକ୍ରିୟାରେ ଶୁଦ୍ଧତା ଆସିଥାଏ । ଫଳରେ ମନ ଶରୀର ଓ ଆତ୍ମାରେ ବିଶୁଦ୍ଧ ହୋଇ ପରମାତ୍ମାଙ୍କ ସହିତ ଯୋଡ଼ି ହୋଇଯାଏ ।

ପ୍ରାଣିକ୍ ବ୍ରେଦିଙ୍ଗର ଉପକାରିତା: –
ଏହି ପ୍ରାଣାୟାମ ସ୍ଥୂଳ ଶରୀର (ଫିଜିକାଲ୍ ବଡ଼ି) ଏବଂ ସୂକ୍ଷ୍ମ ଶରୀର (ମେଣ୍ଟାଲ୍ ବଡ଼ି)ର ପ୍ୟୁରିଫିକେସନ କରିଥାଏ ।
ଏହା ସମସ୍ତ ପ୍ରକାର ଚିନ୍ତା, ଅବସାଦ ତଥା ମାନସିକ ଅବସ୍ଥାକୁ ନିୟନ୍ତ୍ରଣ କରିଥାଏ ।
ଏହା ଉର୍ଜ୍ଜାର ଶରୀର ବା ଏନର୍ଜି ବଡ଼ି କୁ ବର୍ଦ୍ଧିତ କରିବାରେ ସାହାଯ୍ୟ କରିଥାଏ ।
ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟକରିବା ଶକ୍ତି ବୃଦ୍ଧି କରାଇଥାଏ । ସଠିକ୍ ରୂପେ ଏହି ପ୍ରାଣାୟାମ କଲେ ମନରେ ସ୍ଥିରତା ଆସିଥାଏ । ଏହି ପ୍ରାଣାୟାମ ଦ୍ୱାରା ଜୀବନରେ ପ୍ରାଣଶକ୍ତି ବା ଏନର୍ଜିର ବୃଦ୍ଧି ଘଟିଥାଏ । ମାନସିକ ଅବସାଦ ଏବଂ ଆଶଥମା ପରି ମାରାତ୍ମକ ରୋଗ ମଧ୍ୟ ଏଥିରେ ନିୟନ୍ତ୍ରିତ ହୋଇଥାଏ । ଅତ୍ୟଧିକ କ୍ରୋଧ ବା ଚିଡ଼ିଚିଡ଼ାପଣ ମଧ୍ୟ ଏହି ବ୍ରିଦିଙ୍ଗ୍ ଅଭ୍ୟାସ ଦ୍ୱାରା ଦୂରୀଭୁତ ହୋଇଥାଏ ।

ସୁସ୍ଥ ଶରୀର ଓ ସୁସ୍ଥ ମନ ଭଗବାନଙ୍କର ଅବଦାନ ଅଟେ । ଏହାକୁ ନିୟନ୍ତ୍ରଣ କରିବାର ଚାବିକାଠି ଆମ ହାତରେ ହିଁ ଅଛି ।

ଫିଜିକାଲ୍ ବଡ଼ି ବା ସ୍ଥୂଳ ଶରୀର ଲାଗି ଆମେ ଜିମ୍ ଯାଇଥାଉ ବା ବ୍ୟାୟାମ କରିଥାଉ । ତେବେ ସୂକ୍ଷ୍ମ ଶରୀର ପାଇଁ ବ୍ରିଦିଙ୍ଗ୍ ବା ଯୋଗ ଓ ପ୍ରାଣାୟାମର ଜରୁରୀ ରହିଛି ।

ତେଣୁ ପ୍ରତ୍ୟେକ ଦିନ କିଛି କିଛି ସମୟ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ଆମେ ଏକ ନୀରୋଗ ଜୀବନ ଯାପନ କରିବା ସହିତ ଜୀବନକୁ ସୁନ୍ଦର ଭାବେ ଉପଭୋଗ କରିପାରିବା ।

 

(ଲେଖିକା – ଅଧ୍ୟାପିକା ଶୁଭଶ୍ରୀ ମିଶ୍ର ଜଣେ ‘ଯୋଗ-ପ୍ରାଣ-ବିଦ୍ୟା’ର ସାଧିକା ବା ପ୍ରାନିକ୍ ହିଲର୍)
ସିଡ଼ିଏ, କଟକ
ମୋ – ୭୯୮୦୫୪୯୩୯୭

Leave A Reply

Your email address will not be published.