Latest Odisha News

ଭକ୍ତ ଓ ଭଗବାନ: ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ପୁରୀ : ‘ଦାସିଆ ନଡ଼ିଆ ସିନା ତୋତେ ବଢିଆ, ହେଲେ ତୋ ଅବଢା ଅନ୍ନ ମୋତେ ବଢିଆ’ । ଭକ୍ତ ଭିକାରୀ ବଳଙ୍କ ସୁଲଳିତ କଣ୍ଠସ୍ୱରରେ ଏହି ଗୀତଟିରେ ଭକ୍ତ ଦାସିଆ ବାଉରୀଙ୍କ ଅଚଳାଚଳ ଭକ୍ତିର କଥା କହିଥାଏ । ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ହେଉଛି ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ତଥା ନିରନ୍ତର ଭକ୍ତି ଭାବନା । ସ୍ୱୟଂ ଭଗବାନ ଭକ୍ତର ଭକ୍ତିରେ ହିଁ ଭକ୍ତକୁ ଦର୍ଶନ ଦେଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ବାଲିଗ୍ରାମର ଭକ୍ତ ଶିରୋମଣି ଦାସିଆ ବାଉରୀ । ।

ପୁରୀରୁ ଚାରି ମାଇଲ ଦୂରରେ ବାଲିଗ୍ରାମ ନାମରେ ଗୋଟିଏ ଗାଁ ରହିଛି । ଏକ ନୀଚ ଜାତିରେ ଦାସିଆଙ୍କ ଜନ୍ମ । ସମାଜର ଦୃଷ୍ଟିରେ ସେ ଥିଲେ ଅସ୍ପୃଶ୍ୟ, ଘୃଣ୍ୟ ତଥା ନୀଚ । ପିଲାବେଳୁ ମାତାପିତାଙ୍କୁ ହରାଇଥିଲେ ଦାସିଆ । ପିଲାବେଳୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଗାଢ ବିଶ୍ୱାସ । ଯୌବନରେ ପଦାର୍ପଣ କରି ଜଣେ ଅତ୍ୟନ୍ତ ଧର୍ମପରାୟଣା ମନଲାଗି ସ୍ତ୍ରୀଟିଏ ପାଇଲେ ଦାସିଆ । ଦୈନିକ ଲୁଗାବୁଣି ବିକ୍ରି କରି ପେଟ ପୋଷିଥାନ୍ତି ଦୁଇପ୍ରାଣୀ । ଭକ୍ତ ଦାସିଆ ଅହରହ ମହାପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି । ଶୟନେ ବସନେ ଜାଗରଣେ ସବୁବେଳେ ଶ୍ରୀଜଗନ୍ନାଥ ହିଁ ତାଙ୍କ ହୃଦୟ କନ୍ଦରରେ ରହିଥାନ୍ତି ।

ସେତେବେଳେ ନୀଚକୂଳ ଲୋକମାନଙ୍କର ମନ୍ଦିର ପ୍ରବେଶ ନିସିଦ୍ଧ ଥିଲା । ମନ୍ଦିରକୁ ଯାଇ ନପାରିବାରୁ ଦାସିଆଙ୍କ ମନରେ ଗଭୀର ଦୁଃଖ ଜାତ ହେଉଥାଏ । ଦାସିଆ ସବୁବେଳେ ମହାପ୍ରଭୁଙ୍କୁ କହୁଥାନ୍ତି, ମୁଁ ତୁମର ଅଧମ ସନ୍ତାନ, ମୁଁ ପତିତ ଜନ, ହେ ମହାପ୍ରଭୁ ! ମୋର ସମସ୍ତ ପାପ ତାପ ଦୂରକରି ମୋତେ ଦର୍ଶନ ଦେଇ ଏହି ଭବ ସଂସାରରୁ ଉଦ୍ଧାର କର । ତୁମେ ମୋତେ ଦର୍ଶନ ଦିଅ ହେ ମହାପ୍ରଭୁ, ରତ୍ନ ସିଂହାସନର ସେହି ତୁମର ତ୍ରିଭୁବନ ବେଶ କମନୀୟ ବେଶଭୁଷାର ଶରୀରକୁ ଟିକେ ଦର୍ଶନ କରିବି ।


ଦିନେ ଧଳା ଜାଉ ସହିତ କଳା ଶାଗ ରାନ୍ଧିଥିଲେ ଦାସିଆଙ୍କ ପତ୍ନୀ । ଖାଇବା କଂସାରେ ଧଳା ଜାଉରେ ଶ୍ରୀଜଗନ୍ନାଥଙ୍କ ଚକା ଆଖି ସଦୃଶ କିଛି ଶାଗ ଗୋଲ ଗୋଲ ହୋଇ ପଡ଼ିଯିବାରୁ ଦାସିଆଙ୍କୁ କଂସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୁଖ ପରି ଦୃଶ୍ୟମାନ ହେଲା । ଫଳରେ ଦାସିଆଙ୍କ ହୃଦୟରେ ପ୍ରଚୁର ଭକ୍ତି ଭାବନା ଜାଗ୍ରତ ହେଲା । ଭକ୍ତିରେ କଂସା ଚାରିପଟେ ଦାସିଆ ଖୁବ୍ ଜୋରରେ ଶ୍ରୀଜଗନ୍ନାଥଙ୍କ ନାମ ସଂକୀର୍ତ୍ତନ କରିବାକୁ ଲାଗିଲେ । ଆଖପାଖର ଲୋକମାନେ ଦାସିଆଙ୍କ ଘରେ ଜମାହେବାକୁ ଲାଗିଲେ । କିଛି ଲୋକ ଦାସିଆଙ୍କ ଏତାଦୃଶ ଭକ୍ତି ଆଚରଣକୁ ପାଗଳ ହୋଇଯାଇଥିବା ଦର୍ଶାଇଲେ । କେହି କେହି ଭୂତପ୍ରେତ ଲାଗିଥିବାର କହିଲେ । କିନ୍ତୁ ଦାସିଆ କଂସାର ଶାଗ ଜାଉ ଖାଇବା ପରିବର୍ତ୍ତେ ଭକ୍ତିଭାବନାରେ ନୃତ୍ୟ ସଂକୀର୍ତ୍ତନ କରିବାକୁ ଲାଗିଥିଲେ । ସେହିବାଟ ଦେଇ ଜଣେ ସାଧୁ ଯାଉଥିଲେ । ଦାସିଆଙ୍କ ଘର ପାଖ ଲୋକାରଣ୍ୟ ଦେଖି ଦଣ୍ଡେ ସେଠାରେ ଛିଡ଼ା ହୋଇପଡ଼ିଲେ । ସାଧୁ ସବୁକିଛି ବୁଝିପାରି ଜାଉ କଂସାରୁ ଶାଗତକ କାଢି ଅଲଗା କରିଦେଲେ । ଏବେ ଦାସିଆ ଜାଉ ଖାଇଲେ । ଏହା ହେଉଛି ଦାସିଆଙ୍କ ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ଭାବନାରେ ଜ୍ୱଳନ୍ତ ଉଦାହରଣ । ତାଙ୍କର ଭକ୍ତି ପରାକାଷ୍ଠାର ଏହା ଏକ ନିଦର୍ଶନ ।

ରାତ୍ରକାଳରେ ମଧ୍ୟ ଦାସିଆ ଶଯ୍ୟାରୁ ଉଠିପଡ଼ି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଥିଲେ – “ପ୍ରଭୁ ! ସତେ କ’ଣ ମୋ ଉପରେ ତୁମର କୃପା ହେବନାହିଁ? ମୋର ଏହି ଚର୍ମଚକ୍ଷୁ ତୁମକୁ ଦର୍ଶନ କରିବ ନାହିଁ?” । ପ୍ରକୃତରେ ଭକ୍ତ ହୃଦୟର ଭାବକୁ କେବଳ ଭଗବାନ ହିଁ ସ୍ୱୟଂ ବୁଝିପାରିଥାନ୍ତି । ଯେବେ ଭକ୍ତର ହୃଦୟ ପ୍ରେମ ବ୍ୟାକୁଳତାରେ ଭରି ଉଠେ, ସେହି ସମୟରେ ଭକ୍ତାନୁଗ୍ରାହୀ ଭଗବାନ ତା’ ନିକଟରେ ଉପସ୍ଥିତ ହୁଅନ୍ତି । ଦାସିଆଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ଦେଲେ । ଦାସିଆ ମହାପ୍ରଭୁଙ୍କ ରୂପ ଦର୍ଶନ କରି ଆତ୍ମହରା ହୋଇପଡ଼ିଥିଲେ ।

ସେହିପରି ଦାସିଆ ଦିନେ ପୂର୍ବଦିନ ବୁଣିଥିବା ଲୁଗା ଖଣ୍ଡିକ ଧରି ବିକ୍ରି କରିବାକୁ ଜଣେ ବ୍ରାହ୍ମଣଙ୍କ ଘରକୁ ଗଲେ । ବ୍ରାହ୍ମଣ ଜଣକ ଲୁଗାଖଣ୍ଡିକ ରଖି ପଇସା ଆଣିବାକୁ ଘର ଭିତରକୁ ଯାଇଛନ୍ତି । ଏଣେ ଦାସିଆ ଦେଖିଲେ ବ୍ରାହ୍ମଣଙ୍କ ବଗିତାରେ ଗୋଟିଏ ନଡ଼ିଆ ଗଛରେ ଗୋଟିଏ ହୃଷ୍ଟପୃଷ୍ଟ ନଡ଼ିଆଟିଏ ହୋଇଛି । ସୁନ୍ଦର ନଡ଼ିଆଟିକୁ ଶ୍ରୀମନ୍ଦିରସ୍ଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିବାକୁ ମନସ୍ଥ କଲେ । ବ୍ରାହ୍ମଣ ଲୁଗାର ମୂଲ୍ୟ ଦେବା ସମୟରେ ଦାସିଆ କହିଲେ, “ହେ ବ୍ରାହ୍ମଣ ମହାଶୟ, ଦୟାକରି ଏହି ନଡ଼ିଆଟିକୁ ମୋତେ ଦିଅନ୍ତୁ, ତା’ର ମୂଲ୍ୟ ମୁଁ ଲୁଗାରୁ କାଟି କରି ଦେବି ।” ଦାସିଆଙ୍କ ନଡ଼ିଆ ପ୍ରତି ଆଗ୍ରହ ଦେଖି ବ୍ରାହ୍ମଣ ନଡ଼ିଆର ମୂଲ୍ୟ ଖୁବ ବଢାଇଦେଲେ । ଶେଷରେ ଦାସିଆ ଲୁଗାର ମୂଲ୍ୟ ନଆଣି ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିବାକୁ ନଡ଼ିଆଟିକୁ ଘରକୁ ଆଣିଲେ । ଦିନେ ଆଉଜଣେ ବ୍ରାହ୍ମଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସକାଳୁ ପୁରୀ ଯାଉଥିଲେ, ଦାସିଆ ତାଙ୍କୁ ନଡ଼ିଆଟି ଦେଇ କହିଲେ, “ଆପଣ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଯାଉଛନ୍ତି ତ, ତେବେ ମୋର ଏହି ନଡ଼ିଆଟିକୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଦେବେ ।” ଆପଣ ଏହାକୁ ଭୋଗରେ ନଲଗାଇ ଆପଣଙ୍କ ଦର୍ଶନ କାମ ସରିଲା ପରେ ଗରୁଡ଼ସ୍ତମ୍ଭ ନିକଟରେ ଛିଡ଼ା ହୋଇ ଭଗବାନଙ୍କ ଉଦ୍ଦେଶ୍ୟରେ ଟେକିଦେବେ । ଆପଣ ସେଠି ଛିଡ଼ା ହୋଇ କହିବେ “ଦାସିଆ ଆପଣଙ୍କ ଲାଗି ଏହି ନଡ଼ିଆଟି ପଠାଇଛି, ଏହା ଗ୍ରହଣ କରନ୍ତୁ ଦୟାପୂର୍ବକ” । ଆପଣଙ୍କ ପ୍ରାର୍ଥନାରେ ଶ୍ରୀଜଗନ୍ନାଥ ଯଦି ଆପଣଙ୍କ ହାତରୁ ନଡ଼ିଆ ନ ନିଅନ୍ତି ତେବେ ମୋ ନଡ଼ିଆଟିକୁ ମୋତେ ଆଣି ଫେରାଇଦେବେ ।

ସରଳ, ନିଷ୍କପଟ ଭକ୍ତ ଦାସିଆ ବାଉରୀଙ୍କ ଅପପଟ ବିଶ୍ୱାସ ଓ ଭକ୍ତିରେ ବ୍ରାହ୍ମଣ ଜଣକ ହଁ ମାରି ନଡ଼ିଆଟିକୁ ନେଇ ଶ୍ରୀମନ୍ଦିର ଗଲେ । ଶ୍ରୀମନ୍ଦିରରେ ପହଞ୍ଚି ଭଗବାନଙ୍କ ଦର୍ଶନ କରିବା ପରେ ଦାସିଆଙ୍କ ନଡ଼ିଆ କଥା ମନେପଡ଼ିଲା । ଝୁଲା ମଧ୍ୟରୁ ନଡ଼ିଆଟିକୁ ବାହାର କରି ଗରୁଡ଼ସ୍ତମ୍ଭ ନିକଟକୁ ଗଲେ । ସେଠାରେ ନଡ଼ିଆଟିକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଟେକିଦେଇ ବ୍ରାହ୍ମଣ ଜଣକ କହିଲେ, “ହେ ପ୍ରଭୋ ! ଆପଣଙ୍କ ପାଇଁ ଦାସିଆ ଏହି ନଡ଼ିଆଟିକୁ ପଠାଇଛି, ସେ କହିଛି ଯଦି ଭଗବାନ ସ୍ୱୟଂ ନିଜ ହାତରେ ନଡ଼ିଆ ନ ନିଅନ୍ତି ତେବେ ଏହାକୁ ମୁଁ ଦାସିଆକୁ ନେଇ ଫେରାଇଦେବି” । ଏହା କହି ଆଖି ବନ୍ଦ କରି ବ୍ରାହ୍ମଣ ଜଣକ ଛିଡ଼ା ହୋଇରହିଲେ । କିଛି ସମୟ ପରେ ବ୍ରାହ୍ମଣଙ୍କ ହାତରୁ ନଡ଼ିଆଟିକୁ ଶ୍ରୀଜଗନ୍ନାଥ ଅଦୃଶ୍ୟରେ ନଡ଼ିଆଟିକୁ ନେଇଗଲେ । ଏହି ଅଦ୍ଭୁତ ଘଟଣା ନିଜେ ଦେଖି ବ୍ରାହ୍ମଣ ଜଣକ ଆଶ୍ଚର୍ଯ୍ୟ ପ୍ରକଟ କଲେ । ଭଗବାନଙ୍କ କରସ୍ପର୍ଶରେ ବ୍ରାହ୍ମଣଙ୍କ ହୃଦୟ ଭକ୍ତି ଲହରୀ ଖେଳିବାକୁ ଲାଗିଲା । ଗଦଗଦ କଣ୍ଠରେ ଭଗବାନଙ୍କ ସ୍ମୃତିଗାନ କରିବାକୁ ଲାଗିଲେ ବ୍ରାହ୍ମଣ । ଏହି ଘଟଣା ଧିରେ ଧିରେ ସମସ୍ତେ ଜାଣି ଭଗବାନ ଶ୍ରୀଜଗନ୍ନାଥ ଓ ଦାସିଆଙ୍କ ଅଚଳା ଭକ୍ତି ଭାବନାକୁ ପ୍ରଶଂସା କରିବାକୁ ଲାଗିଲେ ।

ଅନ୍ୟଏକ ଘଟଣାରେ ଭଗବାନଙ୍କୁ ପାଚିଲା ଆମ୍ବ ଯାଚିଥିଲେ ଦାସିଆ । ଟୋକେଇରେ ଟୋକେଇ ମିଠା ପାଚିଲା ଆମ୍ବ ନେଇ ଦାସିଆ ନିଜେ ପୁରୀ ଗଲେ । ଅରଣସ୍ତମ୍ଭ ନିକଟରେ ଦାସିଆ ପଣ୍ଡାମାନଙ୍କୁ ଏହି ଆମ୍ବ ଟୋକେଇ ଦେଇ ମହାପ୍ରଭୁଙ୍କୁ ଭୋଗ ଲଗାଇବାକୁ କହିଲେ । ପଣ୍ଡାମାନେ ଲୋଭରେ ସେହି ଆମ୍ବ ଟୋକେଇ ନେଇଯିବାକୁ ଚକ୍ରାନ୍ତ କରିଲେ । ଦାସିଆ ଏହା ଜାଣିପାରି ଭଗବାନଙ୍କ ଉଦ୍ଦେଶ୍ୟରେ ନୀଳଚକ୍ରଙ୍କୁ ଦେଖି ଗୋଟିଏ ଗୋଟିଏ ପାଚିଲା ଆମ୍ବ ଉପରକୁ ଟେକି ଦେଉଥାନ୍ତି ଏବଂ ଗୋଟିଏ ପରେ ଗୋଟିଏ ସବୁ ଆମ୍ବ ସବୁ ଟୋକେଇରୁ ଅଦୃଶ୍ୟ ହୋଇଗଲା । ପାଖରେ ଉପସ୍ଥିତ ଥିବା ପଣ୍ଡାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବାକୁ ଲାଗିଲେ । ପଣ୍ଡାମାନେ ଭାବିଲେ ଦାସିଆ ବୋଧେ ଜାଦୁଗର ଏବଂ ନିଜେ ଅଦୃଶ୍ୟ କରିଦେଇଛି ଆମ୍ବଗୁଡ଼ିକୁ । ତେବେ ପଣ୍ଡାମାନେ ଆମ୍ବ ଅଦୃଶ୍ୟ ହେବା ପଚାରିବାରୁ ଦାସିଆ କହିଲେ ଶ୍ରୀଜଗନ୍ନାଥ ନିଜେ ଆମ୍ବଗୁଡ଼ିକୁ ଭୋଜନ କରିଛନ୍ତି । ପଣ୍ଡାମାନେ ଦୌଡ଼ିଯାଇ ରତ୍ନ ସିଂହାସନ ନିକଟରେ ବହୁତ ଆମ୍ବ ଟାକୁଆ ପଡ଼ିଥିବାର ଦେଖିଲେ । ଆମ୍ବ ଚୋପା ମଧ୍ୟ ଖିଆ ହୋଇ ରତ୍ନସିଂହାସନ ନିକଟରେ ପଡ଼ିଥିବାର ଦେଖିଲେ । ମହାପ୍ରଭୁଙ୍କର ଅଧରରେ ଆମ୍ବରସ ଲାଗିଥିବାର ଦେଖିବାକୁ ପାଇଲେ । ପଣ୍ଡାମାନେ ଦାସିଆଙ୍କୁ ପ୍ରଣାମ କରି ମହାନ ଭକ୍ତଭାବେ ଜାଣିପାରିଲେ । ଦାସିଆଙ୍କୁ ଶ୍ରୀଜଗନ୍ନାଥଙ୍କ ଦୟାଣମାଳ ଆଣି ପିନ୍ଧାଇଦେଲେ । ସେଠାରେ ଉପସ୍ଥିତ ସମସ୍ତେ ଦାସିଆଙ୍କ ଭକ୍ତିକୁ ବହୁତ ପ୍ରଶଂସା ମଧ୍ୟ କଲେ । ଏହି କଥାଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପିଗଲା ।

ଭଗବାନ ସର୍ବଦା ଭକ୍ତ ଲାଗି ଜାଗ୍ରତ ରହିଥାନ୍ତି । ଭକ୍ତର ଭକ୍ତିକୁ ସଦାବେଳେ ପରଖୁଥାନ୍ତି । ସୁଦାମାଙ୍କ ଘରେ ଖୁଦ କଣିକା ଖାଇ ସଖାପଣ ରକ୍ଷା କରିଥିଲେ ଶ୍ରୀକୃଷ୍ଣ ଭଗବାନ । ସୁଦାମାଙ୍କ ଭକ୍ତିରସରେ ଭଗବାନଙ୍କ ହୃଦୟ କନ୍ଦର ଟାଣିଆଣିଥିଲା ସୁଦାମାର ଘରକୁ । ସେହିପରି ବାଲିଗ୍ରାମର ଦାସିଆ ବାଉରୀ ତାଙ୍କର ଅଚଳାଚଳ ଭକ୍ତି ନିମନ୍ତେ ତାଙ୍କ ନାମ ଚିରଦିନ ଲାଗି ଶ୍ରୀଜଗନ୍ନାଥଙ୍କ ଅମର ଇତିହାସରେ ଲିପିବଦ୍ଧ ହୋଇ ରହିଗଲା । ପ୍ରକୃତରେ ଭକ୍ତର ଭକ୍ତିର ଭାବରେ ବନ୍ଧା ସେହି କରୁଣାମୟ ଭଗବାନ ।

Leave A Reply

Your email address will not be published.