ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ
ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ ରାଜପୁରାଣ ପଣ୍ଡାଙ୍କ ପୁରାଣ ପଢାଠି ଯାଇ ବସୁଛି ସିନା ଖାଲି କାନ ପବିତ୍ର କରି ଆସୁଛି । ମଗଜକୁ ଢୁକୁନି । ମଗଜକୁ ନ ଢୁକିଲେ ହୃଦୟେ କେମିତି ଲେଖା ହବ । ହୃଦୟେ ଛପା ନହେଲେ ମୁକତି କାଇଁ । ବାହାରୁ ବୁଝା ପଡୁନି ବୋଲି ଆଖି ଝାଙ୍କୁଛି ଘୁମ , ମନ ବିରସ ।
ରାଧାଷ୍ଟମୀରେ ଶ୍ରୀ ରାଧାସମ ଭକ୍ତି ନେଇ ଧରାବତରଣ କରନ୍ତି ମାଆଟିର କୋଳ ମଣ୍ଡନ କରି ଆସନ୍ତି ପୁତ୍ରରତ୍ନ । ପେଟରୁ ବୁଝି ସାରିଥାନ୍ତି ବୋଧେ ମାଆ ମନକଥା । ମାତୃଭକ୍ତ ସନ୍ତାନଟି ଧରେ ପର କଲମ ଆଉ କାଳି ଦୁଆତ । ସଂସ୍କୃତ ପୁରାଣର ରୁପାନ୍ତରଣ ହୁଏ ସରଳ ସରସ ଛଳଛଳ ଗାଉଁଲି କଥାକୁହା ବୋଲା ଲୋକଭାଷାରେ । ଶୁଦ୍ଧ ଓଡିଆରେ,ଓଡିଆ ଚଳଣୀ ଅନୁସାରେ । ଓଡିଆ ଅଗଣାର କଥା । ଶ୍ରୀ ବଟ ଗଣେଷ ଆଶିଷ ଢାଳନ୍ତି କୃପାମୟ ହୋଇ । କଲମ ଚାଲେ। ନବାକ୍ଷରୀ ଛନ୍ଦରେ ଛନ୍ଦି ସୁମଧୁର ସ୍ବର ଦେଇ ତାଳପତ୍ରି ପୋଥିରେ ଜନ୍ମ ହୁଅନ୍ତି ଭାଗବତ ମହାପୁରାଣ ।ଭାଗବତ ମହାପୁରାଣ ବିଷୟରେ ଯେତେ କହିଲେ ସରିବନି ।ଜୀବନ କୁ ନୂତନ ଦିଗଦର୍ଶନ ଦିଏ ଭାଗବତ । ଅତିବଡି ଜଗନ୍ନାଥ ଦାସଙ୍କ ଦିବ୍ଯ କୃତି ଆମ ସଂସ୍କୃତି ପାଇଁ ଏକ ଅମୂଲ୍ୟ ସଂପଦ । ତାଙ୍କର ସରଳ ବୁଝିହେଲା ପରି ସାଧାରଣ ଭାଷା ବ୍ଯବହାର କାରଣେ ବହୁଳ ପ୍ରଚାର ପ୍ରସାରିତ ହୋଇପାରିଲା ପୁରାଣ ଭାଗବତ ।
ମୋ ଜେଜେମା କହୁଥିଲା, ” ଏ ସଂସାରରେ ଯେତେ ପାଠ ଅଛି, ଥିଲା କି ହବ ସବୁ ଆମ ଭାଗବତରେ ଅଛି । ସକାଳେ ଗୀତା, ଦିହିପହରେ ଶ୍ରୀରାମକଥା ( ବୃହସ୍ପତ୍ତି ବାର ଛାଡି ) ଓ ସଂଧ୍ୟାରେ ଶ୍ରୀମଦଭାଗବତ କଥା ଯୋଉ ଘରେ କି ଗାଁ ରେ ପଢାହୁଏ ସେଠି କାଳେ ବିପତ୍ତି ଆସିବାକୁ ଡରେ ।” ମୋ ପିଲାଦିନେ ମନେ ଅଛି ଆମ ଘରେ ବାପା ଭାଗବତ ପଢନ୍ତି ନିତି। ମୋ ଜେଜୀ ମନଦେଇ ଶୁଣୁଥାଏ ଝୁଲି ଝୁଲି, ଭାବବିହ୍ବଳ ହେଇ,ଆଖି ରେ ଲୁହ ,ଅନ୍ତରରେ ଭକ୍ତି ନେଇ । ଆମକୁ ଗପ ଛଳରେ ଭାଗବତରୁ ଶୁଣିଥିବା ଗପ ସବୁ କହେ ।ଭାଗବତରୁ ହି ଟାଣି ଆଣି ଢଗ ବାଢେ, ଭଲମନ୍ଦ ବୁଝାଏ, ସମାଧାନ ବତାଏ, ସଂସାର ନାଆର ପୋଖତ ନାଉରିଆ ହୋଇ ମଙ୍ଗ ସଳଖି ଧରେ । ସିଏ ତା ସମୟରେ ଇସ୍କୁଲୁ ମାଟି ନ ମାଡିଥିଲେ ବି ଶୁଣି ଶୁଣି ଗାଇ ଗାଇ କେତେ ପୋଥିପୁରାଣ ଗପ କାହାଣୀ ମନେରଖିଥିଲା ଆଉ ଗାଇଯାଉଥିଲା ।ତାରି ପରି ମାଆ ମାନଙ୍କ ପାଇଁ ଭାଗବତ ଲେଖା ହେଇଥିଲା ନିଶ୍ଚେ । ଆମ ଘରେ ଭାଗବତ ଜନ୍ମ ପାଳନ ହେଉଥିଲା ପବିତ୍ର ଢଙ୍ଗରେ । ବୋଉ ବାଡିଆ ଚୁଡାଘଷା ଡାଲମା କରୁଥିଲା, ପୁରି, ଖିରି ରନ୍ଧା ହେଉଥିଲା । ଆଉ ତୁଳସୀ ପତ୍ର ପଡି ଭୋଗ ଅର୍ପଣ ହେଉଥିଲେ । ମହମହ ବାସୁଥିଲେ ନୈବେଦ୍ଯ ହେଲାପରେ। ଏମିତି କମକୂଟ କାମ କରା କାଠର ଭାଗବତ ରଖା ଛକିଖଟୁଲି ଉପରେ ପଟା ବନ୍ଧେଇ ବହିତକ ଥାକ କରି ରଖା ହେଉଥିଲେ । ଫୁଲ ପିନ୍ଧୁଥିଲେ । ବହିର ଜନ୍ମ ଦିନ କେମିତି ପଚାରିଲେ ମାଆ କହୁଥିଲା ଶ୍ରୀ ଶୁକପରିକ୍ଷୀତ ରଜା ଉପାଖ୍ଯାନ । ପୃଥିବୀ ମାତାର କାନ୍ଦ, ଧର୍ମର ଏକପାଦେ ଉଭା, କଳିର ଶରଣ, ମାଗୁଣି, ତକ୍ଷକ ନାଗ କଥା ଆଉ ମୁଁ କଳ୍ପନାରେ ଦେଖୁଥିଲି ସଂପୂର୍ଣ୍ଣ ଗପ କୁ ପରକୁ ପର ମନ ଆଖିରେ ।
ଭାଗବତ କାଳେ ବିଧର୍ମୀମାନେ ଉତ୍କଳ ଆକ୍ରମଣ ବେଳେ ବି ଧର୍ମପ୍ରାଣ ଓଡିଆ ମନ ସବୁକୁ ଏକସୂତ୍ର ଏକ ମାଳରେ ଗୁନ୍ଥି ରଖି ଏକତ୍ର ଠିଆ କରେଇଥିଲା ।
ମୁଁ ଷଷ୍ଠ ଶ୍ରେଣୀରେ ପଢିବା ବେଳୁ ବାପା ମୋ ହାତକୁ ହସ୍ତାନ୍ତର କରିଥିଲେ ଭାଗବତ । ସବୁଦିନେ ପଢୁ ପଢୁ ଆଜି ଯାଏ ପଢୁଛି । ସେବେ ତ ବୁଝିପାରୁନଥିବାରୁ ଖାଲି ଗଡଉଥିଲି ।ଘୁମେଇ ଘୁମେଇ ପଢୁଥିଲି ପଢିବାକଥା ବୋଲି । ଏବେ ପଢୁଛି ଆଉ ବୁଝୁଛି ଗପ ଛଳରେ , ସାଙ୍କେତିକରଣ ଶବ୍ଦ ସବୁ ସହ କେତେ ନୀତିଶିକ୍ଷା, କେତେ ଜୀବନ ଦର୍ଶନ, କେତେ କରଣୀୟ, ବାରଣ, କେତେ ଜ୍ଞାନ, ବିଜ୍ଞାନ ଏଥିରେ ଭରି ରହିଛି । କେତେ ସୁନ୍ଦର ଭାଷା । ନୂଆ ନୂଆ ଶବ୍ଦ ।
ଗାଁମାନଙ୍କରେ ଭାଗବତ ଟୁଙ୍ଗି ରହୁଥିଲା । ଗାଁକୁ ଏକାଠି କରୁଥିଲା । ଗାଁର ଯୁବ ଗୋଷ୍ଠୀ ଶୃଙ୍ଖଳିତ ହେଉଥିଲେ, ଧର୍ମ ପ୍ରାଣ ହେଉଥିଲେ, ସତ୍ଯ ନ୍ଯାୟ ପ୍ରିୟ ହେଉଥିଲେ । ସମାଜ ସୁଧାର ଥିଲା । ଘରେ ପିଲେ ମଣିଷ ହେଉଥିଲେ । ନୀତି ନିୟମ ଅନୁସାରେ ଚଳିବା ହେତୁ ଏତେ ପ୍ରକାର ବିକାରଗ୍ରସ୍ଥ ହେଉନଥିଲେ ଲୋକେ । ଆତ୍ମିକ ସ୍ତରରେ ଉନ୍ନତି ସହ କୌଣସି ଭୁଲଭଟକା କାମ ପ୍ରତି ସତର୍କ ରହୁଥିଲେ ।
ଆମର ପୂର୍ବଜ ମାନେ ଆମ ପାଇଁ ରଖିଯାଇଥିବା ପୁରାଣ ରୂପେ ମହାନ ଗ୍ରନ୍ଥ ସବୁ ଆମର ବର୍ତ୍ତମାନ ମାନର ସମାଜକୁ ବାଟ ଦେଖାଉ ।ଆଣ୍ଠେଇ ପଡିଥିବା ସମାଜକୁ ହାତ ଧରି ଅଣ୍ଟା ସଳଖି ଠିଆ କରୁ । ଦମ୍ଭ ଦେଉ ।